ବାଲେଶ୍ବର/ସିମୁଳିଆ: ପରିବେଶ ଅସୁସ୍ଥ ହୋଇପଡ଼ିଲାଣି। ଫଳରେ ଜୀବଜଗତ ପାଇଁ ବିପଦ ଘନେଇଛି। ଏହାର ପ୍ରମାଣ ହେଉଛି ଶୀତଋତୁରେ ବିଶେଷ ଥଣ୍ଡା ଅନୁଭବ ନହେବା ଆଉ ବର୍ଷା ଦିନେ ଗରମ ହେବା। ଏବେ ପରିବେଶ ସୁରକ୍ଷା ବଡ଼ ଆହ୍ବାନ ହୋଇଛି। ଏଥିପାଇଁ ଆମକୁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ। ପାଶ୍ଚାତ୍ୟ ରାଷ୍ଟ୍ରରେ ଯେପରି ପରିବେଶ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି, ଆମେ ମଧ୍ୟ ସେହିପରି ଧ୍ୟାନ ଦେବା। ଆବଶ୍ୟକ ପଡ଼ିଲେ ନିୟମ ତିଆରି ସହ ତାକୁ କଡ଼ାକଡ଼ି ପାଳନ କରିବା। ଏବେ ଦେଖାଯାଉଛି ବୃକ୍ଷରୋପଣ କେବଳ ଔପଚାରିକତାରେ ସୀମିତି ରହୁଛି। ଗଜକଲମରେ ଗଛ ଲଗାଇ ସରକାରୀ ଅନୁଦାନ ଲୁଟ୍ ହେଉଛି। ସମସ୍ତେ ଏପରି ମାନସିକତାଠାରୁ ଦୂରେଇ ରହିବା ଉଚିତ ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଏହା କହିଛନ୍ତି।
ଜାମୁଝାଡ଼ି ପଞ୍ଚାୟତ ଏମ୍ଜି ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଣ୍ଡାଙ୍କ ସହ ଅତିଥି ଭାବେ ଯୋଗ ଦେଇ ବରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଧାରମଣ ପଟ୍ଟନାୟକ କହିଛନ୍ତି, ଦିନକୁ ଦିନ ପରିବେଶ ବିଗୁଡ଼ୁଛି। ଏପରି ସମୟରେ ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବା ନିହାତି ଆବଶ୍ୟକ। ଅନ୍ୟତମ ଅତିଥି ଭାବେ ସିମୁଳିଆ ଓଷ୍ଟା ସମ୍ପାଦକ ପ୍ରସନ୍ନ କୁମାର ଧଳ କହିଲେ, ସୁସ୍ଥ ପରିବେଶ ପାଇଁ ସୁସ୍ଥ ବିଚାର ଲୋଡ଼ା। ବୃକ୍ଷରୋପଣ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ ଆମେ ଗ୍ରହଣ କରିବା। ନିଜ ନିଜ ବାଡ଼ିବଗିଚାରେ ଯଥାସମ୍ଭବ ଗଛ ଲଗାଇବା। ଅନ୍ୟତମ ଅତିଥି ଜାମୁଝାଡ଼ି ସମିତି ସଭ୍ୟ ସୁଶାନ୍ତ ନାୟକ ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରି କହିଲେ, ସୁସ୍ଥ ଭାବେ ବଞ୍ଚିବା ପାଇଁ ପରିବେଶର ସୁରକ୍ଷା ଲୋଡ଼ା। ନଚେତ୍ ଏମିତି ସମୟ ଆସିବ, ଆମର ପିଲାମାନେ ଅକ୍ସିଜେନ୍ ଥଳି ଧରି ବୁଲିବେ। ସେହିପରି ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେତିକି ଉନ୍ନତି ଘଟୁଛି, ପରିବେଶ ଉପରେ ତା’ର ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ଏନେଇ ମାନସମନ୍ଥନ ହେବା ଦରକାର। କାର୍ଯ୍ୟକ୍ରମରେ ଜାମୁଝାଡ଼ି ସରପଞ୍ଚ ସନ୍ତୋଷ କୁମାର ସେଠୀଙ୍କ ସହ ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ବୁଦ୍ଧିଜୀବୀ, ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ନିଜନିଜ ଅଞ୍ଚଳରେ ଦେଖାଯାଉଥିବା ପରିବେଶଗତ ସମସ୍ୟା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ତତ୍ତ୍ବାବଧାନରେ ଏବଂ ବରିଷ୍ଠ ସହ ସମ୍ପାଦକ ରୁଦ୍ରରଞ୍ଜନ ଶେଜପଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବାଲେଶ୍ବର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସିମୁଳିଆ ବ୍ଲକ୍ ପ୍ରତିନିଧି କୃଷ୍ଣଚନ୍ଦ୍ର ଭୂୟାଁ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/25/dgdggvccv-2025-08-25-03-39-25.jpg)