ଭୁବନେଶ୍ବର: ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷରେ ଛନ୍ଦି ହୋଇଥିବା ବିଜେଡିରେ ଆଜି ପୁଣି କମ୍ପନ ସୃଷ୍ଟି ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକାଥରେ ଦୁଇଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଚମ୍ପୁଆର ସନାତନ ମହାକୁଡ଼ ଓ ପାଟକୁରାର ଅରବିନ୍ଦ ମହାପାତ୍ର। ବିଜେଡି କ୍ଷମତାଚ୍ୟୁତ ହେଲା ପରେ ପ୍ରଥମ ଥର ପାଇଁ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସନାତନ ଲଗାତାର ବିଜେଡି ବିରୋଧରେ ବିଷୋଦଗାର କରୁଥିଲେ। ଏଣୁ ତାଙ୍କ ନିଲମ୍ବନକୁ ସ୍ବାଭାବିକ କୁହାଯାଉଛି। ହେଲେ ଅରବିନ୍ଦଙ୍କ ନିଲମ୍ବନ ରହସ୍ୟମୟ ହୋଇଯାଇଛି। କେଉଁ କାରଣ ପାଇଁ ତାଙ୍କୁ ନିଲମ୍ବନ କରାଗଲା, ତାହା ସ୍ପଷ୍ଟ ହୋଇପାରୁ ନାହିଁ। 

Advertisment

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

ବିତ୍ତଶାଳୀ ବିଧାୟକ ସନାତନ ମହାକୁଡ଼ ଚମ୍ପୁଆରୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସ୍ବାଧୀନ ଭାବେ ଜିତିଥିବା ସନାତନ ପରବର୍ତ୍ତୀ ସମୟରେ ବିଜେଡି ସହ ହାତ ମିଳାଇଥିଲେ। ହେଲେ ୨୦୨୪ରେ କ୍ଷମତା ବଦଳି ବିଜେପି ଶାସନକୁ ଆସିଲା। ଏଥିସହିତ ବଦଳିଲା ସନାତନଙ୍କ ସ୍ବର। ସନାତନ ବାରମ୍ବାର ବିଜେପି ପ୍ରତି ଅନୁକୂଳ ଆଭିମୁଖ୍ୟ ଦେଖାଉଥିଲେ। ବିଜେଡିର ଅଧିକାଂଶ ବୈଠକରେ ସେ ସାମିଲ ହେଉ ନଥିଲେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଖୋଲା‌ଖୋଲି ପ୍ରଶଂସା କରୁଥିଲେ। ଗତକାଲି ବିଜେଡିକୁ ସେ ସିଧା ସମାଲୋଚନା କରିଥିଲେ। ବିଜେଡି ଶାସନ ସମୟରେ କେନ୍ଦୁଝରକୁ ଅବହେଳା କରାଯାଇଥିଲା ବୋଲି ଅଭିଯୋଗ ଲଗାଇଥିଲେ। ଆଜି ଦଳ ତାଙ୍କୁ ଦୂରେଇ ଦେଇଛି। 

ବିଜେଡିଠୁ ଦୂରେଇ ରହୁଥିଲେ ସନା
ରହସ୍ୟରେ ଅରବିନ୍ଦଙ୍କ ନିଲମ୍ବନ

ହେଲେ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ସମସ୍ତଙ୍କୁ ଚକିତ କରିଛି। ଅରବିନ୍ଦଙ୍କର ଦଳବିରୋଧୀ କାମ କେବେ ଖୋଲାଖୋଲି ପଦାକୁ ଆସିନି। ନବୀନଙ୍କ ପାରମ୍ପରିକ ଶତ୍ରୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ନିର୍ବାଚନର କିଛି ଦିନ ଆଗରୁ ବିଜେଡିରେ ସାମିଲ କରାଯାଇ ପ୍ରାର୍ଥୀ କରାଯାଇଥିଲା। ବିଜୟ ତାଙ୍କ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ ଏବଂ ଅରବିନ୍ଦ ଜିତିଥିଲେ। ଦଳ କିମ୍ବା ସଭାପତିଙ୍କ ବିରୋଧରେ ସେ ‌ଗଣମାଧ୍ୟମରେ ଖୋଲା ମନ୍ତବ୍ୟ ଦେଇ ନଥିଲେ। ତାହା ସତ୍ତ୍ବେ ତାଙ୍କୁ ଅତର୍କିତ ନିଲମ୍ବନ କରାଯାଇଛି। ନିଜେ ଅରବିନ୍ଦ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ‌ଗଣମାଧ୍ୟମକୁ ସେ କହିଛନ୍ତି, ମୁଁ ନିଲମ୍ବନ ସମ୍ପର୍କ‌ରେ ଗଣମାଧ୍ୟମରୁ ଜାଣିଲି। ଦଳର କୌଣସି ନେତା ମୋ ସହ କଥା ହୋଇନାହାନ୍ତି। କାହିଁକି ନିଲମ୍ବନ କରାଗଲା, ମୁଁ ଜାଣି ନାହିଁ। ଦଳକୁ ଅସୁବିଧାରେ ପକାଇଲା ପରି କାମ ମୁଁ କରି ନାହିଁ। 

Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ

ଆଜି ନିଲମ୍ବନ ଆଦେଶ ଗଣମାଧ୍ୟମକୁ ଦିଆଯିବା ସମୟରେ ନବୀନ ନିବାସରେ ୧୦ ଜଣ ବିଧାୟକ ଉପସ୍ଥିତ ଥିଲେ। ଗତ ତିନି ଦିନ ହେଲା ୧୦ ଜଣ ଲେଖାଏଁ ବିଧାୟକଙ୍କୁ ପାଳି କରି ଡକାଯାଉଛି। ସେହି କ୍ରମରେ ଆଜି ମଧ୍ୟ ବିଧାୟକଙ୍କୁ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଦୁଇ ବିଧାୟକ ଉପସ୍ଥିତ ଥିଲେ। ଜଣେ ବିଧାୟକ ଏହି ନିଷ୍ପତ୍ତିକୁ ନବୀନଙ୍କ ସାମନାରେ ନାପସନ୍ଦ କରିଥିଲେ। ତେବେ ନିଷ୍ପତ୍ତି ଯଥାର୍ଥ ବୋଲି ନବୀନ କହିଥିଲେ। ଯେଉଁମାନେ ନବୀନ ନିବାସରୁ ବାହାରିଲେ ସେମାନଙ୍କ ପ୍ରତିକ୍ରିୟା ଜାଣିବାକୁ ଗଣମାଧ୍ୟମ ପ୍ରତିନିଧି ଭିଡ଼ ଜମାଇଥିଲେ। ରୋଚକ ବିଷୟ ହେଲା, ସମସ୍ତଙ୍କ ଭାଷା ସମାନ ଥିଲା। ପ୍ରତିକ୍ରିୟା ହେଲା, ‘‘ଦଳ ବିରୋଧରେ ଯିଏ ଯିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ‘ଦୁର୍ନୀତିଗ୍ରସ୍ତ ବିଶ୍ବାସଘାତକ’ଙ୍କୁ ଦଳରେ ସ୍ଥାନ ନାହିଁ। ସଭାପତି ଗୁଇନ୍ଦା ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।’’ ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ ବି ସମାନ କଥା କୁହାଯାଇଥିଲା। ଦଳର ସଭାପତି ସବୁପ୍ରକାର ସୂଚନା ପାଇ ଆବଶ୍ୟକ ପ୍ରକ୍ରିୟାରେ ଉଭୟଙ୍କୁ ନିଲମ୍ବନ କରିଛନ୍ତି ବୋଲି ପ୍ରେସ୍ ବିବୃତିରେ କୁହାଯାଇଛି। ଆଜିର କାର୍ଯ୍ୟାନୁଷ୍ଠାନ ପରେ ବିଧାନସଭାରେ ବିଜେଡିର ବିଧାୟକ ସଂଖ୍ୟା ୪୮କୁ ଖସିଆସିଛି। ପୂର୍ବରୁ ନୂଆପଡ଼ାରେ ପରାଜୟ ପରେ ଗୋଟିଏ ଆସନ କମିଥିଲା।