ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ସମ୍ବାଦ ସାହିତ୍ୟ ଘରର ସଚେତନ ସଭ୍ୟସଭ୍ୟା ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଯେମିତି ସାରସ୍ବତ ଦାୟିତ୍ବ ନିଭାଉଛନ୍ତି, ସେମାନେ ଏବେ ଆଗେଇ ଆସିଛନ୍ତି ଧରଣୀକୁ ସଜେଇବାକୁ। ବର୍ଷାର ଆଗମନୀକୁ ସ୍ବାଗତ କରି କେବଳ ବର୍ଷା କବିତା ଆସର ମାନ ଆୟୋଜନ ହେଉନାହିଁ, ଅଧିକନ୍ତୁ ସମ୍ବାଦ ସାହିତ୍ୟ ଘରର ପ୍ରତିଷ୍ଠାତା-ସଭାପତି ସୋୖମ୍ୟରଂଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଗତ ୭ ଜୁଲାଇରୁ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ଆସନ୍ତା ୧୮ ଅଗଷ୍ଟ ଯାଏ ଚାଲିବ। ରାଜ୍ୟରେ ଥିବା ସମସ୍ତ ୩୪୩ଟି ଶାଖାର ସଭ୍ୟସଭ୍ୟା ନିଜ ସୁବିଧା ଅନୁସାରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବେ। ପ୍ରତ୍ୟେକ ଶାଖା ତରଫରୁ ଅନ୍ୟୁନ ୩୦୦ରୁ ୫୦୦ ଚାରାରୋପଣ କରାଯିବା ସହ ସେଗୁଡ଼ିକର ଯତ୍ନ ନିଆଯିବ। ବିଗତ ଫନି ବାତ୍ୟାରେ ଓଡିଶାର ବିଭିନ୍ନ ଅଞ୍ଚଳ ଶ୍ରୀହୀନ ହୋଇଥିବା ବେଳେ ରାଜ୍ୟରେ ସର୍ବତ୍ର ଏହି ଚା‌ରା ରୋପଣ କାର୍ଯ୍ୟକ୍ରମ ପରିବେଶକୁ ସଜାଡ଼ିବାରେ କିଛିଟା ସହାୟକ ହେବାର ଆଶା କରାଯାଉଛି। ପ୍ରଥମ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ସହସ୍ରାଧିକ ସଂଖ୍ୟାରେ ଗଛ ଲଗାହୋଇଥିବା ଖବର ମିଳିଛି। ଅବଶିଷ୍ଟ ଶାଖାଗୁଡ଼ିକର ଉଦ୍ୟୋକ୍ତାମାନେ ସଂପୃକ୍ତ ଖଣ୍ଡର ଡିଏଫ୍‌ଓଙ୍କ ସହାୟତାରେ କିମ୍ବା ନିଜସ୍ବ ଉଦ୍ୟମରେ ଚାରା ସଂଗ୍ରହ କରି ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବାକୁ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଜଣାଇଛନ୍ତି।

ସମ୍ବନ୍ଧିତ ଖବର