ଠାକୁର ଜମିରୁ ବେଆଇନ ଆକାଶିଆ ଗଛ କାଟିନେବା ଅଭିଯୋଗ : ପଦକ୍ଷେପ ନେବାକୁ ଡେଲାଙ୍ଗ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ

କଟକ : ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ ଅନ୍ତର୍ଗତ କୁମୁଣ୍ଡାଳ ମୌଜାରେ ରାଧାକାନ୍ତ ଦେବ ଠାକୁରଙ୍କ ଜମିରେ ଥିବା ଲକ୍ଷାଧିକ ଟଙ୍କାର ଆକାଶିଆ ଗଛକୁ ଦୁର୍ବୃତ୍ତମାନେ କାଟି ନେବା ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଡେଲାଙ୍ଗ ଥାନା ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୨୦୧୯, ଜାନୁଆରି ୨୫ରେ ଆବେଦନକାରୀ ଦାଖଲ କରିଥିବା ଲିଖିତ ଅଭିଯୋଗର ନକଲ ଡେଲାଙ୍ଗ ଥାନା ଅଧିକାରୀଙ୍କୁ ୧୫ ଦିନ ଭିତରେ ପ୍ରଦାନ କରିବେ। ଏହା ପରେ ଥାନା ଅଧିକାରୀ ଆଇନ ଅନୁସାରେ ଏହି ପ୍ରସଂଗରେ ପଦକ୍ଷେପ ନେବେ। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ନୀଳାମ୍ବର ରାଉତଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହେମନ୍ତ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ କୁମୁଣ୍ଡାଳ ମୌଜାରେ ରାଧାକାନ୍ତ ଦେବ ଠାକୁରଙ୍କ ଜମି ରହିଥିବା ବେଳେ ଏଠାରେ ଆକାଶିଆ ଗଛ ରହିଥିଲା। ଗ୍ରାମର କେତେକ ବ୍ୟକ୍ତି ଏହି ଆକାଶିଆ ଗଛ ଗୁଡିକୁ ଜୋର ଜବରଦସ୍ତ କାଟି ନେଇ ଯାଇଥିଲେ। କାଟି ନିଆଯାଇଥିବା ଗଛର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଆବେଦନକାରୀ ଜାଣିବାକୁ ପାଇଥିଲେ। ଏ ନେଇ ୨୦୧୯, ଜାନୁଆରି ୨୫ରେ ଆବେଦନକାରୀ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ନଥିଲା। ଏପରି ଘଟଣା ସଂପର୍କରେ ତହସିଲଦାର ତଦନ୍ତ କରିବା ପରେ ମାମଲା ରୁଜୁ ହେବ ବୋଲି ଆବେଦନକାରୀଙ୍କୁ ଡେଲାଙ୍ଗ ପୁଲିସ କହିଥିଲା। ଡେଲାଙ୍ଗ ଥାନା ଅଧିକାରୀଙ୍କ ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ ଫେବ୍ରୁଆରି ୭ରେ ପୁରୀ ଏସପି ଓ ଡେଲାଙ୍ଗ ତହସିଲଦାରଙ୍କୁ ଅବଗତ କରିଥିଲେ। ଡେଲାଙ୍ଗ ଥାନା ଆଇଆଇସିଙ୍କୁ ଏହି ଘଟଣାରେ ପଦକ୍ଷେପ ନେବାକୁ ଡେଲାଙ୍ଗ ତହସିଲଦାର ଫେବ୍ରୁଆରି ୭ରେ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଭୁବେନଶ୍ବରସ୍ଥିତ ଦେବୋତ୍ତର କମିସନର କାର୍ଯ୍ୟାଳୟ ଡେପୁଟି କମିସନର ମଧ୍ୟ ଏହି ଘଟଣାରେ ପଦକ୍ଷେପ ଗ୍ରହଣ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ଡେଲାଙ୍ଗ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ପୂର୍ବରୁ ଦାଖଲ ଏତଲା‌ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ‌ତେବେ ଆଇଆଇସି କାରଣ ଦର୍ଶାଇବେ ବୋଲି ଡେପୁଟି କମିସନରଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଏହା ସତ୍ବେ ଏହି ଘଟଣାରେ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। ଏପରି ପରିସ୍ଥିତିରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗୃହ ସଚିବ, ପୁଲିସ ଡିଜି, ପୁରୀ ଏସପି ଓ ଡେଲାଙ୍ଗ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର