ଟ୍ରେଲର ଦୁର୍ଘଟଣାରେ ଜଣେ ମୃତ

ଚମକପୁର : ଚମ୍ପୁଆ ଥାନା ଅର୍ନ୍ତଗତ ୫୨୦ନଂ ଜାତୀୟ ରାଜପଥର ନାରଦପୁର ନିକଟ ଢାବା ସମ୍ମୁଖରେ ଆଜି ଏକ ଟ୍ରଲର ଧକ୍କାରେ ଜଣେ ମୃତ୍ୟୁ ଘଟିଛି। ରିମୁଳିଠାରୁ ବିଲେଇପଦା ମଧ୍ୟରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଗତ ୯ ଦିନ ମଧ୍ୟରେ ୪ ଜଣଙ୍କ ଜୀବନ ଗଲାଣି।

ପ୍ରାପ୍ତ ସୂଚନା ମୁତାବକ, ଆଜି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଅମଳାଣିଗୋଡ଼ା ଗ୍ରାମର ମିତ୍ରଭାନୁ ମହାନ୍ତ(୪୦) ବିଲେଇପଦାରୁ ନିଜ ଡିୟୁଟି ସାରି ଏକ ବାଇକନଂ(ଓଡି୦୯ଏ–୧୪୦୯) ଯୋଗେ ଘରକୁ ଫେରୁଥିବା ସମୟରେ ଢାବା ସମ୍ମୁଖରେ ରିମୁଳି ପଟୁ ଏକ ଟ୍ରଲର ନଂ(ଏନଏଲ୦୭ଏଏ–୨୬୫୦) ଗାଡ଼ିଟି  ଦ୍ରୁତ ଗତିରେ ରାସ୍ତା ଡିଭାଇଡର ଚଢ଼ି ବାମ ପାର୍ଶରେ ଯାଉଥିବା ମିତ୍ରଭାନୁ ମହାନ୍ତଙ୍କୁ ଧକ୍କା ଦେବାରୁ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଡ୍ରାଇଭରଙ୍କୁ ଅଟକ ରଖି  ତଦନ୍ତ ଆରମ୍ଭ କରିଛି।  ୫୨୦ନଂ ଜାତୀୟ ରାଜପଥ ରିମୁଳି ଠାରୁ ବିଲେଇପଦା ମଧ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

୨୧ତାରିଖରେ ତଡୁଆବାହାଳ ନିକଟରେ ଟ୍ରେଲର ଧକ୍କାରେ ୨ଜଣ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାଘଟି ଘଟଣାସ୍ଥଳରେ ମୃତୁ  ଘଟିଥିଲା ବେଳେ  ୨୬ତାରିଖରେ କଣ୍ତରା ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା।  ୯  ଦିନ ମଧ୍ୟରେ ସମୁଦାୟ ୪ଜଣଙ୍କ ଜୀବନ ଗଲାଣି। ଅନ୍ୟ ପକ୍ଷରେ ରିମୁଳି ଠାରୁ ବିଲେଇପଦା ପର୍ଯ୍ୟନ୍ତ ରାଜପଥ କଡ଼ରେ ବିଭିନ୍ନ ସ୍ଥାନରେ ଦେଶୀ ମଦ, ହାଣ୍ତିଆ  ଅବାଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ମଦ ପିଇବାକୁ ରାସ୍ତା କଡ଼ରେ ଡ୍ରାଇଭର ଟ୍ରକକୁ ଘଣ୍ଟାଣ୍ଟା ଧରି ଠିଆ କରାଉଥିବାରୁ ଦୁର୍ଘଟଣା  ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଥିପ୍ରତି ପୁଲିସ ଓ ଅବକାରୀ ବିଭାଗ ତୁରନ୍ତ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର