ହେଲିପ୍ୟାଡ୍‌ ପାଇଁ ବନୀକରଣ ସଫା ଘଟଣା : କିଏ ସତ କହୁଛି?

ବନ ବିଭାଗ ଓ ରେଳବାଇର ତଦନ୍ତ, ୧୨୦୦ ଗଛ କଟିଛି: ଡିଏଫ୍‌ଓ; ପିଡବ୍ଲୁଡି ହେଲିପ୍ୟାଡ୍‌ ନିର୍ମାଣ କରୁଛି: ରେଳବାଇ; ଫିଲିଂ କରି ସାରି ଆମକୁ ପଡ଼ିଆ ଦେଲେ: ପିଡବ୍ଲୁଡି

ବଲାଙ୍ଗୀର : ହେଲିପ୍ୟାଡ୍‌ ନିର୍ମାଣ ପାଇଁ ସହରୀ ବନୀକରଣ ଯୋଜନାରେ ଲଗାଯାଇଥିବା ଗଛକୁ କାଟି ସଫା କରି ଦିଆ ଯାଇଥିବା ଅଭିଯୋଗ ଉପରେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ରେଳବାଇ ମଧ୍ୟ ଘଟଣା ଉପରେ ନିଜଆଡ଼ୁ ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତ ପରେ ହଜାରେରୁ ଅଧିକ ଗଛ କଟିଥିବା ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ କହିଛନ୍ତି। ବନ ବିଭାଗକୁ ନ ଜଣାଇ ଗଛ କାଟିବାକୁ କିଏ ଅନୁମତି ଦେଲା ବୋଲି ତନାଘନା ଚାଲିଛି। ସେପଟେ ରାଜ୍ୟ ସରକାରଙ୍କ ପିଡବ୍ଲୁଡି ବିଭାଗ ହେଲିପ୍ୟାଡ୍ ନିର୍ମାଣ କରୁଥିବା ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ଜେ. ପି. ମିଶ୍ର କହିଛନ୍ତି। କିନ୍ତୁ ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ଦାଶ କହିଛନ୍ତି ରେଳବାଇ ମାଟି ଫିଲିଂ କରିସାରିବା ପରେ ସେମାନଙ୍କୁ ହେଲିପ୍ୟାଡ ନିର୍ମାଣ ଦାୟିତ୍ବ ଦେଇଛି। ମୋଟାମୋଟି ଭାବେ ଗଛ କଟାକୁ ନେଇ ଏବେ ବନବିଭାଗ, ରେଳବାଇ ଓ ପିଡବ୍ଲୁଡି ବିଭାଗ ମୁହାଁମୁହିଁ ହୋଇଛନ୍ତି।

ଏହି ପ୍ରସଙ୍ଗକୁ ନେଇ ସହରରେ ଚର୍ଚ୍ଚା ଜାରି ରହିଛି। ‌ଏକାବେଳ‌କେ ଏତେ ଗଛ କଟାଯିବାକୁ ନେଇ ବୁଦ୍ଧିଜୀବୀ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଜାଣିଶୁଣି ଏଭଳି ପ୍ରସଙ୍ଗ ସୃଷ୍ଟି କରାଯାଇ ବିବାଦ କରାଯାଉଛି ବୋଲି ମଧ୍ୟ କିଛି ରାଜନେତା କହିଛନ୍ତି। ମାତ୍ର ପ୍ରକୃତରେ କ’ଣ ହୋଇଛି ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ରବିବାର ଦିନ୧୨ଟାରେ ବଲାଙ୍ଗୀର ଡିଏଫ୍‌ଓ ଶ୍ରୀ ଶତପଥୀ ହେଲିପ୍ୟାଡ ନିର୍ମାଣ ହୋଇଥିବା ସ୍ଥାନକୁ ଟିମ ଧରି ପହଞ୍ଚିଥିଲେ। ଯେଉଁ ସବୁ ସ୍ଥାନରେ ଗଛ ଲଗାଯାଇଥିଲା ତାହା ସେ ପରିଦର୍ଶନ କରିଥିଲେ। ତାଙ୍କ ସାଙ୍ଗରେ ଯାଇଥିବା କର୍ମଚାରୀମାନେ ଗଛ ସବୁ ଗଣନା କରିଥିଲେ। ପ୍ରାଥମିକ ତଦନ୍ତ ପରେ ଡିଏଫ୍‌ଓ ଶ୍ରୀ ଶତପଥି କହିଥିଲେ, ୨୦୧୬–୧୭ ସହରୀ ବନୀକରଣ ଯୋଜନାରେ ରେଳ ଷ୍ଟେସନ ନିକଟରେ ଖାଲିଥିବା ସ୍ଥାନରେ ଗଛ ଲଗାଯାଇଥିଲା। ସେହି ସବୁ ଗଛ ଦେଖାରେଖା କରିବା ଦାୟିତ୍ବରେ ଥିବା କର୍ମଚାରୀ ରାଜୁ ପୋଢ ଗତ ୧୧ ତାରିଖରେ ଗଛ ଉପରେ ଡୋଜର ଚଳାଯାଉଛି ବୋଲି ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବଲାଙ୍ଗୀର ରେଞ୍ଜ ପକ୍ଷରୁ ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନେ ଆସି ଦେଖି ଫେରିଥିଲେ। ଆଜି ସେ ନିଜେ ଦେଖି ଗଣନା କରାଇବା ପରେ ପ୍ରାୟ ୧୨୦୦ ଗଛ ନଷ୍ଟ ହୋଇଛି ବୋଲି କହିଛନ୍ତି।

ଡିଏଫ୍‌ଓ ଆହୁରି କହିଛନ୍ତି, ଏ ସଂପର୍କରେ ରେଳ ବିଭାଗ କର୍ତ୍ତୃପକ୍ଷଙ୍କୁ ଆମେ ଯୋଗାଯୋଗ କରିଛୁ। ହେଲିପ୍ୟାଡକୁ ପିଡବ୍ଲୁଡି ବିଭାଗ ନିର୍ମାଣ କରୁଥିବା ରେଳ ବିଭାଗ କହୁଛି। ଆମେ ଚିଠି ଲେଖି ତାଙ୍କ ସହ ସବୁ ଘଟଣା ଉପରେ ଆଲୋଚନା କରିବୁ। ରେଳ ବିଭାଗ ମୌଖିକ ଆକାରରେ ଯାହା କ୍ଷତି ହୋଇଛି ତାହା ଭରଣା କରିବାର ଓ ନୂଆ ଗଛ ଲଗାଇବାର ପ୍ରତିଶ୍ରୁତି ଦେଇଥିବା ଡିଏଫଓ ଶ୍ରୀ ଶତପଥି କହିଛନ୍ତି। ତେବେ କ୍ଲିଏରେନ୍ସ ନନେଇ ବେଆଇନ ଭାବରେ ରୋପିତ ଗଛକୁ ନଷ୍ଟ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଗଛ ରୋପଣ ସମୟରେ କାର୍ଯ୍ୟରତ ଥିବା ତତ୍କାଳୀନ ଫରେଷ୍ଟ ଗାର୍ଡ ତଥା ବର୍ତ୍ତମାନର ଫରେଷ୍ଟର ବ୍ୟାସଦେବ ସାହୁ ମଧ୍ୟ ଘଟଣାସ୍ଥଳକୁ ଡିଏଫଓଙ୍କ ସହ ଯାଇଥିଲେ। ସେଠାରେ ହଜାରରୁ ଅଧିକ ଗଛ ଥିଲା ଓ ତାକୁ ଡୋଜର ମଡାଯାଇଛି ବୋଲି କହିଥିଲେ।

ଅନ୍ୟପଟେ ଏହି ପ୍ରସଙ୍ଗରେ ରେଳବାଇ ପକ୍ଷରୁ ମୁଖ୍ୟ ଜନସଂପର୍କ ଅଧିକାରୀ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ହେଲିପ୍ୟାଡ୍‌ ନିର୍ମାଣ କରିବା ଦାୟିତ୍ବ ପିଡବ୍ଲୁଡିକୁ ଦିଆଯାଇଥିଲା। ତେବେ ହେଲିପ୍ୟାଡ୍‌ ପାଇଁ ଗଛ କଟା ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ରେଳବାଇ ପକ୍ଷରୁ ମଧ୍ୟ ଏକ ସ୍ବତନ୍ତ୍ର ତଦନ୍ତ କରାଯାଉଛି। ତଦନ୍ତ ଚାଲିଥିବା ସମୟରେ ସେ ମତ ଦେବା ଠିକ ହେବନି ବୋଲି କହିଛନ୍ତି। ସମୟ ଆସିଲେ ରେଳ ବିଭାଗ ସବୁ ସୂଚନା ଦେବ ବୋଲି କହିଛନ୍ତି।

ଏ ନେଇ ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ଦାସଙ୍କୁ ପଚାରିବାରୁ ତାଙ୍କ ବିଭାଗ ହେଲିପ୍ୟାଡ୍‌ ନିର୍ମାଣ କରିଥିବା କଥାକୁ ସ୍ବୀକାର କରିଥିଲେ। କିନ୍ତୁ ରେଳ ବିଭାଗ ମାଟି ଫିଲିଂ କରିସାରିବା ପରେ ତାଙ୍କୁ ହେଲିପ୍ୟାଡ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ମୋଦୀଙ୍କ ଗସ୍ତ ପୂର୍ବରୁ ହେଲିପ୍ୟାଡ ପାଇଁ ଗଛ କଟିବା ଘଟଣା ଏଭଳି ମୋଡ଼ ନେଉଥିବା ବେଳେ କିଛି ବିଜେପି କର୍ମକର୍ତ୍ତା ସଂପୂର୍ଣ୍ଣ ଅଲଗା କଥା କହୁଛନ୍ତି। ହେଲିପ୍ୟାଡ୍‌ ଥିବା ସ୍ଥାନରେ ଟାଙ୍ଗର ଭୁଇଁ ଥିଲା ଓ ଆଦୌ ଗଛ ନଥିଲା ବୋଲି ସେମାନେ କହୁଛନ୍ତି। ମାତ୍ର ଏ ଘଟଣାରେ ପ୍ରକୃତରେ କିଏ ସତ ଓ କିଏ ମିଛ କହୁଛି ତାହା ଜଣାପଡ଼ୁନି। ମୁଣ୍ଡ ଉପରେ ମୋଦୀଙ୍କ ଗସ୍ତ ଥିବାରୁ ଏହି ପ୍ରସଙ୍ଗକୁ ପଛକୁ ରଖି ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି। ୧୫ ତାରିଖ ପରେ ଏହି ଘଟଣା କେଉଁ ମୋଡ଼ ନେବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର