ରାଜପଥ ସୌନ୍ଦର୍ଯ୍ୟକରଣ ପାଲଟିଛି ପ୍ରହସନ: ପାଣି ଅଭାବରୁ ପୋଡ଼ିଯାଇଛି ଡିଭାଇଡର ଲାଗିଥିବା ଶହଶହ ଗଛ

ବେତନଟୀସଦର: ଜାତୀୟ ରାଜପଥର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ରୋଡ୍ ଡିଭାଇଡର୍‌ରେ ଗଛ ଲଗାଇଛନ୍ତି। ହେଲେ ପରିତାପର ବିଷୟ, ଗଛ ଲଗାଇବା ପରେ ଉଚିତ ସମୟରେ ସେଗୁଡ଼ିକର ଯତ୍ନ ନିଆଯାଇନଥିବାରୁ କିଛିଦିନ ପରେ ଅଧିକାଂଶ ଗଛ ମରିଯାଇଛି। ଢ଼ୋ ଢ଼ୋ ଖରା ଦିନେ ଗଛଗୁଡ଼ିକ ପାଣି ଓ ଯତ୍ନ ଅଭାବରୁ ପୋଡ଼ିଯାଇଥିବା ବେଳେ ଏବେ ବର୍ଷାଋତୁରେ ବର୍ଷା ହୋଉଥିବା ସମୟରେ ବି ମଲା ଗଛରେ ପାଣି ଦେଇ ଲୋକହସା ହୋଉଛନ୍ତି। ଜାତୀୟ ରାଜପଥ ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କାମ କରାଯାଉଥିଲେ ହେଁ ଅବହେଳା ଯୋଗୁ ତାହାର ସଫଳ ରୂପାୟନ ହୋଇପାରୁନି।

ସୂଚନାଯୋଗ୍ୟ, ବୈଶିଙ୍ଗା ମଧ୍ୟ ଦେଇ ଯାଇଥିବା ନବନିର୍ମିତ ଜାତୀୟ ରାଜପଥ ୧୮ର ଚାରି ଲେନ ବିଶିଷ୍ଟ ରାସ୍ତା କାର୍ଯ୍ୟ ସରିବା ପରେ ରୋଡ୍ ଡିଭାଇଡର୍ ରେ ହଜାର ହଜାର ଛୋଟବଡ଼ ଗଛ ଲଗାଯାଇଥିଲା। ସେଥି ମଧ୍ୟରୁ ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ ଅଧିକାଂଶ ଫୁଲ ଗଛ ସହ ରାତ୍ରି ସମୟରେ ଗାଡି ଲାଇଟ ସାମ୍ନା ଗାଡି ଡ୍ରାଇଭର ଆଖିରେ ନପଡିବା ପାଇଁ ବିଭିନ୍ନ ପ୍ରକାର ପତ୍ର ଗହଳ ଗଛ ସବୁ ଲଗାଯାଇଥିଲା। ଉକ୍ତ ଗଛ ଗୁଡିକ ପରିବେଶ ଅନୁକୂଳ ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଗଛ ଗୁଡିକୁ ଲଗାଇବାର ପ୍ରଥମ କିଛି ଦିନରେ ଥରେ ଅଧେ ପାଣି ମଧ୍ୟ ଦିଆଯାଇଥିଲା। ମାତ୍ର ଗ୍ରୀଷ୍ମ ଋତୁର ମଧ୍ୟ ଭାଗରେ ଖରାର ପ୍ରଭାବ ବଢ଼ିବା ପରେ ନା ଗଛର ଯତ୍ନ ନିଆଗଲା ନା ଆବଶ୍ୟକ ଅନୁଯାୟୀ ପାଣି ଦିଆଗଲା। ଫଳରେ ବର୍ତ୍ତମାନ ବୈଶିଙ୍ଗା ପାଖାପାଖି ହଜାର ହଜାର ଗଛଗୁଡିକର ଅବସ୍ଥା ନ କହିଲେ ଭଲ, ସମ୍ପୂର୍ଣ ଶୁଖିଯାଇ କେବଳ ଶୁଖିଲା କାଠି ଖଣ୍ଡକ ଛିଡା ହୋଇଛି।

ଆହୁରି ଅନେକ ସ୍ଥାନରେ ରୋଡ଼ ଡିଭାଇଡର୍‌ର କବଚ ପାଇଁ କିଛି ବ୍ୟବସ୍ଥା ନଥିବାରୁ ଗୋରୁ ଗାଈ ରାସ୍ତା ପାର କରି ଆସି ଗଛର ଡାଳ ପତ୍ର ଖାଇଦେଉଛନ୍ତି ଫଳରେ କେବଳ ଥୁଣ୍ଟା କାଣ୍ଡ ଖଣ୍ଡକ ଛିଡା ହୋଇଛି। ସବୁଠୁ ରୋଚକ ବିଷୟ ଅର୍ଦ୍ଧାଧିକ ଗଛ ପାଣି ଅଭାବରୁ ମରିସାରିଥିଲାବେଳେ ବର୍ଷା ଋତୁରେ ଆଗମନର ବର୍ଷା ଲାଗି ରହିଥିଲେ ବି ଗୁରୁବାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଗଛରେ ପାଣି ଦିଆଯାଇ ପୁନର୍ଜନ୍ମ ଦେବାର ପ୍ରୟାସ କରାଯାଉଛି, ଯାହା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟାନିତ କରିଛି l

ସମ୍ବନ୍ଧିତ ଖବର