ଯାଜପୁର ବନୀକରଣରେ ମହାଦୁର୍ନୀତି : ୭୫ଏକର ଜମିରୁ ୪୮ହଜାର ଗଛ ଉଭାନ

ଯାଜପୁର : ପରିବେଶ ସନ୍ତୁଳନ ପାଇଁ ସରକାର ବିଭିନ୍ନ ସଂସ୍ଥା ଓ ବିଭାଗ ଜରିଆରେ ପ୍ରତିବର୍ଷ ବନୀକରଣ କରିବାକୁ ଯୋଜନା କରୁଛନ୍ତି। ବନୀକରଣ ନାମରେ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ହେଉଥିବା ବେଳେ କ୍ଷେତରେ ଗଛର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ଏଭଳି ଭାବେ ହଜାର ହଜାର ଗଛ ଚୋରି ହୋଇଯାଉଛି। ମୂଳରୁ ଗଛ ନଥିଲେ ମଧ୍ୟ ଜାଲ୍‌ ଭାଉଚର କରି ଗଛ ସୁରକ୍ଷା ପାଇଁ ବାଡ଼ ଦେବା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଚଳୁ ହେଉଛି। ଯାଜପୁର ଜିଲ୍ଲାର କେ‌ରୋଇ ବ୍ଲକ୍ ଧନେଶ୍ବର ପଞ୍ଚାୟତରେ ଜଙ୍ଗଲ ବିଭାଗର ମିଛ ବନୀକରଣ ଧରାପଡ଼ିଥିବା ବେଳେ ଏବେ ବିଂଝାରପୁର, ଦଶରଥପୁର, ବରୀ ଓ ଯାଜପୁର ପ୍ରଭୃତି ବ୍ଲକରେ ମୃତ୍ତିକା ସଂରକ୍ଷଣ ବିଭାଗର କେଳେଙ୍କାରୀ ପଦାରେ ପଡ଼ିଛି। ଏଠାରେ ବନୀକରଣ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଛି। ବୈରୀସ୍ଥିତ ଡାଳିଯୋଡା ରେଞ୍ଜ ଅଧୀନ ବିଛାଖଣ୍ଡି ମୌଜାରେ ଗତ ୨ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୭-୧୮ରେ ୭୫ଏକର(୩୦ହେକ୍ଟର) ଜମିରେ ‌୪୮ହଜାର ଗଛ ଲଗାଯାଇଥିଲା। ଏବେ ସେଠାରେ ଗୋଟିଏ ବି ଗଛ ନାହିଁ ବୋଲି ଅଭିଯୋଗ ହୋଇଛି। ଏହା ପୁଣି କଟାଗଛ ଭରଣା ପାଇଁ କାମ୍ପା ଓ ସିଏସ୍‌ଆର ଅନୁଦାନରେ ବନୀକରଣ କରାଯାଇଥିଲା ।

ପ୍ରକାଶଥାଉକି, ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି ପାହାଡ଼କୁ ପଥର ମାଫିଆମାନେ କବ୍‌ଜାକୁ ନେଇ କୋଟି କୋଟି ଟଙ୍କାର ଗ୍ରାନାଇଟ୍ ଚୋରାଚାଲାଣ କରୁଛନ୍ତି। ଏହି ପାହାଡ଼ ଧ୍ବଂସ କରିବାରେ ଲାଗିଛି। ଯାହାକୁ ନେଇ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ପରିବେଶବିତ୍‌ମାନେ ବାରମ୍ବାର ସ୍ବର ଉଠାଇ ଆସୁଛନ୍ତି। ଜଙ୍ଗଲ ବିଭାଗ ମଧ୍ୟ ଏହି ହରିଲୁଟ୍‌ରୁ ପଛରେ ପଡ଼ିନାହିଁ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ, ବିଛାଖଣ୍ଡିରେ ୨୦୧୭-୧୮ରେ କାମ୍ପା ଅନୁଦାନରୁ ୫୦ଏକର ଜମିରେ ୩୨ହଜାର ଗଛ ରୋପଣ କରାଯାଇଥିଲା। ଏହି ବାବଦରେ ୧୧ଲକ୍ଷ ୩୫ହଜାର ୮୧୮ଟଙ୍କା ବ୍ୟୟ କରାଯାଇଛି। ସେହିପରି ୨୦୧୭-୧୮ବର୍ଷରେ ସିଏସଆର ଅନୁଦାନରେ ୨୫ଏକର ଜମିରେ ୫ଲକ୍ଷ ୩୫ହଜାର୭୪୩ଟଙ୍କା ଖର୍ଚ୍ଚ କରାଯାଇ ୧୬ହଜାର ଗଛ ଲଗାଇଯାଇଥିଲା। ମୋଟ ୭୫ଏକର ଜମିରେ ୪୮ହଜାର ଗଛ ଲାଗିଥିଲା। ଏବେ ସେହି ଅଞ୍ଚଳରେ ଗୋଟିଏ ବି ଗଛ ନାହିଁ। ଯେଉଁ ଟାଙ୍ଗରାକୁ ସେହି ଟାଙ୍ଗରା।

ଏ ସମ୍ପର୍କରେ ତତ୍କାଳୀନ ବୈରୀ(ଡାଳିଯୋଡ଼ା)ର ରେଞ୍ଜର ତଥା ବର୍ତ୍ତମାନର ଏସିଏଫ ମନୋରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି ଗଛ ଅଛି। ବହୁ ପୂର୍ବରୁ ଥିବା ଗଛକୁ ଜଙ୍ଗଲ ଅଧିକାରୀ ନିଜର କହୁଛନ୍ତି ନାଁ ସେ ଲଗାଇଥିବା ଗଛ କଥା କହୁଛନ୍ତି, ତାହା ଅନୁସଂଧାନ ସାପେକ୍ଷ। ତେବେ, କେଉଁଠାରେ ବନୀକରଣ ହୋଇଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାମାଜିକ କର୍ମୀ ସର୍ବେଶ୍ବର ବେହୁରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର