ସଂସ୍କୃତି ପ୍ରେମୀ ବାସୁଦେବ ପଟ୍ଟନାୟକଙ୍କ ସ୍ମୃତିରେ ପୁନଶ୍ଚ ପୃଥିବୀ ପକ୍ଷରୁ ବୃକ୍ଷରୋପଣ

ସମାଜରେ ଭଲ ଲୋକଙ୍କ ସଂଖ୍ୟା ଅଧିକ: ସୌମ୍ୟରଂଜନ

ବୋଲଗଡ଼ : ସମାଜରେ ଭଲ ଲୋକଙ୍କ ସଂଖ୍ୟା ଅଧିକ ରହିଛି। ସେଥିପାଇଁ ଆଜି ସମାଜ ତିଷ୍ଠି ରହିଛି। ସେହିପରି ଜଣେ ଭଲଲୋକ ଥିଲେ ବାସୁଦେବ ପଟ୍ଟନାୟକ। ସେ ବୋଲଗଡ଼ର ପ୍ରକୃତ ପ୍ରତିନିଧି ଭାବେ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉଠାଉଥିଲେ। ନନ୍ଦିଘୋଷ ଅନୁଷ୍ଠାନ ସ୍ବର୍ଗତ ପଟ୍ଟନାୟକଙ୍କ ପାଖରେ ଋଣୀ ରହିବ। ବୈଦ୍ୟନାଥ ମିଶ୍ର ଏହାର ପ୍ରତିଷ୍ଠାତା ଥିଲେ ମଧ୍ୟ ନନ୍ଦିଘୋଷ ଆଜି ଯେଉଁପରି ଭାବେ ନିଜ ଅସ୍ତିତ୍ବ ଜାହିର କରିଛି, ସେଥିପାଇଁ ବାସୁଦେବ ପଟ୍ଟନାୟକଙ୍କ ଅବଦାନକୁ ସ୍ବୀକାର କରିବାକୁ ପଡ଼ିବ। ବୋଲଗଡ଼ ସହ ଗାନ୍ଧୀଜୀଙ୍କୁ ଯୋଡ଼ି ଯେପରି ଦେଖାଯାଏ, ନନ୍ଦିଘୋଷ ସହିତ ସ୍ବର୍ଗତ ପଟ୍ଟନାୟକଙ୍କୁ ଯୋଡ଼ି ଆଗାମୀ ପିଢ଼ି ଦେଖିବେ ବୋଲି ନନ୍ଦିଘୋଷ ଅନୁଷ୍ଠାନର ସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ସଂସ୍କୃତି ପ୍ରେମୀ, ସଙ୍ଗଠକ, ସମାଜସେବୀ ବାସୁଦେବ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅନୁଷ୍ଠିତ ସ୍ମୃତିସଭାରେ ଶ୍ରୀ ପଟ୍ଟନାୟକ କହିଥିଲେ, ଅଧିକ ଯୁବକଙ୍କୁ ନନ୍ଦିଘୋଷ ଅନୁଷ୍ଠାନର ସଦସ୍ୟ ଭାବେ ଗ୍ରହଣ କରାଯିବ। ପ୍ରତିବର୍ଷ ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ।

ସଭାରେ କଟକ ସାଂସଦ ଶ୍ରୀ ଭତ୍ତୃହରୀ ମହତାବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାସୁଦେବ ପଟ୍ଟନାୟକଙ୍କ ସୃତିଚାରଣ କରିବା ସହ ନନ୍ଦିଘୋଷ ଅନୁଷ୍ଠାନ ମାଧ୍ୟମରେ ବୋଲଗଡ଼ର ସାମଗ୍ରିକ ଉନ୍ନତି ପାଇଁ ସ୍ବର୍ଗତ ପଟ୍ଟନାୟକ ଉଦ୍ୟମ କରିଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ କଂଗ୍ରେସ ସେବାଦଳର ମୁଖ୍ୟ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପୂଜ୍ୟପୂଜା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଏଥିରେ ଯୁବକମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ। ସ୍ବର୍ଗତ ବାସୁଦେବଙ୍କ ପୁତ୍ର ଅମିତାଭ ପଟ୍ଟନାୟକ ପିତାଙ୍କ ସ୍ମୃତିଚାରଣ କରି କହିଥିଲେ, ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ଶୁଭେଚ୍ଛା ଦେଖି ମୁଁ ଜାଣିପାରିଥିଲି ବୋଲଗଡ଼ର ବିକାଶ ପାଇଁ ସେ କାହିଁକି ବିଭିନ୍ନ ଲୋକଙ୍କ ସହ ମିଶି କାର୍ଯ୍ୟ କରୁଥିଲେ।

କାର୍ଯ୍ୟକ୍ରମରେ ନନ୍ଦିଘୋଷ ପକ୍ଷରୁ ସଞ୍ଜୟ କୁମାର ସୁବୁଦ୍ଧି ସ୍ୱାଗତ ଦେଇଥିବା ବେଳେ ଉପସଭାପତି ହରିବନ୍ଧୁ ସାହୁ ଅତିଥି ପରିଚୟ ଦେଇଥିଲେ। ସାଧାରଣ ସମ୍ପାଦକ ଗୁଣନିଧି ହୋତା, ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ା, ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ସନାତନ ପାଟଶାଣୀ ଉପସ୍ଥିତ ଥିଲେ। ଏହି ଅବସରରେ ବୋଲଗଡ଼ସ୍ଥିତ ସହିଦ ସ୍ମୃତି ସ୍ମାରକୀ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ପୁନଶ୍ଚ ପୃଥିବୀ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା।

ସମ୍ବନ୍ଧିତ ଖବର