ଯାଜପୁର : ପରିବେଶ ସୁରକ୍ଷା ପାଇଁ ବନୀକରଣ ନାମରେ ମନରେଗା ଯୋଜାନାରୁ କୋଟି‌ କୋଟି ଟଙ୍କା ବିଭିନ୍ନ ‌ବିଭାଗ ଜରିଆରେ ବ୍ୟୟ ହେଉଛି। କୋରେଇ ବ୍ଲକ୍‌ ଅଞ୍ଚଳରେ ମନରେଗା ଯୋଜନାରେ ଲକ୍ଷଲକ୍ଷ ଟଙ୍କାର କେଳେଙ୍କାରୀ ଏବେ ପଦାକୁ ଆସିଛିି। ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ ନାମରେ ଧନେଶ୍ବର ପଞ୍ଚାୟତରେ ମହାଘୋଟାଲା କରାଯାଇଛି।

Advertisment

ପଞ୍ଚାୟତର ଧନପୁର ଠାରୁ କୋରେଇ ପର୍ଯ୍ୟନ୍ତ ରାସ୍ତାର ୫ ଆରକେଏମ ଗଛ ଲଗାଇବା ବାବଦରେ ଅର୍ଥ ବାଟମାରଣା କରାଯାଇଛି। ୱାର୍କ କୋଡ୍‌ ୨୪୨୦୦୦୮୦୦୧/ଡିପି/୩୧୨୫୭୦୬ ନମ୍ବରରେ ବନୀକରଣ ପାଇଁ ମୋଟ୍‌ ୫ ଲକ୍ଷ ୨୮ ହଜାର ୮୮୯ ଟଙ୍କା ବିଲ୍‌ କରାଯାଇଛି। ଏହି ଅର୍ଥ ବିଭିନ୍ନ ପଞ୍ଜୀକୃତ ଶ୍ରମିକଙ୍କ ବ୍ୟାଙ୍କ୍‌ ଖାତାକୁ ପଠାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ବନୀକରଣ ୨୦୧୭-୧୮ ମସିହାରେ ସମ୍ପୂର୍ଣ୍ଣ ଦର୍ଶାଯାଇଛି। ୨୦୧୭-୧୮ ରେ ୧୦ ଜଣ ଓ ୨୦୧୬-୧୭ରେ ୧୩ ଜଣ ଶ୍ରମିକଙ୍କୁ ୨ ଲକ୍ଷ ୭୭ ହଜାର ୮୯୪ ଟଙ୍କା ପ୍ରଦାନ କରାଯାଇଥିବା ମଷ୍ଟରରୋଲରେ ଦର୍ଶାଯାଇଛି। ସାମଗ୍ରୀ ପାଇଁ ୨ ଲକ୍ଷ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଥିବାର କାଗଜପତ୍ର କରାଯାଇଛି। ବନୀକରଣ ବାବଦରେ ସର୍ବମୋଟ ୫ ଲକ୍ଷ ୨୮ ହଜାର ୮୮୯ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ମାତ୍ର ଏହି ରାସ୍ତାରେ ଗଛର ଚିହ୍ନବର୍ଣ୍ଣ ନାହିଁ। ଏ ସମ୍ପର୍କରେ ଜଣାପଡ଼ିବା ପରେ ଗତ ୨୦୧୭-୧୮ ମନରେଗା ସମୀକ୍ଷା ବୈଠକରେ ତୀବ୍ର ଅସ‌ନ୍ତୋଷ ପ୍ରକାଶ ପାଇଥିଲା। ପଞ୍ଚାୟତର ଲୋକପ୍ରତିନିଧି ଓ ସ୍ବେଚ୍ଛାସେବୀ ସଂଗଠନ ଏନେଇ ପ୍ରଶ୍ନ କରିଥିଲେ।

ବୈଠକରେ ଯୋଗଦେଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଏହି କେଳେଙ୍କାରୀର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ମାତ୍ର ଏହି ତଦନ୍ତ ନିର୍ଦେଶ ଫାଇଲ୍‌ ତଳେ ଚାପି ହୋଇଯାଇଛି। ଯାଜପୁରରୋଡ଼ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ‌ସେ କହିଛନ୍ତି ବନୀକରଣ ହୋଇଥିଲା। ଗଛଗୁଡ଼ିକୁ ଗାଈ ଖାଇଯାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ସଫେଇ ଦେଇଛନ୍ତି।

ବନୀକରଣ ଓ ରକ୍ଷଣାବେକ୍ଷଣ ପାଇଁ ସରକାର ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ହଜାର ହଜାର ଗଛ ଲାଗିଲା। ତାକୁ ପୁଣି ଗ୍ରାମବାସୀଙ୍କ ଗାଈ ରାତାରାତି କିଭଳି ଖାଇଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।