ରାମଚନ୍ଦ୍ରପୁର : ଝଡ଼ତୋଫାନରେ ଗଛ ଉପୁଡ଼ିଲା

ରାମଚନ୍ଦ୍ରପୁର : ଗୁରୁବାର  ଅପରାହ୍ଣରେ ହଠାତ୍ ଝଡ଼ତୋଫାନ ହେବାରୁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଘରର ଛପର ଉଡ଼ିଯାଇଥିବା ବେଳେ ବଡ଼ବଡ଼ ଗଛ ଅନେକ ସ୍ଥାନରେ ଉପୁଡ଼ି ପଡ଼ିଛି। ବହୁ ଘର ଛପରଶୂନ୍ୟ ହୋଇପଡ଼ିଛି। ବିଦ୍ୟୁତ୍ ଖୁଣ୍ଟ ଧରାଶାୟୀ ହେବା କାରଣରୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ଣ ସମୟରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଆସିବା ସହିତ ପ୍ରବଳ ବେଗରେ ପବନ ବହିଥିଲା। କେତେକ ସ୍ଥାନରେ କୁଆପଥର ମାଡ଼ ବି ହୋଇଥିବା ସୂଚନା ମିଳିଛି। ପ୍ରବଳ ଝଡ଼ତୋଫାନରେ ଘସିପୁରା ବ୍ଲକ ଅନ୍ତର୍ଗତ ବାତୋ, ଶାଳଦେଇ, ତରୁଆଁ ପଞ୍ଚାୟତର ଶଂକରପୁର, ବେଲଦା, ବ୍ରାହ୍ମଣଦା, ନପଙ୍ଗା, ବାଲିବରୁଆଁ, କଇଥପାଟଣା, ଓଡପଡା, ଶାଳଦେଇ, ତରୁଆଁ, ସାଇଁପାଳ, ଅଳିଗାଁ, ଚଣ୍ତାଳୀ, ମହୁରୀ, କେନ୍ଦୁଖୁଣ୍ଟା ପ୍ରଭୃତି ଗ୍ରାମ ପ୍ରଭାବିତ ହୋଇଛି। ଏଥିରେ ଅନେକ ଘରର ଚାଳଛପର ଉଡ଼ିଯାଇଥିବା ବେଳେ ବଡ଼ବଡ଼ ଗଛ ଉପୁଡି ପଡ଼ିଛି। ବାଲିବରୁଆଁ ପଶୁ ଚିକିତ୍ସାଳୟର ଆଜବେସଷ୍ଟସ ଉଡ଼ିଯାଇଛି। ସାଇଁପାଳ ଗ୍ରାମର ରମେଶ ସ୍ବାଇଁଙ୍କ ଆଜବେସଷ୍ଟସ ଘର ଉପରେ ଏକ ବଡ଼ ଗଛ ଉପୁଡ଼ି ପଡିବାରୁ ଘରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନପଙ୍ଗା ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ି ଗୋଲ ଦଳେଇଙ୍କ ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୁ ଗଛ ହଟି ନାହିଁ କି ପ୍ରଶାସନିକ ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ପାରି ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର