୨୭ ହଜାର ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର

୭ ବନଖଣ୍ଡର ୪୪୦୦ ହେକ୍ଟର ଔଷଧୀୟ ବୃକ୍ଷ ପାଇଁ ସଂରକ୍ଷିତ
୨୦୧୯-୨୦ରେ ୬୮ ହଜାର ୩୫୮ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ

ଭୁବନେଶ୍ୱର : ‘ଆମ ଜଙ୍ଗଲ’ ଯୋଜନାରେ ୭ ହଜାର ବନ ସୁରକ୍ଷା ସମିତିଙ୍କୁ ପର୍ଯ୍ୟାୟକ୍ରମେ ସାମିଲ କରି ୩.୫୦ ଲକ୍ଷ ହେକ୍ଟର ପରିମିତ ଜଙ୍ଗଲର ବନୀକରଣ ଓ ପୁନଃସୃଜନ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ଲକ୍ଷ୍ୟ ରଖିଛି। କେବଳ ସେତିକି ନୁହେଁ, ୭ଟି ବନଖଣ୍ଡ ଅଧୀନସ୍ଥ ୪ ହଜାର ୪୦୦ ହେକ୍ଟର ଅଞ୍ଚଳକୁ ଔଷଧୀୟ ବୃକ୍ଷ ସଂରକ୍ଷଣ ପାଇଁ ରଖାଯାଇଛି। ସେଠାରେ ୪୧ ପ୍ରଜାତିର ଦୁର୍ଲ୍ଲଭ ଓ ସଂକଟାପନ୍ନ ଔଷଧୀୟ ବୃକ୍ଷର ବିକାଶ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ଥାନୀୟ ଅଧିବାସୀଙ୍କ ପାଇଁ ବିକଳ୍ପ ତଥା ନୂତନ ଜୀବନ ଜୀବିକା ନିର୍ବାହ ପନ୍ଥାର ସୁଯୋଗ ସୃଷ୍ଟି କରି ୨୦୧୯-୨୦ ଆର୍ଥିକ ବର୍ଷରେ ୨୭ ହଜାର ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ହୋଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ୭ ହଜାର ୫୩୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇଥିଲା।

ରାଜ୍ୟରେ ପ୍ରବାହିତ ନଦୀର ଚିରସ୍ରୋତା ଗୁଣକୁ ଅକ୍ଷୁଣ୍ଣ ରଖିବା ପାଇଁ ୨୦୧୮-୧୯ରୁ ‘ସବୁଜ ମହାନଦୀ ମିସନ’ ଯୋଜନାରେ ମହାନଦୀ, ତେଲ, ଇବ୍‌, ଋଷିକୁଲ୍ୟା, ବ୍ରାହ୍ମଣୀ, ବୈତରଣୀ, ବଂଶଧାରା ନଦୀ ଓ ଏହାର ଉପନଦୀ ଅବବାହିକାରେ ସବୁଜିମାମୟ ପରିବେଶ ସୃଷ୍ଟି ନିମିତ୍ତ ପ୍ରତିବର୍ଷ ବନୀକରଣ କରାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ବନୀକରଣ ଯୋଜନାରେ ପ୍ରାୟ ୨.୩୫ ଲକ୍ଷ ହେକ୍ଟର ପରିମିତ ଉଜୁଡ଼ା ଜଙ୍ଗଲ ଜମିର ପୁନଃସୃଜନ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୬୮ ହଜାର ୩୫୮ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ ହୋଇଛି। ଏଥିସହ ୩ ହଜାର ୫୫୮ କିମି ପଥପାର୍ଶ୍ବ ବନୀକରଣ କରାଯାଇଛି। ଏହି ବନୀକରଣ ପ୍ରକ୍ରିୟାରେ ୩ କୋଟି ୩୯ ଲକ୍ଷ ବୃକ୍ଷ ଚାରା ଲଗାଯାଇଛି। ୨ କୋଟି ୧୨ ଲକ୍ଷ ବୃକ୍ଷ ଚାରା ବୃକ୍ଷପ୍ରେମୀ, ଜନସାଧାରଣ, ଅନୁଷ୍ଠାନ, ବିଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। କେବଳ ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୭୫ ହଜାର ଚାରା ବିତରଣ ହୋଇଛି।

Twitter

ଏହାବ୍ୟତୀତ ଔଷଧୀୟ ବୃକ୍ଷ ସମ୍ପର୍କରେ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପାତ୍ରପଡ଼ାଠାରେ ୩୧୧ ପ୍ରଜାତିର ଔଷଧୀୟ ବୃକ୍ଷର ପ୍ରଦର୍ଶନ କେନ୍ଦ୍ର ଖୋଲାଯାଇଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ସହ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକାରେ ବିକାଶ ନିମନ୍ତେ ଜାପାନ ଅନ୍ତର୍ଜାତୀୟ ସଂସ୍ଥା(ଜିକା)ର ଆର୍ଥିକ ସହାୟତାରେ ଆରମ୍ଭ ହୋଇଥିବା ପ୍ରକଳ୍ପ ମାଧ୍ୟମରେ ୫୭ ହଜାର ହେକ୍ଟର ପରିମିତ ଜଙ୍ଗଲ ଜମିରେ ବନ ସୁରକ୍ଷା ସମିତିଙ୍କୁ ସାମିଲ କରାଯାଇ ବନୀକରଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଗତ ଆର୍ଥିକ ବର୍ଷରେ ୨୫ ହଜାର ୫୭୨ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ ଓ ପୁନର୍ଜନ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି। ରାଜ୍ୟ କ୍ଷତିପୂରକ ବନୀକରଣ ପାଣ୍ଠି(କାମ୍ପା) ଅନ୍ତର୍ଭୁକ୍ତ କାର୍ଯ୍ୟକାରୀ ଯୋଜନାରେ ୨୦୧୯-୨୦ରେ ୮ ଲକ୍ଷ ୧୬ ହଜାର ହେକ୍ଟର ଉଜୁଡ଼ା ବାଉଁଶ ଜଙ୍ଗଲ ଓ ୩ ଲକ୍ଷ ୨୩ ହଜାର ହେକ୍ଟର ପ୍ରାକୃତିକ ଜଙ୍ଗଲର ପୁନଃସୃଜନ କରାଯାଇଛି। ରାଜ୍ୟର ୫ ହଜାରରୁ ଅଧିକ ନର୍ସରି ମାଲିକଙ୍କ ମୋବାଇଲ ନମ୍ବର ଜଙ୍ଗଲ ବିଭାଗର ୱେବ୍‌ସାଇଟରେ ଉପଲବ୍ଧ କରାଯାଇଛି। ଚଳିତବର୍ଷ ବ୍ୟାପକ ଚାରାରୋପଣ ସହିତ ତାକୁ ସୁରକ୍ଷା ଦେଇ ରାଜ୍ୟରେ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ପିସିସିଏଫ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର