ଯାଜପୁର ଜିଲ୍ଲାରେ ବନୀକରଣ ପ୍ରହସନ : ଲକ୍ଷାଧିକ ଗଛ ଚୋରି, ୧୫ କୋଟି ସ୍ୱାହା

ଯାଜପୁର/କେନ୍ଦୁଝର : ଆବାସ, ପୋଖରୀ, ପାଇଖାନା ଚୋରି ଭଳି ଲକ୍ଷ ଲକ୍ଷ ଗଛ ମଧ୍ୟ ଚୋରି ହୋଇଯାଇଛି। ଖାତାରେ ବନୀକରଣ ଦର୍ଶାଯାଉଥିବା ବେଳେ କ୍ଷେତରେ ଗଛର ନାମ ଗନ୍ଧ ନାହିଁ। ବନୀକରଣର ବ‌ର୍ଷ ବର୍ଷ ପରେ ଟାଙ୍ଗରା ଭୂଇଁ ଦେଖିବାକୁ ମିଳୁଛି। ଏଭଳି କରି କୋଟି କୋଟି ଟଙ୍କା ଗିଳି ଦେଉଛନ୍ତି ଅସାଧୁ ମେଣ୍ଟ। ପାଣିକୋଇଲି- ରିମୁଳି ଜାତୀୟ ରାଜପଥ ପାର୍ଶ୍ବର ଅବସ୍ଥା ଦେଖିଲେ ଏଠାରେ ବନୀକରଣ ଆଳରେ କିଭଳି ଅସାଧୁ ମେଣ୍ଟର ପକେଟକୁ କୋଟି କୋଟି ଟଙ୍କା ଯାଇଛି, ତାହା ଜଳଜଳ ଦେଖାଯାଉଛି।

ପାଣିକୋଇଲି- ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ସରକାର ୧୪୧୦କୋଟି ଟଙ୍କା ବ୍ୟୟ କଲେ। ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତା ପାର୍ଶ୍ବରେ ଥିବା ଆମ୍ବ, ପଣସ, ଶାଳ, ପିଆଶାଳ ପ୍ରଭୃତି ଅନେକ ପ୍ରକାର ମୂଲ୍ୟବାନ ଗଛ କଟାଗଲା। ସରକାରୀ ତଥ୍ୟ ମୁତାବକ ଜଙ୍ଗଲ ଜମିରୁ ୨୬ହଜାର ୨୫୬ଗଛ ଓ ଅଣଜଙ୍ଗଲ ଜମିରୁ ୧୧ହଜାର୯୬୭ଗଛ କଟା ଯାଇଥିଲା। ତେବେ ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ। ୧୫୧ ହେକ୍ଟର ଜଙ୍ଗଲ ଅଞ୍ଚଳରୁ କଟାଯାଇଥିବା ଗଛ ବାବଦକୁ ୫କୋଟି ୫୮ଲକ୍ଷ ୨୭ହଜାର ୩୦୩ ଟଙ୍କା କାମ୍ପା ପାଣ୍ଠିରେ ଜମା କରାଯାଇଛି ବୋଲି ଜାତୀୟ ରାଜପଥ ସଂସ୍ଥା(ଏନ୍‌ଏଚ୍‌ଏଆଇ) କହୁଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ୩୦୩ ହେକ୍ଟର ଓ ଘଟଗାଁର ବାରବାଙ୍କ ଜଙ୍ଗଲରେ ୫୦୧ହେକ୍ଟରରେ ଜଙ୍ଗଲ ଜମିରେ କାମ୍ପା ଅର୍ଥରୁ ବନୀକରଣ ପାଇଁ ବନ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ଜଙ୍ଗଲ ଜମିରେ ବନୀକରଣ କେତେ ଦୂର ସଫଳ ହୋଇଛି ତାହା ଅନୁସନ୍ଧାନ ସାପେକ୍ଷ।

ଅପରପକ୍ଷରେ ଯାଜପୁର ଓଏଫଡିସି ଅଧୀନରେ କଟାଯାଇଥିବା ୫୯୪୪ଗଛ ଓ କେନ୍ଦୁଝର ଓଏଫଡିସି କାଟିଥିବା ୬୦୨୩ଗଛ ବାବଦରେ (ପ୍ରତି ଗୋଟିଏ ଗଛ କଟିବା ବଦଳରେ ୧୦ଟି ରୋପଣ) ୧ଲକ୍ଷ ୧୯ହଜାର୬୭୦ଗଛ ଲଗାଇବା ପାଇଁ ଗାୟତ୍ରୀ ଠିକାସଂସ୍ଥା ଦାୟିତ୍ବ ନେଇଥିଲା। ଗାୟତ୍ରୀ ଠିକାସଂସ୍ଥା ୧ଲକ୍ଷ ୯ହଜାର ୨୨୯ଗଛ ଲଗାଇଥିବା ଏନ୍‌ଏଚ୍‌ଏଆଇକୁ ତଥ୍ୟ ପ୍ରଦାନ କରିଛି। ସେଥି ମଧ୍ୟରୁ ୨୦ହଜାର ୩୩ଗଛ ରାସ୍ତା ପାର୍ଶ୍ବରେ ଓ ୮୯ହଜାର ୧୯୬ଗଛ ଦୁଇ ରାସ୍ତାର ଡିଭାଇଡର ମଝିରେ ପ୍ଲାଣ୍ଟେସନ କରାଯାଇଥିବା ଦର୍ଶାଇଛି। ଠିକା ସଂସ୍ଥା ଗାୟତ୍ରୀ ରାସ୍ତାକାମ ୨୦୧୩-୧୪ରେ ଆରମ୍ଭ କରି ୨୦୧୮-୧୯ରେ ଶେଷ କରିଥିବା ବେଳେ ଗଛ ଲଗା ଶେଷ ପର୍ଯ୍ୟାୟରେ କରିଛି। ଗାୟତ୍ରୀ ଠିକାସଂସ୍ଥା ରାସ୍ତା ପାର୍ଶ୍ବରେ କରିଥିବା ବନୀକରଣର ଏବେ ଚିହ୍ନବର୍ଣ୍ଣ ନାହିଁ। ଯାହାକି ସରକାରୀ ତଦନ୍ତରୁ ମଧ୍ୟ ସ୍ପଷ୍ଟ ହୋଇଛି। ଏହି ରାସ୍ତାର ନୋଡାଲ ଅଫିସର କେନ୍ଦୁଝର ଡିଏଫ୍‌ଓ ୨୦୧୭ରେ କରିଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ମାତ୍ର ୩୬୮୯ଗଛ ଥିଲା। ଏବେ ସେଗୁଡ଼ିକ ମଧ୍ୟ ନାହିଁ। କେନ୍ଦ୍ର ସରକାରଙ୍କ ବନୀକରଣ ନିୟମ ମୁତାବକ ଗଛ ଲଗାଇବା ସହିତ ୫ବର୍ଷ ରକ୍ଷଣାବେକ୍ଷଣ ବାବଦରେ ଗୋଟିଏ ଗଛ ପ୍ରତି ୧୫ଶହ ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନ ଏହି ପ୍ରକଳ୍ପରେ ବନୀକରଣ ବାବଦରେ ୧୫କୋଟି ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ କରାଯାଉଛି। ଏଭଳି ବନୀକରଣ ଦୁର୍ନୀତି ପାଇଁ ଦାୟୀ କିଏ? ଏହାର ଉଚ୍ଚସ୍ତରୀର ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚନ ହେବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର