କୋରାପୁଟ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ପରିବେଶ ଯେଉଁ ଅବସ୍ଥାରେ ରହିଛି ସେଥିରେ ସୁଧାର ନ ଆସିଲେ ଖୁବ୍ କମ ଦିନରେ ପୃଥିବୀ ଧ୍ବଂସ ପାଇଯିବ। ପରିବେଶର ସୁରକ୍ଷା ଲାଗି ଗାଁ ଗହଳିରେ ବ୍ୟାପକ ସଚେତନତା କରିବାକୁ ପଡ଼ିବ। ପ୍ରତି ୱାର୍ଡ ଏବଂ ପଞ୍ଚାୟତକୁ ୟୁନିଟ୍ ଭାବେ ନେଇ ବୃକ୍ଷରୋପଣକୁ ବ୍ୟାପକ କରାଯିବ। ‘ସମ୍ବାଦ’ ପକ୍ଷରୁ କୋରାପୁଟ କୋଟସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଧାୟକ ରଘୁରାମ ମାଛ।
ବିଧାୟକ କହିଥିଲେ, ଦିନେ କୋରାପୁଟରେ ୮୦ ପ୍ରତିଶତ ଜଙ୍ଗଲ ରହିଥିଲା। ଜଙ୍ଗଲର କନ୍ଦା ଖାଇଲେ ରୋଗର ନିରାକରଣ ହେଉଥିଲା। ବନୀକରଣ ନାମରେ ନୀଳଗିରି ଗଛ ନ ଲଗାଇ ଫଳନ୍ତି ବୃକ୍ଷ ଲଗାଇବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବିଧାୟକ। ମୁଖ୍ୟବକ୍ତା ଭାବେ ଯୋଗଦେଇ କୋଟସ୍ର ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଙ୍ଗଲର ପରିମାଣ ୨୦ ରୁ ୩୦ ପ୍ରତିଶତ କମିଛି। ଆମର ପ୍ରଥମ କର୍ତ୍ତବ୍ୟ ଜଙ୍ଗଲକୁ କିପରି ଭାବେ ସୁରକ୍ଷା ଦେବା। ରସାୟନିକ ସାର ଓ ଔଷଧ ବ୍ୟବହାର ଦ୍ବାରା ପରିବେଶ ନଷ୍ଟ ହେଉଛି। ଏହାର ବ୍ୟବହାର ବନ୍ଦ ନ ହେବା ପର୍ଯ୍ୟନ୍ତ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବୀ ଅଜିତ ପାତ୍ର କହିଲେ, ଏବେ ପୃଥିବୀ ଉତ୍ତପ୍ତ ହୋଇ ରହୁଛି। ପୂର୍ବେ ଜଙ୍ଗଲରେ ୧ଲକ୍ଷ ପ୍ରଜାତିର ଜୀବଜନ୍ତୁ ରହୁଥିଲେ। ଏବେ ବହୁ ପଶୁ, ପକ୍ଷୀ ଓ କୀଟ ପତଙ୍ଗ ଲୋପ ପାଇଲେଣି। ପରିବେଶବିତ୍ ପ୍ରଦୀପ କୁମାର ମିଶ୍ର କହିଥିଲେ, ପରିବେଶ ପରିବର୍ତ୍ତନକୁ ରୋକିବା ପାଇଁ ପଞ୍ଚାୟତସ୍ତରରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ସମସ୍ତେ ମିଳିମିଶି ଗ୍ରାମ୍ୟ ଜଙ୍ଗଲରେ ବ୍ୟାପକ ବୃକ୍ଷରୋପଣ ସହ ତାହାର ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ। ‘ସମ୍ବାଦ’ ର ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ପାଢ଼ୀ, କନକ ଟିଭି ପ୍ରତିନିଧି ସୌମ୍ୟରଂଜନ ସାହୁ ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/06/dgjdgjgj-2025-08-06-00-28-54.jpg)