କେନ୍ଦୁଝର ଜିଲ୍ଲାରେ ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଶାଳଗଛ!

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଖଣି ଖନନ ପାଇଁ ପୂର୍ବରୁ ପ୍ରାୟ ୨୪ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା ହୋଇନାହିଁ। ଏବେ ପୁଣି ଯୋଡ଼ା ଓ ବଣାଇ ଅଞ୍ଚଳରେ ୯ଟି ନୂଆ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ପ୍ରାୟ ୯ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେବାକୁ ଥିବାବେଳେ ୯ ଲକ୍ଷ ଶାଳଗଛ କଟାଯିବ ବୋଲି ଜଣାପଡ଼ିଛି। ଯଦି ଏପରି ହୁଏ, ତେବେ କେନ୍ଦୁଝର ଜିଲ୍ଲାର ପରିବେଶ ବିଗିଡ଼ିବା ସହ ବନ୍ୟଜନ୍ତୁ ଓ ଭୂତଳ ଜଳସ୍ତର ଉପରେ ଭୟଙ୍କର ପ୍ରଭାବ ପଡ଼ିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

କେନ୍ଦୁଝର ଏକ ଖଣି ଖାଦାନ ଭରା ଜିଲ୍ଲା। ୨୦୧୪ ମସିହା ସୁଦ୍ଧା ଏହି ଜିଲ୍ଲାରେ ମୋଟ ୧୦୯ଟି ଖଣି ଥିବାବେଳେ ୩୩୫୬୦ ହେକ୍ଟର ଜମି ଖଣି ଲିଜ୍‌ ଅନ୍ତର୍ଭୁକ୍ତ ଥିଲା। ସମୁଦାୟ ଲିଜ୍‌ ଜମି ମଧ୍ୟରୁ ମୋଟ ୨୪୧୧୨ ହେକ୍ଟର ଜଙ୍ଗଲ ଜମି ଥିଲା। ଖଣି ଖନନ ପାଇଁ ୨୪୧୧୨ ହେକ୍ଟର ଜଙ୍ଗଲ ସଂପୂର୍ଣ୍ଣ ଧ୍ବଂସ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏହାର କୁପ୍ରଭାବ ପଡ଼ିଥିଲା। ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀଙ୍କ ବାସସ୍ଥାନ ନଷ୍ଟ ହୋଇଥିଲା। ଜନବସତି ଆଡ଼କୁ ହାତୀପଲ ମାଡ଼ି ଆସିବା ସହ ହାତୀ-ମଣିଷ ଲଢ଼େଇ ହେବା ଏକ ନିତିଦିନିଆ ଘଟଣା। ଅଧିକାଂଶ ସମୟରେ ହାତୀପଲ ଜନବସତି ମୁହାଁ ହୋଇ ବିଦ୍ୟୁତ ଆଘାତ, ରେଳ କିମ୍ବା ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ଜୁଲାଇ ୨୧ ତାରିଖରେ ଘଟଗାଁସ୍ଥିତ ବାଲିଯୋଡ଼ିଠାରେ ସଡ଼କ ଦୁର୍ଘଟଣାରେ ୩ଟି ହାତୀଙ୍କ ଏକକାଳୀନ ମୃତ୍ୟୁ ଘଟିବା ଏହାର ଏକ ଜ୍ବଳନ୍ତ ଉଦାହରଣ। ଏଭଳି ସ୍ଥିତିରେ ଯୋଡ଼ା-ବଣାଇ ଉପଖଣ୍ଡର ଘଞ୍ଚ ଜଙ୍ଗଲରେ ଥିବା ଆହୁରି ୯ଟି ନୂଆ ଖଣି ଲିଜ୍‌ ପାଇଁ ଟେଣ୍ଡର ଆହ୍ବାନ କରାଯିବା ପରିବେଶପ୍ରେମୀଙ୍କୁ ଚିନ୍ତାରେ ପକାଇଛି।

ସୂଚନା ଅନୁସାରେ, ଯୋଡ଼ା-ବଣାଇ ଖଣି ଅଞ୍ଚଳରେ ଥିବା ଏହି ୯ଟି ନୂଆ ଖଣି ମଧ୍ୟରୁ ୮ଟି ହେଉଛି ଲୌହ ଖଣି। ଝୁମୁକା ପଥରପଶି ଖଣିରେ ୧୧୪ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ପୂରେଇବାହାଳ ଖଣିରେ ୩୮.୮ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଅଛି। ପୂରେଇବାହାଳ ଖଣିର ଲିଜ୍‌ ଅଞ୍ଚଳ ୬୪ ହେକ୍ଟର ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣଭାବେ ଜଙ୍ଗଲ ଭିତରେ ରହିଛି। ଏହି ଖଣି ନିଲାମ ହେଲେ ୬୪ ହେକ୍ଟର ଜଙ୍ଗଲ ଧ୍ବଂସ ହେବ। ଯୋଡ଼ା-ବଣାଇରେ ମୁଖ୍ୟତଃ ଶାଳ ଜଙ୍ଗଲ ରହିଛି। ପ୍ରତି ହେକ୍ଟର ପିଛା ହାରାହାରି ୧୦୦୦ ଶାଳଗଛକୁ ହିସାବକୁ ନେଲେ ଏଠାରେ ଖଣିପାଇଁ ୬୪ ହଜାର ଶାଳ ଗଛ କଟାଯିବ। ଏହାବାଦ୍‌ ଏଠାରେ ଥିବା ଅନ୍ୟାନ୍ୟ ଔଷଧୀୟ ବୃକ୍ଷ ମଧ୍ୟ ନଷ୍ଟ ହେବ।

ସେହିପରି ଚାନ୍ଦିପଶି ଖଣିରେ ୩୩.୭୩ ମିଲିୟନ ଟନ୍‌ ଲୁହାପଥର ଖଚ୍ଛିତ ଥିବାବେଳେ ଏହାର ଲିଜ୍‌ ଅଞ୍ଚଳ ହେଉଛି ୧୩୧ ହେକ୍ଟର। ଏଥିରୁ ୧୦୩ ହେକ୍ଟର ହେଉଛି ଘଞ୍ଚ ଜଙ୍ଗଲ। ସେହିପରି ଧୋଲତାପହାଡ଼ ଖଣିର ସମ୍ପୂର୍ଣ୍ଣ ୬୦ ହେକ୍ଟର ଲିଜ୍‌ ଅଞ୍ଚଳ ଘଞ୍ଚ ଜଙ୍ଗଲ ହୋଇଥିବା ବେଳେ ଏହି ଖଣିରେ ରହିଛି ୨୩.୯୨ ନିୟୁତ ଟନ୍‌ ଲୁହାପଥର। ନେତାବନ୍ଧ ଖଣିରେ ୧୭.୨୭ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ରେଙ୍ଗାଲବେଡ଼ା ଖଣିରେ ୨୮.୮୭ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ରହିଛି। ଏହି ଖଣିର ୨୪ ହେକ୍ଟର ଲିଜ୍‌ ଅଞ୍ଚଳ ହେଉଛି ଜଙ୍ଗଲ। ଗଣ୍ଡଲପଡ଼ା ଖଣିରେ ୩୧୪ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ଏହାର ଲିଜ୍‌ ଅଞ୍ଚଳ ହେଉଛି ୨୪୧ ହେକ୍ଟର। ଏଥିରୁ ୧୮୧ ହେକ୍ଟର ହେଉଛି ଜଙ୍ଗଲ ଜମି। ସେହିପରି ଉଚ୍ଚବାଲି ଖଣିରେ ୩.୬ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ଏହାର ଲିଜ୍‌ ଅଞ୍ଚଳ ହେଉଛି ୮୦ ହେକ୍ଟର। ଏଥିରୁ ୭୯ ହେକ୍ଟର ହେଉଛି ଜଙ୍ଗଲ। ଏହି ସବୁ ଲୁହାପଥର ଖଣିପାଇଁ ୯ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେବ। ଯଦି ହେକ୍ଟର ପିଛା ସର୍ବନିମ୍ନ ୧୦୦୦ ଗଛ ହିସାବକୁ ନିଆଯାଏ, ତେବେ ୯ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେଲେ ୯ ଲକ୍ଷ ଗଛ କଟାଯିବ ବୋଲି ଆକଳନ କରାଯାଉଛି।

ଏ ସଂପର୍କରେ କେନ୍ଦୁଝର ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, କେନ୍ଦୁଝର ଜିଲ୍ଲାରେ ପ୍ରାୟ ୨୪୧୨୨ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇସାରିଛି। ଆହୁରି ଜଙ୍ଗଲ ନଷ୍ଟ ହେଲେ କେନ୍ଦୁଝର ଏକ ଉତ୍ତପ୍ତ ଜିଲ୍ଲାରେ ପରିଣତ ହେବ। ଏଠାରେ ଥିବା ପ୍ରାକୃତିକ ସଂପଦକୁ ବିକ୍ରି କରିବା ବାହାନାରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ତତଲା ତାୱାରେ ଠିଆ କରାଇବା ଭଳି ପରିସ୍ଥିତି ସୃଷ୍ଟି କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର