ମୋଦୀଙ୍କ ହେଲିପ୍ୟାଡ୍‌ ପାଇଁ ସହର ବନୀକରଣ ସଫା! : ବଳି ପଡ଼ିଲା ୩ ହଜାର ଗଛ, ୧୦ ଲକ୍ଷରୁ ଅଧିକ ଟଙ୍କା ବରବାଦ

ତଦନ୍ତ ନିର୍ଦ୍ଦେଶ ଦେଲେ ଡିଏଫ୍‌ଓ

ବଲାଙ୍ଗୀର (ବିଶ୍ବଜିତ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ ପାଇଁ ଜିଲ୍ଲା ଚଳଚଞ୍ଚଳ। ରେଳ ଷ୍ଟେସନରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳରେ ଚାଲିଛି ଦିନରାତି କାମ। ଏକ ହେଲିପ୍ୟାଡ୍‌ ବି ନିର୍ମାଣ ହେଉଛି। ତେବେ ଏହି ହେଲିପ୍ୟାଡ୍ ପାଇଁ ସହରୀ ବନୀକରଣ ଯୋଜନାରେ ଷ୍ଟେସନ ପଛପଟେ ଲଗା ଯାଇଥିବା ଗଛଗୁଡ଼ିକୁ କାଟି ସଫା କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ବଲାଙ୍ଗୀର ବନବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ, ବଲାଙ୍ଗୀର ଜିଲ୍ଲାରେ ଗତ ୨୦୧୫–୧୬ ଓ ୨୦୧୬–୧୭ ମସିହାରେ ଅର୍ବାନ ପ୍ଲାଣ୍ଟେସନ(ସହରୀ ବନୀକରଣ) ଯୋଜନାରେ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ହଜାର ଗଛ ଲଗାଯାଇଥିଲା। ସେଥିମଧ୍ୟରୁ ରେଳ ଷ୍ଟେସନ ପଛପଟେ ପ୍ରାୟ ୩୫୦୦ ଚାରା ରୋପଣ କରାଯାଇଥିଲା। ଚାରା ରୋପଣ ସମୟରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ନିମ୍ବ, ଶିଶୁ, କରଞ୍ଜ, ଗମ୍ଭାରୀ ଆଦି ଚାରା ଆଦି ଲଗାଯାଇଥିଲା। ସେହି ଗଛ ସବୁର ଯତ୍ନ ନେବା ପାଇଁ ସ୍ବତନ୍ତ୍ର ଭାବେ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା। କିଛି ଗଛ ଏହାରି ଭିତରେ ୬ରୁ୮ ଫୁଟ ଉଚ୍ଚର ହୋଇ ସାରିଥିଲା। ତେବେ ମୋଦିଙ୍କ ଗସ୍ତ ପାଇଁ ହେଲିପ୍ୟାଡ ନିର୍ମାଣ ନିମନ୍ତେ ଗଛଗୁଡ଼ିକୁ କାଟି ଦିଆଯାଇଛି। କାଁଭାଁ କେତୋଟି ଗଛ ହେଲିପ୍ୟାଡ କଡ଼ରେ ରହିଛି। ପ୍ରାୟ ୩ ହଜାରରୁ ଅଧିକ ଗଛ କାଟି ଦିଆଯାଇଥିବା ବଲାଙ୍ଗୀର ରେଞ୍ଜର ବିଜୟ ଖୁଣ୍ଟିଆ ଅନୁମାନ କରି କହିଛନ୍ତି। ତେବେ ଗଛ କାଟିଲା କିଏ? କେଉଁ ପରିସ୍ଥିତିରେ ଓ ବିନା ଅନୁମତିରେ କାହିଁକି କାଟିଲା? ଏହାର ତଦନ୍ତ ନି‌ର୍ଦ୍ଦେଶ ଦେଇଛନ୍ତି ଡିଏଫଓ।

ଗଛକଟା ପ୍ରସଙ୍ଗରେ ତତ୍କାଳୀନ ରେଞ୍ଜର ତଥା ବର୍ତ୍ତମାନର ବଲାଙ୍ଗୀର ଏସିଏଫ ବାବାଜୀ ଚରଣ ରାଉଳ କହିଛନ୍ତି, ସେ ବଲାଙ୍ଗୀର ରେଞ୍ଜର ଥିବା ସମୟରେ ସେ ଉକ୍ତ ସ୍ଥାନରେ ଗଛ ସବୁ ଲଗାଇଥିଲେ। ହେଲିପ୍ୟାଡ ପାଇଁ ଗଛ କଟାଯାଇଥିବା ଆମେ ଖବର ପାଇଛୁ। ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ରବିବାର ତଦନ୍ତ ପାଇଁ ଯିବୁ ତାପରେ ହିଁ ଜଣାପଡିବ କେତେ ଗଛ କଟିଛି ବୋଲି ସେ କହିଛନ୍ତି। ଡିଏଫଓ ଶ୍ରୀ ଶତପଥୀ କହିଛନ୍ତି, ହେଲିପ୍ୟାଡ ପାଇଁ ଗଛକଟା ଯାଇଛି। ରେଞ୍ଜରଙ୍କ ଚିଠି ପାଇବା ପରେ ସେ ତଦନ୍ତ କରିବାକୁ ବଲାଙ୍ଗୀର ଏସିଏଫ ଓ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି। କେତେ ଗଛ କଟା ଯାଇଛି ତାହା ତଦନ୍ତ ପରେ ଜଣାପଡ଼ିବ। ଗଛ ଯିଏ ବି କାଟୁନା କାହିଁକି ମାମଲା ରୁଜୁ ହେବ ବୋଲି କହିଛନ୍ତି। ରେଞ୍ଜରଙ୍କ କହିବାନୁସାରେ, ହେଲିପ୍ୟାଡ ନିର୍ମାଣ ପାଇଁ ଗଛ କାଟିବା ପୂର୍ବରୁ ବନବିଭାଗର ଅନୁମତି ନିଆଯିବା କଥା। ସେହି ଅନୁମତି ବନବିଭାଗ ଏ ପର୍ଯ୍ୟନ୍ତ କାହାକୁ ଦେଇ ନାହିଁ। ଗଛ କାଟି ହେଲିପ୍ୟାଡ୍‌ ନିର୍ମାଣ ସଂପର୍କରେ ସେ ଖବର ପାଇବା ପରେ ଡିଏଫଓଙ୍କୁ ଚିଠି ଲେଖି ସବିଶେଷ ଜଣାଇଥିଲେ।

ଏହି ପ୍ରସଙ୍ଗକୁ ନେଇ ଏବେ ପରିବେଶବିତମାନେ ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ହେଲିପ୍ୟାଡ ନିର୍ମାଣ ପାଇଁ ସହରରେ ବହୁ ପଡ଼ିଆ ରହିଛି। ଏମିତି କ’ଣ ଜରୁରି ପଡ଼ିଲା ଯେ ବନୀକରଣ ଯୋଜନାରେ ଲଗାଯାଇଥିବା ଗଛକୁ କଟା ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏପରିକି ଜିଲ୍ଲାପାଳ, ଏସ୍‌ପି ସମସ୍ତେ ହେଲିପ୍ୟାଡ୍‌ ନିର୍ମାଣ ସ୍ଥାନକୁ ଯାଇ ବିଭିନ୍ନ ସମୟରେ ରେଳ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ସମସ୍ତଙ୍କ ଜାଣତରେ ବନୀକରଣ ଯୋଜନାକୁ ସଫା କରି ଦିଆଗଲା ବୋଲି ଅଭିଯୋଗ ଉଠିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରଥମେ ଭଇଁଷାପାଲି ଷ୍ଟେସନ୍ ନାମକରଣକୁ ନେଇ ବିବାଦ ଉଠିଥିଲା। ସେହି ବିବାଦ ନ ତୁଟୁଣୁ ପୁଣି ହେଲିପ୍ୟାଡ୍‌ ପାଇଁ ଗଛକଟା ବିବାଦ ଉଠିଲାଣି। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି ରେଳବିଭାଗ ପକ୍ଷରୁ ହେଲିପ୍ୟାଡ୍ ନିର୍ମାଣ ଚାଲିଛି। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରିଯାଉ, ତା’ ପରେ ଗଛକଟା କଥା ଦେଖାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର