ଜଙ୍ଗଲ ସୃଷ୍ଟି ଆଳରେ ୧୦ ହଜାର ଗଛ ଗାଏବ୍

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ମହୀପୁର ବନାଂଚଳ ଅଧୀନରେ ଥିବା ଗୁମୀ ସେକ୍ସନର ପାଲଭା ସଂରକ୍ଷିତ ଜଙ୍ଗଲରୁ ଦଶ ହଜାର ଚାରା ଗାଏବ୍ ହୋଇଯାଇଛି। ବନ ବିଭାଗ କେବଳ ଏକ ଫଳକ ମାରିଦେଇ କାମ ସାରି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଚାରା କେଉଁଠି ଲଗାଯାଇଛି ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଚାରା ଲଗାଇବା ନାଁରେ କର୍ମଚାରୀମାନେ ସବୁ ଅର୍ଥ ବାଟମାରଣା କରି ଦେଇନାହାନ୍ତି ତ! ବାସ୍ତବିକ ଚାରା ରୋପଣ କରାଯାଇଥିଲା କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଖବରରୁ ପ୍ରକାଶ, ଜଙ୍ଗଲ ସୃଷ୍ଟି କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ତତ୍ପରତା ଦେଖାଇ ଆସୁଛି। ଏଥିପାଇଁ କୋଟି କୋଟି ଟଙ୍କା ରାଜସ୍ବ ଖର୍ଚ୍ଚ ହେଉଛି। କିନ୍ତୁ ଦୁର୍ନୀତିଖୋର କର୍ମଚାରୀଙ୍କ ପାଇଁ ସବୁ ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ଚାରା ରୋପଣ କରି ଗଛକୁ ବଢାଇବା ସହିତ ଗଛର ତଦାରଖ କରିବାକୁ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। କିନ୍ତୁ ଏସବୁର ବେଶ୍ ଫାଇଦା ଉଠାଇଛନ୍ତି ବନ କର୍ମଚାରୀମାନେ। ଜଙ୍ଗଲ ସୃଷ୍ଟି କରିବା ନାଁରେ ଆସୁଥିବା ଟଙ୍କାକୁ ଚଳୁ କରିବାରେ ଲାଗିଛନ୍ତି। ଜଙ୍ଗଲରେ ରୋପଣ ପାଇଁ ଆସିଥିବା ଦଶ ହଜାର ଚାରା କୁଆଡ଼େ ଉଭାନ୍ ହୋଇଯାଇଛି। ଚଳିତ ୨୦୧୮–୧୯ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସହାୟକ ପ୍ରାକୃତିକ ପୁନର୍ଜନନ ବୃକ୍ଷରୋପଣ ପାଇଁ ଗୁମୀ ସେକ୍ସନର ପାଲଭା ଜଙ୍ଗଲକୁ ଚିହ୍ନଟ କରାଯାଇଥିଲା।

DNA India

ପଚାଶ ହେକ୍ଟର ଜଙ୍ଗଲରେ ଆକାଶିଆ, ସାଗୁଆନ୍, ଅସନ, ଅଁଳା, ନିମ୍ବ, କରଞ୍ଜ, ବାଉଁଶ, ଶିଶୁ ଗଛ ଲାଗିବାର ବ୍ୟବସ୍ଥା କରାଯାଇ ଯୋଜନା ପ୍ରସ୍ତୁତ ହେଲା। କିନ୍ତୁ ଚାରା ଲାଗିବା ତ ଦୂରର କଥା, କର୍ମଚାରୀମାନେ ଫଳକ ମାରି କାମ ସାରି ଦେଇଥିବା ଅଭିଯୋଗ ହୋଇଛି। ଏବେ ଜଙ୍ଗଲରେ ଯାହିତାହି ଭାବେ ଚାରା ରୋପଣ କରି ଦେଇ ଟଙ୍କା ସବୁ ଆତ୍ମସାତ୍ କରିଥିବା ଜଣେ ବନ କର୍ମଚାରୀ ଗୋପନୀୟ ଭାବେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏତେ ବଡ଼ ଜଙ୍ଗଲକୁ ଅଧିକାରୀଙ୍କ ଆଖି ପାଉନଥିବାରୁ ତଳତଳିଆ କର୍ମଚାରୀମାନେ ଏହାର ଫାଇଦା ନେଉଛନ୍ତି। ପୁରୁଣା ଗଛକୁ ଦେଖାଇ ଗଛ ବଂଚିଥିବାର ବାହାବା ନେଉଛି ବନ ବିଭାଗ। ଜଙ୍ଗଲ ଭିତରେ ୧୦ ହଜାର ଚାରା ରୋପଣ କରାଯାଇନଥିବା ବେଳେ, କେବଳ ଏକ ଫଳକରେ ସବୁ ସୀମିତ ରହିଥିବା ସେ କହିଛନ୍ତି। ତେବେ ଏହି ଘୋଟାଲାର ଏକ ଖୋଳତାଡ଼ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ମହୀପୁର ବନାଂଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ତା ଅନ୍ୟତ୍ର ବ୍ୟସ୍ତ ଥିବାରୁ ତାଙ୍କ ମତାମତ ନେବା ସମ୍ଭବ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର