ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଗତ ୨ ବର୍ଷରେ ପ୍ରାୟ ୨୦ଲକ୍ଷ ଚାରା ଲାଗିଛି। କିନ୍ତୁ ଜିଲ୍ଲାରେ ଜଙ୍ଗଲର ଆୟତନ କିମ୍ବା ଜିଲ୍ଲାର ସବୁଜିମା ବଢ଼ୁନାହିଁ। ୨୦୨୦ ବନ ବିଭାଗର ରିପୋର୍ଟ ଅନୁସାରେ, କଟକର ବାଙ୍କି, ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ବର ସିଟି, ଚନ୍ଦକା, ଚିଲିକା ୱାଇଲଡ ଲାଇଫ୍ ଡିଭିଜନ ବ୍ୟତୀତ), ପୁରୀର ଡେଲାଙ୍ଗ, ନୟାଗଡ଼ର ରଣପୁରକୁ ନେଇ ଖୋର୍ଦ୍ଧା ବନ ଡିଭିଜନ ଗଠିତ। ବନ ଡିଭିଜନର ମୋଟ ୩୫୧୪.୬୯୪ ବର୍ଗ କିମି ଅଞ୍ଚଳ ମଧ୍ୟରେ ବିଭିନ୍ନ କିସମର ଜଙ୍ଗଲର ପରିସୀମା ୫୭୭.୩୦ ବର୍ଗ କିମି। ଅର୍ଥାତ୍ ମୋଟ ଅଞ୍ଚଳର ପ୍ରାୟ ୧୭ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି। ଯଦି କେବଳ ଖୋର୍ଦ୍ଧା ଜିଲ୍ଲାର ଜଙ୍ଗଲ ସ୍ଥିତି ନେଇ ଆକଳନ କରାଯାଏ, ତେବେ ଜିଲ୍ଲାର ମୋଟ କ୍ଷେତ୍ରଫଳ ୨୮୧୩ ବର୍ଗ କିମି ମଧ୍ୟରେ ୨୩ ବର୍ଗ କିମି ଘଞ୍ଚ ଜଙ୍ଗଲ, ୧୯୧ ବର୍ଗ କିମି ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ ଓ ୧୮୦ ବର୍ଗ କିମି ଅନ୍ୟାନ୍ୟ ଜଙ୍ଗଲ ରହିଛି। ଜିଲ୍ଲାର ମୋଟ୍‌ ଜଙ୍ଗଲର ପରିମାଣ ୩୯୪ ବର୍ଗ କିମି, ଅର୍ଥାତ୍ ୧୩ ପ୍ରତିଶତ ଜଙ୍ଗଲ ରହିଛି। ୨୦୧୪–୧୫ ଜିଲ୍ଲାରେ ୬୪୮୬୭ ହେକ୍ଟର ଅର୍ଥାତ୍ ୬୪୮ ବର୍ଗ କିମି ଜଙ୍ଗଲ ଥିଲା, ୨୦୨୦–୨୧ରେ ଏହା ୩୯୪ ବର୍ଗ କିମିକୁ ହ୍ରାସ ପାଇଛି।

Advertisment

publive-image DNA India

ଗତ ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଜଙ୍ଗଲ ଓ ସବୁଜିମା କ୍ରମାଗତ ଭାବେ କ୍ଷୟ ହେଉଥିବା ଓ ଏହାଦ୍ବାରା ଜଙ୍ଗଲରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିବା ନେଇ ପ୍ରକୃତିପ୍ରେମୀମାନେ ଚିନ୍ତାପ୍ରକଟ କରିଛନ୍ତି। କିନ୍ତୁ ବନ ବିଭାଗର ତଥ୍ୟରେ ଏହି ୨ ବର୍ଷ ମଧ୍ୟରେ ଜିଲ୍ଲାରେ ୨୦ ଲକ୍ଷ ଚାରା ରୋପଣ କରାଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ଚାରା ଯାଉଛି କୁଆଡ଼େ? ଖୋଦ୍‌ ବନ ବିଭାଗର ଆକଳନ ଅନୁସାରେ, ୧ ବର୍ଗ କିମି ଅର୍ଥା ୧୦୦ ହେକ୍ଟର ଅଞ୍ଚଳରେ ୫୦ହଜାରରୁ ୬୦ ହଜାର ଗଛ ଲାଗିପାରିବ। ଏକ ଆନୁମାନିକ ଆକଳନରେ, ୨୦ ଲକ୍ଷ ଚାରା ମଧ୍ୟରୁ ମାତ୍ର ୧୫ ପ୍ରତିଶତ ଅର୍ଥାତ୍ ୩ ଲକ୍ଷ ଚାରା ଯଦି ବଞ୍ଚି ରହେ ତେବେ ଜିଲ୍ଲାର ଜଙ୍ଗଲ ପରିସୀମା ୬ରୁ ୭ ପ୍ରତିଶତ ବୃଦ୍ଧି ପାଇବା କଥା। କିନ୍ତୁ ୨ ବର୍ଷ ମଧ୍ୟ ଜିଲ୍ଲାରେ ଜଙ୍ଗଲର ଘନତା କିମ୍ବା ପରିସୀମା ସେଭଳି ବୃଦ୍ଧିପାଇନାହିଁ।

publive-image Ensia

ଖୋର୍ଦ୍ଧା ବନ ଡିଭିଜନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ସେପ୍ଟମ୍ବର ଶେଷ ସୁଦ୍ଧା ବନ ବିଭାଗ ଦ୍ବାରା ୧ଲକ୍ଷ ୪୨ହଜାର ୪୭୦ ଚାରାରୋପଣ କରାଯାଇଥିଲା। ଏହା ମଧ୍ୟରୁ ରାସ୍ତାକଡ଼ ବନୀକରଣରେ ୩୧ହଜାର ୪୭୦ ଚାରାରୋପଣ କରାଯାଇଛି। ବିଭିନ୍ନ ସଂଗଠନ ଓ ବ୍ୟକ୍ତିଙ୍କୁ ବୃକ୍ଷରୋପଣ ପାଇଁ ୬ଲକ୍ଷ ୧୭ହଜାର ୧୦୯ଟି ଚାରା ଦିଆଯାଇଛି। ଏଭଳି ଚଳିତ ବର୍ଷ ମୋଟ ୭ଲକ୍ଷ ୫୯ ହଜାର ଚାରାରୋପଣ କରାଯାଇଛି। ବନ ବିଭାଗ ରୋପଣ କରିଥିବା ଚାରା ମଧ୍ୟରୁ ଖୋର୍ଦ୍ଧା ରେଞ୍ଜ୍‌ରେ ସର୍ବାଧିକ ୬୪ହଜାର ୬୦୦, ଟାଙ୍ଗୀ ରେଞ୍ଜ୍‌ରେ ୧୦ହଜାର, ବାଲିପାଟଣା ୧୫,୫୦୦, ରଣପୁର ୪୯,୦୦୦ ଓ ଡେଲାଙ୍ଗ ରେଞ୍ଜ୍‌ରେ ୩,୩୭୦ ଚାରା ରୋପଣ କରାଯାଇଛି। ୨୦୨୦ ବର୍ଷରେ ଅକ୍ଟୋବର ଶେଷ ସୁଦ୍ଧା ବନ ବିଭାଗ ପକ୍ଷରୁ ୪ଲକ୍ଷ ୭୭ ହଜାର ୮୫୬ଟି ଚାରା ରୋପଣ କରାଯାଇଥିବା ବେଳେ ବିଭିନ୍ନ ସଂଗଠନ, ସାଧାରଣ ବ୍ୟକ୍ତି ଓ ଗୋଷ୍ଠୀ ଆଦିଙ୍କ ଦ୍ବାରା ୯ଲକ୍ଷ ୩୬ହଜାର ୧୪୦ ଚାରା ରୋପଣ କରାଯାଇଛି।