ରାଜପଥ ପାଇଁ ଦେଢ଼ଲକ୍ଷ ଗଛ ବଳି!

କେନ୍ଦୁଝର : ରାସ୍ତା ତିଆରି ହେଲା, କିନ୍ତୁ ଲକ୍ଷାଧିକ ଗଛ ବଳି ପଡ଼ିଲା। ଜାତୀୟ ରାଜପଥ ୪୯ ଓ ଜାତୀୟ ରାଜପଥ ୨୧୫ ନିର୍ମାଣ ବେଳେ ରାସ୍ତା କଡ଼ରେ ଥିବା ଦେଢ଼ଲକ୍ଷ ଗଛ କଟାଯାଇଥିବା ବେଳେ ଆଜିଯାଏ ରାସ୍ତାକଡ଼ରେ ଗୋଟିଏ ବି ଗଛ ଲାଗି ନାହିଁ। କେନ୍ଦୁଝର ଜିଲ୍ଲା ଦେଇ ଦୁଇଟି ଜାତୀୟ ରାଜପଥ ଅତିକ୍ରମ କରିଛି। ପ୍ରଥମଟି ୨୧୫ ନ˚ ଜାତୀୟ ରାଜପଥ ଓ ଦ୍ବିତୀୟଟି ୪୯ ନମ୍ବର ଜାତୀୟ ରାଜପଥ। ୨୧୫ ନମ୍ବର ଜାତୀୟ ରାଜପଥ (ଏବେ ଏନ୍‌ଏଚ୍‌-୨୦) ନିର୍ମାଣ ବେଳେ ୨୦୧୫-୧୬ ମସିହାରେ ରାସ୍ତା କଡ଼ରୁ ଜଙ୍ଗଲ କିସମ ଜମିରୁ ୪୬,୪୯୫ଟି ଗଛ କଟାଯାଇଥିଲା। ମାତ୍ର ଘରୋଇ ବା ବେସରକାରୀ ଜମି, ରାଜସ୍ବ ଜମିରୁ ଆହୁରି ପାଖାପାଖି ୫୦ ହଜାରରୁ ଊର୍ଦ୍ଧ୍ବ ଗଛ କଟା ଯାଇଥିଲା। କେନ୍ଦୁଝର ଜିଲ୍ଲାର ହସନପୁରଠାରୁ ଆରମ୍ଭ କରି ରାମଚନ୍ଦ୍ରପୁର, ଘଟଗାଁ, ଢେ଼ଙ୍କିକୋଟ, ପିପିଳିଆ, ଗୋପାଳପୁର, ନରଣପୁର, ରାଇସୁଆଁ, ପଦ୍ମପୁର, ପଳାସପଙ୍ଗା, ଝୁମ୍ପୁରା, ରିମୁଳି ପର୍ଯ୍ୟନ୍ତ ରାସ୍ତା ସ˚ପ୍ରସାରଣ ବେଳେ ଏହି ସବୁ ଗଛ କଟାଯାଇଥିଲା।

ବିଶେଷ କରି କେନ୍ଦୁଝର ସହରରୁ ଘଟଗାଁ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଆମ୍ବ ଓ ତେନ୍ତୁଳି, କରଞ୍ଜ, ବରଗଛ ଆଦି ହଜାର ହଜାର ସ˚ଖ୍ୟାରେ ରହିଥିଲା। ତତ୍‌କାଳୀନ କେନ୍ଦୁଝରଗଡ଼ ରାଜା ଏହି ସବୁ ଗଛ ରାସ୍ତା କଡ଼ରେ ଲଗାଇଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା, କେନ୍ଦୁଝରରୁ ଘଟଗାଁ ମା’ ତାରିଣୀ ମନ୍ଦିରକୁ ଯାଉଥିବା ପଥଚାରୀ ଖରାବେଳେ ଗଛମୂଳେ ବିଶ୍ରାମ ନେବେ। ଛାଇରେ ରାସ୍ତା ଅତିକ୍ରମ କରିବେ। ପ୍ରାୟ ୧୦୦ ବର୍ଷ ଧରି ରାସ୍ତା କଡ଼ରେ ରହିଥିବା ଏହି ବିଶାଳକାୟ ଆମ୍ବ, ଶାଳ, ନିମ୍ବ ଆଦି ଗଛଗୁଡ଼ିକୁ ରାସ୍ତା ନିର୍ମାଣ କରୁଥିବା ଠିକା ସ˚ସ୍ଥା କାଟି ଦେଇଥିଲା। କିନ୍ତୁ ଆଜିଯାଏ ଏହି ରାସ୍ତା କଡ଼ର ଗୋଟିଏ ବି ଗଛ ଲାଗି ନାହିଁ। ରାସ୍ତା କଡ଼ ଗଛ କଥା ଛାଡ଼ନ୍ତୁ, ରାସ୍ତା ମଝିରେ ଡିଭାଇଡରରେ ବି ଯେଉଁ ଛୋଟ ଛୋଟ କନିଅର ଗଛ ଲାଗିବା କଥା ତାହା ମଧୢ ଲାଗି ନାହିଁ। ଗଛ କାଟିଥିବା ସ˚ସ୍ଥା ଓ ରାସ୍ତା ନିର୍ମାଣ କରିଥିବା ଠିକା ସ˚ସ୍ଥା ରାସ୍ତା ଅଧା ତିଆରି କରି ଫେରାର ହୋଇ ଯାଇଥିବା ବେଳେ ତାଙ୍କୁ ଗଛ ଲଗାଇବା ପାଇଁ କୌଣସି ନିର୍ଦେଶ ନାହିଁ। ଗତ ୩ ବର୍ଷ ମଧୢରେ ଗଛ ଲଗାଇବା ପାଇଁ କୌଣସି ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ।

ସେହିପରି ଜାତୀୟ ରାଜପଥ ୪୯ ନମ୍ବରକୁ ଉଦାହରଣ ଭାବେ ନିଆଯାଉ। ଏହି ରାସ୍ତା ନିର୍ମାଣ ପାଇଁ ୨୦୧୬ରୁ ୨୦୧୮ ମସିହା ମଧୢରେ ସରକାରୀ ଜଙ୍ଗଲ ଜମିରୁ ୬୫,୨୯୮ଟି ଗଛ କଟାଯାଇଛି। ଘରୋଇ ଜମିରୁ ମଧୢ ୫୦ ହଜାରରୁ ଊର୍ଦ୍ଧ୍ବ ମୂଲ୍ୟବାନ ଶାଳ, ପିଆଶାଳ, ଗମ୍ଭାରୀ, ମହୁଲ, ଆମ୍ବ ଆଦି ଗଛ କଟାଯାଇଛି। ଏବେ ଏହି ୪୯ ନମ୍ବର ଜାତୀୟ ରାଜପଥର ସ˚ପ୍ରସାରଣ କାର୍ଯ୍ୟ ଚାଲିଛି। ଯେଉଁ କିଛି ସ୍ଥାନରେ ସ˚ପ୍ରସାରଣ କାର୍ଯ୍ୟ ସରିଛି, ସେଠାରେ ମଧ୍ୟ ଗଛ ଲଗାଯାଇନାହିଁ। ମୋଟାମୋଟି ଭାବେ ରାସ୍ତା ଚଉଡ଼ା ନାମରେ ଲକ୍ଷାଧିକ ଗଛ କାଟି ସଫା କରି ଦିଆଯାଉଥିବା ବେଳେ ସେଠାରେ ଆଉ ପୁନର୍ବାର ଗଛ ଲଗା ଯାଉ ନାହିଁ। ଏହାଦ୍ବାରା ରାସ୍ତା କଡ଼ ଶୂନ୍‌ଶାନ୍‌ ଟାଙ୍ଗରା ଦେଖାଯାଉଛି।

ଏ ସ˚ପର୍କରେ ପ୍ରଗତିଶୀଳ ନାଗରିକ ମଞ୍ଚର ସଭାପତି ଧୀରେନ୍ଦ୍ର ରାଉତ କହିଛନ୍ତି, ରାସ୍ତା ସ˚ପ୍ରସାରଣ ପାଇଁ ସରକାରୀ ହିସାବରେ ଯେତିକି ଗଛ କଟାଯାଇଛି, ବାସ୍ତବରେ ତାହାର ୧୦ ଗୁଣରୁ ଅଧିକ ଗଛ କଟାଯାଇଛି। ଏହି ଗଛ କାଟିବା ପରେ ଏଠାରେ ଗଛ ଲଗାଇବା କଥା ଭୁଲି ଯାଉଛି ପ୍ରଶାସନ। ଯେଉଁଥିପାଇଁ କେନ୍ଦୁଝର ଏବେ ଧୀରେଧୀରେ ଜଙ୍ଗଲ ପରିମାଣ କମିବାର ଲାଗିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର