ଓଡ଼ିଶାରେ ପ୍ରଥମ! : ପର୍ଯ୍ୟଟକଙ୍କ ପାଇଁ ‘ଟ୍ରି ଟପ୍‌ ହାଉସ୍‌’

ଭୁବନେଶ୍ୱର : ଗଛ ଉପରେ ରାତି କାଟିବେ। ରହିବା, ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ। ସବୁ କିଛି ଗଛ ଉପରେ ହେଉଥିବ। ଗଛ ତଳକୁ ଆସିବାକୁ ପଡ଼ିବ ହିଁ ନାହିଁ। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜୀବଜନ୍ତୁଙ୍କ କଳରବରେ ରାତି କାଟୁଥିବେ। ଏହା କୌଣସି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ପର୍ଯ୍ୟଟନର ଚିତ୍ର ନୁହେଁ। ଓଡ଼ିଶାରେ ସୃଷ୍ଟି ହୋଇଛି ଏଭଳି ଏକ ମନୋରମ ପରିବେଶ। ପର୍ଯ୍ୟଟକଙ୍କୁ ପ୍ରକୃତି ସହ ଯୋଡ଼ିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଘୁମୁସର ଉତ୍ତର ଡିଭିଜନ୍‌ରେ ‘ଟ୍ରି ଟପ୍‌ ହାଉସ୍‌’ର ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ଗଛରେ ରାତି କାଟିବା ସହ ଜଙ୍ଗଲର ମଜା ଉଠାଇପାରିବେ।

ଭଞ୍ଜନଗରର ଘୁମୁସର ଉତ୍ତର ଡିଭିଜନ୍‌ର କାଳିଆମ୍ବାଠାରେ ଏଭଳି ‘ଟ୍ରି ଟପ୍‌ ହାଉସ୍‌’ ବ୍ୟବସ୍ଥା କରାଯାଇଛି। ବରଗଛ ଉପରେ କାଠରେ ଘର ତିଆରି ହୋଇଛି। ଯେଉଁଠାରେ ଦୁଇଟି ରୁମ୍‌ ରହିଛି। ପର୍ଯ୍ୟଟକମାନେ ସେଠାରେ ରହିବା ସହ ରାତିର ମଜା ନେଇପାରିବେ। ଏଥିପାଇଁ ମାତ୍ର ୩୫୦୦ ଟଙ୍କା ସହ ଟ୍ୟାକ୍ସ ଫି’ ଦେବାକୁ ପଡ଼ିବ। ଇକୋ-ଟୁର୍‌ ମାଧ୍ୟମରେ ପର୍ଯ୍ୟଟକମାନେ ଏହାର ବୁକିଂ କରିପାରିବେ। ପର୍ଯ୍ୟଟକଙ୍କୁ ଖାଇବାକୁ ବି ଦିଆଯିବ। ପ୍ରଥମ ଥର ପାଇଁ ଓଡ଼ିଶାରେ ପର୍ଯ୍ୟଟକଙ୍କ ଲାଗି ଏଭଳି ସୁବିଧା କରାଯାଇଥିବା କୁହାଯାଉଛି। ପୂର୍ବରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏଭଳି ପର୍ଯ୍ୟଟନ ସୁବିଧା ଉପଲବ୍ଧ ହେଉଛି।

ଭଞ୍ଜନଗର ଡ୍ୟାମ୍‌ ନିକଟରେ ପରିବେଶ ପର୍ଯ୍ୟଟନର ବିକାଶ ହୋଇଛି। ରୁସେଲକୁଣ୍ଡା ଡ୍ୟାମ୍‌ ନିକଟରେ ଥିବା ଏକ ଖାଲୁଆ ସ୍ଥାନକୁ ପୂରଣ କରାଯାଇ ସେଠାରେ ଏକ ପାର୍କ ପ୍ରତିଷ୍ଠା ହୋଇଛି। ଟିମ୍ବର ହାଉସ୍‌ ସହ ଗୋଟିଏ ଟିମ୍ବର କଟେଜ୍‌ ଓ ୩ଟି ଏସି ଟେଣ୍ଡ ହାଉସ୍‌ ପ୍ରତିଷ୍ଠା କରାଯାଇଛି। ଡ୍ୟାମ୍‌ ଚାରିପାଖ ପାହାଡ଼ ସାଙ୍ଗକୁ ବ୍ଲାକ ବ୍ଲକ ଏଠାକାର ପ୍ରମୁଖ ଆକର୍ଷଣ। ରାତିରେ ନିଆଁ ଜାଳି ବସିବାର ମଜା ମଧ୍ୟ ଉଠାଇପାରିବେ ପର୍ଯ୍ୟଟକ। ନେଚର କ୍ୟାମ୍ପର ସୁବିଧା ଉପଲବ୍ଧ କରାଯାଇଛି। ସାଇକେଲିଂ, ଟ୍ରେକିଂ, ବୋଟିଂ, ଫିସିଂ, ବାର୍ଡ ଓ୍ଵାଚିଂ କରିବାର ସୁବିଧା ହୋଇଛି। ପିଲାମାନଙ୍କ ଖେଳିବା ପାଇଁ ପାର୍କ କରାଯାଇଛି। ସେହିପରି ସାଳୁଆପଲ୍ଲିଠାରେ ଟେଣ୍ଡ ହାଉସ୍‌ ବ୍ୟବସ୍ଥା ହୋଇଛି। ଦୁଇଟି କଟେଜ୍‌ ସହ ୩ଟି ଏସି ଟେଣ୍ଡ ହାଉସ୍‌ କରାଯାଇଛି। ଏଠାରେ ରହିବା ପାଇଁ ପର୍ଯ୍ୟଟକମାନେ ଇକୋ-ଟୁର େଓ୍ଵବସାଇଟ୍‌ ମାଧ୍ୟମରେ ବୁକିଂ କରିପାରିବେ।

ଭଞ୍ଜନଗରର ଘୁମୁସର ଉତ୍ତର ଡିଭିଜନର ଡିଏଫ୍‌ଓ ରାମସ୍ୱାମୀଙ୍କ କହିବାନୁଯାୟୀ ପର୍ଯ୍ୟଟକଙ୍କୁ ପ୍ରକୃତି ସହ ଯୋଡ଼ିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଗୋଟିଏ ଦିନରେ ପର୍ଯ୍ୟଟକଙ୍କ ରହିବା, ଖାଇବା, ଶୋଇବା ପାଇଁ ବ୍ୟବସ୍ଥା କରାଯିବ। ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା କର୍ମୀ ରହିଛନ୍ତି। ଡାକ୍ତରୀ ସୁବିଧା ବି ହୋଇଛି। ଟ୍ରାକିଂ ସୁବିଧା ରହିଛି। ଡଙ୍ଗାରେ ବୋଟିଂ କରିପାରିବେ ପର୍ଯ୍ୟଟକ। ନିକଟରେ ଥିବା କଳିଙ୍ଗ ଘାଟ, ବିଶାଳ ଶିବ ମନ୍ଦିର ବୁଲିପାରିବେ। ଜଙ୍ଗଲ ଭିତରେ ସାଇକେଲ୍‌ ଚଳାଇବା ସୁବିଧା ବି ଉପଲବ୍ଧ ହେବ। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର