କଳାହାଣ୍ଡି ନର୍ଲା ରେଞ୍ଜରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବନୀକରଣ ଘୋଟାଲା : ‌ଲୋକାୟୁକ୍ତରେ ମାମଲା ରୁଜୁ, ଏପ୍ରିଲ ୨୧ରେ ତଥ୍ୟ ସହିତ ଉପସ୍ଥିତ ହେବାକୁ ନିର୍ଦ୍ଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ନର୍ଲା ବନବିଭାଗ ରେଞ୍ଜରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବନୀକରଣ ଘୋଟାଲା ଅଭି‌ଯୋଗ ହୋଇଛି । ଏ ନେଇ ଭୁବନେଶ୍ବର ଠାରେ ଲୋକାୟୁକ୍ତଙ୍କ ଠାରେ ମାମଲା ରୁଜୁ ହୋଇଥିବା ବେଳେ ଏହାର ଶୁଣାଣି ଜାରି ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ୨୦୧୫-୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଉତ୍ତରବନଖଣ୍ଡ ନର୍ଲା ରେଞ୍ଜରେ କାମ୍ପା ଯୋଜନାରେ କେରବାଣ୍ଡି ବିଟରେ ୧୦୦ ହେକ୍ଟର ଜମିରେ ୧୯ ଲକ୍ଷ ୭୧ ହଜାର ୭୦୦ ଟଙ୍କା ବ୍ୟୟବରାଦରେ ବନୀକରଣ ହୋଇଥିଲା। ସେହିଭଳି କେରବାଣ୍ଡି ବିଟ ଠାରେ ଅନ୍ୟଏକ ସ୍ଥାନରେ ୫୦ ହେକ୍ଟର ଜମିରେ ୯ ଲକ୍ଷ ୬୪ ହଜାର ୪୦୦ ଟଙ୍କା ବ୍ୟୟରେ ବନୀକରଣ ଓ ସର୍ଗିଗୁଡା ବିଟରେ ନର୍ସରୀ ନିର୍ମାଣ ପାଇଁ ୧୩ ଲକ୍ଷ ୨୭ ହଜାର ୬୬୮ ଟଙ୍କା ବ୍ୟୟରେ ବନୀକରଣ ହୋଇଥିଲା । ୨୦୧୬-୧୭ ମସିହାରେ କାମ୍ପା ଯୋଜନାରେ ନର୍ଲା ବିଟର ସମରକଟା ଅଞ୍ଚଳରେ ୩୫୦ ହେକ୍ଟର ଜମିରେ ୫୭ ଲକ୍ଷ ୧୩ ହଜାର ୬୦୦ ଟଙ୍କା ବ୍ୟୟରେ ବନୀକରଣ, ସର୍ଗିଗୁଡା ବିଟର ଚିପୁଲ ଠାରେ ୩୫୦ ହେକ୍ଟର ଜମିରେ ୪୯ ଲକ୍ଷ ୭୬ ହଜାର ୨୦୦ ଟଙ୍କା ବ୍ୟୟରେ ବନୀକରଣ, ନର୍ଲା ବିଟର ରେଗଡିମାଲ ଠାରେ ୩୦୦ ହେକ୍ଟର ଜମିରେ ୫୪ ଲକ୍ଷ ୨୦୦ ହଜାର ଟଙ୍କା ବ୍ୟୟରେ ବନୀକରଣ ହୋଇଥିଲା । ୨୦୧୬-୧୭ ମସିହାରେ କାମ୍ପା ଯୋଜନାରେ ନର୍ଲା ବିଟରେ ୱାଟରବଡି ନିର୍ମାଣ ପାଇଁ ୪ଲକ୍ଷ ଟଙ୍କା, କମେଇ ବଟରେ ୨୦ ହଜାର ଟଙ୍କା, କେରବାଣ୍ଡି ବିଟରେ ୬୦ ହଜାର ଟଙ୍କା, ସର୍ଗିଗୁଡା ବିଟରେ ୪୦ ହଜାର ଟଙ୍କା ଓ ନର୍ଲା ବିଟରେ ୧ଲକ୍ଷ ୨୦ ହଜାର ଟଙ୍କାରେ ଫାୟାର ଲାଇନ ନିର୍ମାଣ କରାଯାଇଥିଲା । ୨୦୧୬-୧୭ ମସିହାରେ ଆମ ଜଙ୍ଗଲ ଯୋଜନା କାମ୍ପା ଅଧିନରେ ନର୍ଲା ବିଟର ସମରକଟା ଠାରେ ୧ଲକ୍ଷ ୭୭ ହଜାର ୪୫୦ ଟଙ୍କା, ନର୍ଲା ବିଟରେ ୪ଲକ୍ଷ ୨୫ ହଜାର ୭୧୦ ଟଙ୍କା, ଚପଟଖଣ୍ଡା ଠାରେ ୧ ଲକ୍ଷ ୩୪ ହଜାର ୭୫୦ ଟଙ୍କା, ରେଗଡିମାଲ ଠାରେ ୧ଲକ୍ଷ ୧୬ ହଜାର ୯୩୦ ଟଙ୍କା, କୁରମେଲ ଠାରେ ୧ଲକ୍ଷ ୩୪ ହଜାର ୭୫୦ ଟଙ୍କା ଓ ବାଙ୍କେଲ ଠାରେ ୧ଲକ୍ଷ ୭୭ ହଜାର ୪୫୦ ଟଙ୍କା ବ୍ୟୟ ଅଟକଳରେ ବନୀକରଣ କରାଯାଇଥିଲା । ଏହି ଦୁଇ ଆର୍ଥିକ ବର୍ଷରେ ସମୁଦାୟ ୨ କୋଟି ୨୧ ଲକ୍ଷ ୬୦୮ ଟଙ୍କା ବ୍ୟୟ ଅଟକଳରେ କାମ୍ପା ଯୋଜନାରେ ବନ ବିଭାଗ ପକ୍ଷରୁ ବନୀକରଣ କରାଯାଇଥିଲା । ବହୁ ସ୍ଥାନରେ ଗଛ ନଥିବା ବେଳେ କାଗଜ କଲମରେ ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ବିଭାଗୀୟ ଅଧିକାରୀ ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା ।

ଏ ନେଇ ବିନ୍ଦୁ ନାଏକ ସୁଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଓଡିଶା ଲୋକାୟୁକ୍ତଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଲୋକାୟୁକ୍ତଙ୍କ ପାଖରୁ ଅତିରିକ୍ତ ସଚିବ ଟି. ମାଝୀ ଚଳିତ ଜାନୁୟାରୀ ୨୪ ରେ ଅଭିଯୋଗକୁ ଗ୍ରହଣ କରି କେସନଂ ଏଲୱାଇ ୧୬୭/୨୦୨୦ରେ ଏକ ମାମଲା ରୁଜୁ କରିଥିଲେ । ବନ ବିଭାଗର ପୂର୍ବତନ ଡିଏଫଓ ଲଲାଟେନ୍ଦୁ ଜେନା ଯିଏ ବର୍ତ୍ତମାନ ରେଢାଖୋଲ ଠାରେ ଓଏଫଡିସିର ଡିଭିଜିନାଲ ମ୍ୟାନେଜର ଅଛନ୍ତି, ପୂର୍ବତନ ସହକାରୀ କଞ୍ଜରଭେଟର ଏସ.କେ ସାମନ୍ତରାୟ ବର୍ତ୍ତମାନ ସୋନପୁରରେ ଡିଏଫଓ ଭାବେ କାର୍ଯ୍ୟରତ, ପୂର୍ବତନ ରେଞ୍ଜର ଅନ୍ତର୍ଯ୍ୟାମୀ ଦାଶ ଯିଏ ବର୍ତ୍ତମାନ ଅବସର ନେଇ ସାରିଛନ୍ତି ଏବଂ ପୂର୍ବତନ ଫରେଷ୍ଟର ସମ୍ପଦ କୁମାର ଯିଏ ବର୍ତ୍ତମାନ ଗୋଲାମୁଣ୍ଡା ସେକସନରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି ଏହି ୪ ଜଣଙ୍କୁ ଗତ ମାର୍ଚ୍ଚ ୧୨ ତାରିଖରେ ଲୋକାୟୁକ୍ତ ପାଖରେ ହାଜର ହୋଇ ସମସ୍ତ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ଉପସ୍ଥିତ ରହି ଲୋକାୟୁକ୍ତଙ୍କୁ ଆହୁରି ସମୟ ପାଇଁ ଆବେଦନ କରିଥିଲେ । ଲୋକାୟୁକ୍ତଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୨୧ ତାରିଖରେ ସବିଶେଷ ତଥ୍ୟ ସହିତ ଉପସ୍ଥିତ ହେବା ପା‌ଇଁ ନିର୍ଦ୍ଦେଶ ଦେଇଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ବନୀକରଣ ନାମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ଏହାକୁ ସଦ ବିନିଯୋଗ ନକରି ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଏ ନେଇ ଜନସାଧାରଣ ଉଚ୍ଚକତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେବାତ ଦୁରର କଥା ବିଭାଗୀୟ କର୍ମଚାରୀଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗ ହେଉଛି । ବର୍ତ୍ତମାନ ଲୋକାୟୁକ୍ତଙ୍କ ପା‌ଖରେ ଅଭିଯୋଗ ପରେ କ’ଣ କାର୍ଯ୍ୟାନୁଷ୍ଟାନ ହେଉଛି ସେ ଉପରେ ସଭିଙ୍କ ନଜର ରହିଛି । ଏହି ଘଟଣା ନେଇ ଉତ୍ତରବନଖଣ୍ଡ ଡିଏଫଓ ନିତିଶ କୁମାରଙ୍କୁ ପଚାରିବାରୁ ଏହା ପୁରୁଣା ଘଟଣା ଅଟେ । ଲୋକାୟୁକ୍ତଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ତଦନ୍ତ ପାଇଁ କୌଣସି ନିର୍ଦ୍ଦେଶ ଆସି ନାହିଁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର