ନବରଙ୍ଗପୁର: ଗଛ କହୁଛି କୋଭିଡ୍ ମୃତ୍ୟୁର ପ୍ରକୃତ ସଂଖ୍ୟା

୯୩ ସଂକ୍ରମିତ ଓ ସନ୍ଦିଗ୍ଧଙ୍କ ଶେଷକୃତ୍ୟ ହୋଇଛି
ସରକାରୀ ରେକର୍ଡରେ ମୃତ୍ୟୁ ସଂଖ୍ୟା ମାତ୍ର ୪୩
ମୃତ୍ୟୁ ସଂଖ୍ୟା ସଂପର୍କିତ ତଥ୍ୟରେ ତାଳମେଳ ନାହିଁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ଜନିତ ବାସ୍ତବ ମୃତ୍ୟୁ ସଂଖ୍ୟା କେତେ? ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ରୋତରୁ ମିଳୁଥିବା ତଥ୍ୟରେ ତାଳମେଳ ରହୁ ନଥିବାରୁ ଏମିତି ପ୍ରଶ୍ନ ଉଠିଛି। କାରଣ ସରକାରଙ୍କ କୋଭିଡ୍ ଡେସ୍‌ବୋର୍ଡ ଏବଂ ଶ୍ମଶାନରେ ଶେଷକୃତ୍ୟ ନେଇ ପ୍ରସ୍ତୁତ ରିପୋର୍ଟ ଆଦୌ ମେଳ ଖେଉନାହିଁ। ଏହାପରେ ପ୍ରଶାସନ କୋଭିଡ୍ ମୃତକଙ୍କ ଉଦ୍ଦେଶ୍ୟରେ ଯେତିକି ଗଛ ଲଗାଇଛି ତାହା ବି ଦ୍ବନ୍ଦ୍ବକୁ ବଢ଼ାଇ ଦେଉଛି।

ନବରଙ୍ଗପୁର ଜିଲ୍ଲାରେ ମୋଟ ୪୩ଜଣ କୋଭିଡ୍ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ୍‌ ଡାସ୍‌ବୋର୍ଡରେ ଏହି ତଥ୍ୟ ଉପଲବ୍ଧ ହୋଇଛି। କିନ୍ତୁ ଗତବର୍ଷର ପ୍ରଥମ ଲହର ଏବଂ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଜିଲ୍ଲାରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ହୋଇଥିବା ଶେଷକୃତ୍ୟ ସଂଖ୍ୟା ସଂପୂର୍ଣ୍ଣ ଭିନ୍ନ। ଗତ ୧୪ମାସ ମଧ୍ୟରେ ପ୍ରଶାସନ ପକ୍ଷରୁ ପୌରପାଳିକା ଦ୍ବାରା ମୋଟ ୯୩ଜଣଙ୍କ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଶେଷକୃତ୍ୟ କରାଯାଇଛି। ସେଥିରୁ କେବଳ ନବରଙ୍ଗପୁର ସହରରେ ୮୬ଜଣଙ୍କ ଶେଷକୃତ୍ୟ ହୋଇଥିବା ବେଳେ ଉମରକୋଟରେ ୭ଜଣଙ୍କର ହୋଇଥିବା ସୂଚନା ମିଳିଛି। ନବରଙ୍ଗପୁର ସହର ସ୍ଥିତ ଶ୍ମଶାନରେ ଗତବର୍ଷ ୨୨ ଜଣଙ୍କ ସଂସ୍କାର କରାଯାଇଥିବା ବେଳେ ଚଳିତ ବର୍ଷ ୪୯ ଜଣଙ୍କ ଶବଦାହ କରାଯାଇ ସାରିଲାଣି। ୧୫ ଜଣଙ୍କ ଶବ ପୋତା ଯାଇଥିଲା ଜଣାପଡ଼ିଛି। ସେହିପରି ଉମରକୋଟ ସହରରେ ଗତବର୍ଷ ଏବଂ ଚଳିତ ବର୍ଷ ମୋଟ ୭ଜଣଙ୍କ ସଂସ୍କାର କରାଯାଇଛି। ଏଭଳି ଭିନ୍ନ ଭିନ୍ନ ସଂଖ୍ୟାକୁ ନେଇ ପ୍ରଶ୍ନ କରାଗଲେ ‌କୋଭିଡ୍ ସଂକ୍ରମିତ ଏବଂ ଲକ୍ଷଣ ଥିବା ସନ୍ଦିଗ୍ଧଙ୍କ ଶବ ପୌରପାଳିକା ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶେଷକୃତ୍ୟ କରାଯାଇଥିବା ସଫେଇ ଦିଆଯାଉଛି।

shutterstock.com

ଅନ୍ୟପଟେ ଗତ ୫ତାରିଖ ଦିନ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ପୁଣି ନୂଆ ତଥ୍ୟ ମିଳିଥିଲା। ପ୍ରଶାସନ ପକ୍ଷରୁ ଏହିଦିନ ବିଶ୍ବ ପରିବେଶ ଦିବସ ପାଳନ କରି କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଇଥିଲା। ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ଓ ଡିଏଫଓ ମଗର ଧନଜି ରାଓସ ମୋଟ ୧୧୪ଟି ଆମ୍ବ ଚାରା ଲଗାଇଥିଲେ। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଶାଖା କେନ୍ଦ୍ରର ଆନନ୍ଦ ସରୋବର ପରିସରରେ ଏହି ଗଛ ଗୁଡ଼ିକ ଲାଗିଛି। ପ୍ରତି କୋଭିଡ୍ ମୃତକଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ଚାରା ଲାଗିଥିବା ସେହିଦିନ ପ୍ରଶାସନ ଘୋଷଣା କରିଥିଲା। ଏହାରି ମଧ୍ୟରେ ଜିଲ୍ଲା ବାହାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଜୟପୁର, କୋରାପୁଟ, ବ୍ରହ୍ମପୁର ଓ ଭୁବନେଶ୍ବରକୁ ଅନେକ ସଂକ୍ରମିତ ଚିକିତ୍ସା ପାଇଁ ନବରଙ୍ଗପୁର କୋଭିଡ଼୍ ହସ୍‌ପିଟାଲରୁ ରେଫର ହୋଇଛନ୍ତି। ସେଥିରୁ କିଛି ଜଣ ସୁସ୍ଥ ହୋଇ ଫେରିଥିବା ବେଳେ କିଛି ଜଣଙ୍କର ମୃତ୍ୟୁ ହୋଇଛି। ସେହି ମୃତକଙ୍କ ଶେଷକୃତ୍ୟ ବି ଜିଲ୍ଲା ବାହାରେ ହୋଇଛି। ଏହାବ୍ୟତୀତ ବିଶାଖାପାଟଣା ଏବଂ ଛତିଶଗଡ଼କୁ ନିଜସ୍ବ ଖର୍ଚ୍ଚରେ ଅନେକ ଜଣ ଚିକିତ୍ସା ପାଇଁ ଯାଇଛନ୍ତି। ସେଠାରେ ବି କିଛି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି। ଏହି ସବୁ ସଂଖ୍ୟାକୁ ମିଶାଇଲେ ମୋଟ ମୃତକଙ୍କ ସଂଖ୍ୟା ଢେର ଅଧିକ ହେବ। ଏଭଳି ଭିନ୍ନ ଭିନ୍ନ ତଥ୍ୟକୁ ନେଇ ସାଧାରଣରେ ସଂଶୟ ଲାଗି ରହିଥିବା ବେଳେ ପ୍ରକୃତ ସଂଖ୍ୟା କିନ୍ତୁ କେହି ସ୍ପଷ୍ଟ ରୂପେ କହିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର