ଭୁବନେଶ୍ବର: ଆସନ୍ତା ଜୁନ ୫ ତାରିଖ ‘ବିଶ୍ବ ପରିବେଶ ଦିବସ’ ଠାରୁ ସମ୍ବାଦ ସାହିତ୍ୟଘର ତରଫରୁ ଚଳିତ ବର୍ଷର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଗତବର୍ଷମାନଙ୍କ ଭଳି ଏବର୍ଷ ମଧ୍ୟ ସମ୍ବାଦ ସାହିତ୍ୟଘରର ସଦସ୍ୟ, ଉଦ୍ୟୋକ୍ତା, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ପ‌ରିବେଶକୁ ଭଲପାଉଥିବା ବ୍ୟକ୍ତି ଓ ଶୁଭେଚ୍ଛୁମାନଙ୍କୁ ନେଇ ଏହି ଅଭିଯାନ ଆରମ୍ଭ ହେବ। ଆସନ୍ତା ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସରେ ଏହା ଉଦ୍‌ଯାପିତ ହେବ । ନିଜର ସୁବିଧା, ତଥା ସ୍ଥାନୀୟ ଆବଶ୍ୟକତାକୁ ଆଖିରେ ରଖି ସ୍ଥାନ ଚୟନ କରି ବ୍ୟବସ୍ଥିତ ଭାବରେ ଅଧିକ ଚାରାରୋପଣ କରିବା ପାଇଁ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ଼. ଶୁଭଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୭୦ଟି ସାହିତ୍ୟଘରର ସଦସ୍ୟମାନେ ବିଗତ ୨୦୧୯ ମସିହାଠାରୁ ୨୦୨୪ ମସିହା ମଧ୍ୟରେ ପାଖାପାଖି  ୫ ଲକ୍ଷ ୬୫ ହଜାର ଚାରା ରୋପଣ କରିସାରିଲେଣି। ପ୍ରତ୍ୟେକ ସାହିତ୍ୟଘର ଶାଖାର ଉଦ୍ୟୋକ୍ତା ବନ୍ଧୁମାନେ ନିଜ ଅଞ୍ଚଳର ବନଖଣ୍ଡ ଅଧିକାରୀଙ୍କ ସହାୟତା କିମ୍ବା ନିଜସ୍ବ ପ୍ରଚେଷ୍ଟାରେ ଚାରା ସଂଗ୍ରହ କରି ଏ କାର୍ଯ୍ୟକ୍ରମକୁ ଆଗେଇ ନେବେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କରିବା ସହିତ ପୂର୍ବବର୍ଷମାନଙ୍କରେ ରୋପଣ ହୋଇଥିବା ବୃକ୍ଷଗୁଡ଼ିକର ଯତ୍ନ ନେବା ପାଇଁ ଆଭାସୀ ବୈଠକ ମାଧ୍ୟମରେ ସାହିତ୍ୟ ଘରର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।