କେନ୍ଦୁଝର : ଏମିତି ଚାଲିଛି ବନୀକରଣ, ଗାତ ଖୋଳାରୁ ଆରମ୍ଭ ଠକେଇ

କେନ୍ଦୁଝର : ଜଙ୍ଗଲ ସୁରକ୍ଷା ସାଙ୍ଗକୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବନ ବିଭାଗ ପକ୍ଷରୁ ବନୀକରଣ କରାଯାଉଛି। କିନ୍ତୁ ବନୀକରଣ ଆରମ୍ଭ ଅର୍ଥାତ ଗାତ ଖୋଳାରୁ ହିଁ ଠକେଇ ଆରମ୍ଭ ହେଉଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକ୍ସନ ଅଧୀନରେ ଥିବା ପେଣ୍ଠଡିହି ଜଙ୍ଗଲରେ ଗଛ ଲଗାଇବା ପାଇଁ ଗାତ ଖୋଳାରେ ବ୍ୟାପକ ଅନିୟମିତତା ହୋଇଛି। କିଛିଦିନ ତଳେ ଏହି ସେକ୍ସନର ବାରବାଙ୍କ ଜଙ୍ଗଲରେ ବନୀକରଣ ଦୁର୍ନୀତିରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଥିବା ବେଳେ ଏବେ ପୁଣି ଏଭଳି ଅନିୟମିତତା ବନ ବିଭାଗର ଦୁର୍ନୀତିଖୋର ମନୋଭାବକୁ ପଦାରେ ପକାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ପେଣ୍ଠଡିହି ଗ୍ରାମ୍ୟ ଜଙ୍ଗଲରେ ୨୦୨୦-୨୧ ଆର୍ଥିକ ବର୍ଷରେ ୫୦ ହେକ୍ଟର ପରିମିତ ଅଞ୍ଚଳରେ ବନୀକରଣ କରିବାକୁ ସ୍ଥିର ହୋଇଛି। ମନରେଗା ଯୋଜନାରେ ଏଥିପାଇଁ ୧୩ ଲକ୍ଷ ୧୮ ହଜାର ୭ଶହ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଠାରେ ଶିଶୁ, ନିମ୍ବ, କରଞ୍ଜ, ମହାନିମ୍ବ, ଗମ୍ଭାରି ଆଦି ଗଛ ଲଗାଇବାକୁ ଯୋଜନା ରହିଛି।

ବନ ବିଭାଗ ନିୟମ ଅନୁସାରେ, ଯେଉଁଠି ବନୀକରଣ କାମ ହେବ ସେଠାରେ ଏପ୍ରିଲ, ମେ ମାସରୁ ଗାତ ଖୋଳାଯିବ। ଏହାପରେ ପ୍ରାୟ ମାସେରୁ ଦେଢ଼ମାସ ପର୍ଯ୍ୟନ୍ତ ମାଟି ଖରା ଖାଇବା ପରେ ଜୁଲାଇ ମାସରେ ଗଛ ଲଗାଯାଇଥାଏ। ଏଥିରେ ଖତ ଓ ସାର ମଧ୍ୟ ଦିଆଯାଏ। ସେହିପରି ଗାତ ଗୁଡ଼ିକ ୧ ଫୁଟ ଗଭୀର ଓ ୧ ଫୁଟ ଚଉଡ଼ା ହେବା କଥା। ପେଣ୍ଠଡିହି ଜଙ୍ଗଲରେ ଏପ୍ରିଲ, ମେ ପରିବର୍ତ୍ତେ ଜୁଲାଇ ମାସ ତୃତୀୟ ସପ୍ତାହରୁ ଗାତ ଖୋଳା ଆରମ୍ଭ ହୋଇଛି। ଏଠାରେ ଯେଉଁ ଗାତ ଖୋଳାଯାଉଛି ତାହା ସର୍ବଧିକ ୫ ଇଞ୍ଚ ଗଭୀର ଓ ୫ ଇଞ୍ଚ ଚଉଡ଼ାର। ଅର୍ଥାତ ଜଣେ ବ୍ୟକ୍ତି ଓଦା ମାଟିକୁ କୋଦାଳରେ ଥରେ ଚୋଟ ପକାଇଲେ ଯେତିକି ମାଟି ଉଠୁଛି ସେତିକିରେ ଗଛ ପୋତା ଚାଲିଛି। ଏହି ଗାତ ଖୋଳା ଠକେଇ ଛୋଟିଆ ଲାଗୁଥିଲେ ମଧ୍ୟ ତାହାର ପ୍ରକୃତ ହିସାବ ହିଁ ଏହା ପଛରେ ଥିବା ଦୁର୍ନୀତିର ଆକାରକୁ ସ୍ପଷ୍ଟ କରୁଛି। ସେହିପରି ପ୍ରତି ହେକ୍ଟରରେ ଗାତ ଖୋଳା ବାବଦରେ ୬ଟି ଶ୍ରମ ଦିବସ ସୃଷ୍ଟି କରାଯାଇଥାଏ। ଗୋଟିଏ ଶ୍ରମ ଦିବସର ମୂଲ୍ୟ ୨୯୮ ଟଙ୍କା ହୋଇଥିବାବେଳେ ୬ଟି ଶ୍ରମ ଦିବସର ମୂଲ୍ୟ ୧୭୮୮ ଟଙ୍କା। ମାତ୍ର ଏଠାରେ ଯେଉଁଭଳି ଢଙ୍ଗରେ ଗାତ ଖୋଳା ହେଉଛି, ସେଥିରେ ଜଣେ ଶ୍ରମିକ ଦୁଇ ହେକ୍ଟର ଅଞ୍ଚଳରେ ଗାତ ଖୋଳି ପାରିବ। ଏହାଦ୍ବାରା ପ୍ରତି ହେକ୍ଟରରେ ପ୍ରାୟ ୫ଟି ଶ୍ରମ ଦିବସ ବାଟମାରଣା ହେଉଛି। ସେହିପରି ଗାତ ଛୋଟ ହେଲେ ଏଥିରେ କମ୍‌ ସାର ଓ ଜୈବିକ ଖତ ବ୍ୟବହାର ହେବ। ଏହାଦ୍ବାରା ମଧ୍ୟ ଅଧିକ ଲାଭ ମିଳିବ। କମ ଗଭୀରର ଗାତ ଖୋଳା ହେଲେ ଏଠାରେ ପୋତା ଯାଉଥିବା ଗଛ ମଧ୍ୟ ବଞ୍ଚିବ ନାହିଁ। ପୁଣି ଆଗାମୀ ବର୍ଷରେ ଏଥିପାଇଁ ବ୍ୟୟ ବରାଦ ହେବ। ବନ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ତଦାରଖ କରିବା ସତ୍ତ୍ବେ ଏଠାରେ ଗାତ ଖୋଳାରେ ବ୍ୟାପକ ଅନିୟମିତତା ହେବା ସମସ୍ତଙ୍କୁ ଚକିତ କରିଛି।

ଏ ସଂପର୍କରେ ଡେପୁଟି ରେଞ୍ଜର ପୀତାମ୍ବର ନାଏକଙ୍କୁ ପଚାରିବାରୁ, ଗାତ ଖୋଳାରେ ଏଭଳି ତ୍ରୁଟି ହେଉନାହିଁ। ଯେଉଁ ଗାତ ଦେଖାଉଛନ୍ତି ତାହା ମାପ ପାଇଁ ଚିହ୍ନ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର