ରାଉରକେଲା: ବୃକ୍ଷ ହିଁ ସମ୍ପଦ। ବୃକ୍ଷ ହିଁ ଜୀବନ। ମଣିଷ ଜୀବନ ପାଇଁ ବୃକ୍ଷ କେତେ ଗୁରୁତ୍ବପୂର୍ଣ୍ଣ। ଯେଉଁମାନେ ଏହି କଥାକୁ ଭଲ ଭାବେ ବୁଝିଛନ୍ତି ସେମାନେ ଚାରାରୋପଣକୁ ସେତିକି ଗୁରୁତ୍ବ ଦେଉଛନ୍ତି। ଆଜି ସମ୍ବାଦ-ସାହିତ୍ୟଘର ପକ୍ଷରୁ ସେକ୍ଟର-୨୧ ନୟାବଜାରସ୍ଥ ଓଏସ୍ଏପି ଚତୁର୍ଥ ବାଟାଲିୟନ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମାଣ୍ଡାଣ୍ଟ ବ୍ରଜକିଶୋର ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ଗଛ ବିନା ସମାଜ ତିଷ୍ଠି ରହିବା ଅସମ୍ଭବ। କାରଣ ଗଛ ମଣିଷକୁ ପ୍ରାଣବାୟୁ ଦେଉଛି। ସମ୍ବାଦ-ସାହିତ୍ୟଘର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।
ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ସମ୍ବାଦ ସାହିତ୍ୟଘରର ପରିବାରକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ସମ୍ବାଦ ସାହିତ୍ୟଘରର ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ରାଉରକେଲାକୁ ଅଧିକରୁ ଅଧିକ ସବୁଜିମା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ। କାରଣ ବୃକ୍ଷ ମଣିଷର ଔଷଧ ଓ ପ୍ରାଣଶକ୍ତି ଭାବେ କାମ କରେ। ସମ୍ବାଦ-ସାହିତ୍ୟଘର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବ ବୋଲି ସେ କହିଥିଲେ। ସମ୍ବାଦ-ସାହିତ୍ୟଘରର ସମ୍ପାଦକ (କାର୍ଯ୍ୟକ୍ରମ) ବିଭୂ ନାୟକ ସହରର ପ୍ରଦୂଷଣ ମାତ୍ରକୁ ଦୂର କରିବାକୁ ଚାରାରୋପଣ ହିଁ ଏକମାତ୍ର ମାଧ୍ୟମ। ଯାହାକୁ ଓଏସ୍ଏପି ଚତୁର୍ଥ ବାଟାଲିୟନର ଯବାନମାନେ ଭଲଭାବେ ଉପଲବ୍ଧି କରିଛନ୍ତି। ସେମାନେ କେବଳ ଯେ ଶାନ୍ତି ପ୍ରତିଷ୍ଠା କରନ୍ତି ତା’ ନୁହେଁ ବରଂ ସହରକୁ ସବୁଜିମା କରିବାକୁ ମଧ୍ୟ ସଂକଳ୍ପ ନେଇଛନ୍ତି। ଯାହାକୁ ଆଜି ପ୍ରମାଣିତ କରି ଦେଖାଇଛନ୍ତି। ବୀର ଯବାନଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ସେ କହିଥିଲେ।
ପ୍ରଥମେ ମୁଖ୍ୟ ଅତିଥି କମାଣ୍ଡାଣ୍ଟ ଶ୍ରୀ ମିଶ୍ର ବାଟାଲିୟନ ପରିସରରେ ଫଳନ୍ତି ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୋଟ୍ ୨୪୫ଟି ବିଭିନ୍ନ ଚାରାରୋପଣ କରାଯିବା ସହ ଯବାନମାନଙ୍କୁ ୮୦ଟି ଫଳନ୍ତି ଚାରା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡାଣ୍ଟ ଦିଲୀପ କୁମାର ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶରତ ଜାନି, ମାନଭଞ୍ଜନ ଛୁରା, ଇନ୍ସପେକ୍ଟର (ଆର୍ମଡ୍) ବାବୁଲା ପ୍ରଧାନ, ଆଲୋକ ରଞ୍ଜନ ଦାସ, କ୍ଷେତ୍ରମୋହନ ପ୍ରଧାନ, ଜୟବିହାରୀ ଖୁଣ୍ଟିଆ, ସତ୍ୟନାରାୟଣ ରକ୍ସା, ଈଶ୍ବର ଚନ୍ଦ୍ର ସିଂ, ସବ୍ ଇନ୍ସପେକ୍ଟର ପ୍ରତାପ କୁମାର ପତି, ଅଖିଳ ଚନ୍ଦ୍ର ପାଣିଗ୍ରାହୀ, ଏଏସ୍ଆଇ ବିରେନ୍ଦ୍ର ରାଉତ, ହାବିଲଦାର ଓ ସିପାହୀ ସଂଘର ସଭାପତି ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଗୋଟିଏ ଲେଖାଏଁ ଚାରାରୋପଣ କରିଥିଲେ। ସମ୍ବାଦ-ସାହିତ୍ୟଘରର କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ତ୍ରିପାଠୀ, ସହ କୋଷାଧ୍ୟକ୍ଷ ତ୍ରିଲୋଚନ ମହାରଣା, କାର୍ଯ୍ୟକାରୀ ସଦସ୍ୟ ଅଭିମନ୍ୟୁ ବେହେରା ଓ ବିରେନ ଟୁଡୁଙ୍କ ସହ ସ୍ଥାନୀୟ ଅଞ୍ଚଳର ମୀନକେତନ ନାୟକ, ଜ୍ଞାନେନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ। ‘ସମ୍ବାଦ’ ପରିବାର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।