ଝାରସୁଗୁଡା: ଝାରସୁଗୁଡ଼ାରୁ ଦିଲ୍ଲୀ ଅଭିମୁଖେ ଶୁକ୍ରବାର ଏଲାୟନ୍ସ ଏୟାର୍ ବିମାନର ପରୀକ୍ଷଣ ଉଡ଼ାଣ ହୋଇଥିଲା। ୭୨ ସିଟ୍ ବିଶିଷ୍ଟ ବିମାନ ଏଟିଆର-୭୨ ସକାଳ ୧୦ ଟାରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରୁ ବାହାରି ୧୨.୪୫ରେ ରାୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ରାୟପୁରରୁ ପୁଣି ୧.୧୫ରେ ବାହାରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ୨.୧୫ରେ ପହଞ୍ଚିଥିଲା। ଝାରସୁଗୁଡ଼ାରୁ ଏହି ବିମାନ ୨.୪୫ରେ ବାହାରି ସିଧାସଳଖ ଦିଲ୍ଲୀ ଅଭିମୁଖେ ଯାଇ ସେଠାରେ ୫.୧୫ରେ ପହଞ୍ଚିଥିଲା। ତେବେ ଏହି ବିମାନରେ ୪ ଜଣ ଯାତ୍ରୀ ଝାରସୁଗୁଡ଼ାରେ ଓହ୍ଲାଇଥିବା ବେଳେ ଝାରସୁଗୁଡ଼ାରୁ ଦିଲ୍ଲୀ ଅଭିମୁଖେ ୩୦ ଜଣ ଯାତ୍ରୀ ଯାଇଥିବା ଏଲାୟନ୍ସ ଏୟାର୍ ଷ୍ଟେସନ୍ ମ୍ୟାନେଜର ଅଭିଜିତ ଶତପଥୀ ସୂଚନା ଦେଇଛନ୍ତି।
ସେହିପରି ସ୍ପାଇସଜେଟ୍ର ୧୯୦ ସିଟ ବିଶିଷ୍ଟ ବିମାନରେ ଆଜି ଝାରସୁଗୁଡ଼ାରୁ ଦିଲ୍ଲୀକୁ ୧୫୪ ଜଣ ଯାତ୍ରୀ ଯାଇଥିବା ଜଣାଯାଇଛି। ସ୍ପାଇସ୍ଜେଟ ବିମାନ ୨ ଦିନ ବାତିଲ ରହିବା ପରେ ଆଜି ଉଡ଼ାଣ କରିଥିଲା। ଯାତ୍ରୀ ସଂଖ୍ୟାକୁ ନେଇ ଅଧିକ ବିମାନ ସେବା ପାଇଁ ଏୟାରଲାଇନ୍ସଗୁଡ଼ିକ ପ୍ରଥମେ ପରୀକ୍ଷଣ ଉଡ଼ାଣ କରିଥାନ୍ତି। ଦିଲ୍ଲୀ ରୁଟ୍ରେ ଅଧିକ ଯାତ୍ରୀ ହେଉଥିବା ଦୃଷ୍ଟିରୁ ଏଲାୟନ୍ସ ଏୟାର ଆଜି ତା’ର ଏହି ପରୀକ୍ଷଣ ଉଡ଼ାଣ କରିଥିଲା। ତେବେ ମାତ୍ର ୩୦ ଜଣ ଯାତ୍ରୀ ଯାଇଥିବା ବେଳେ ୪୨ ଗୋଟି ସିଟ୍ ଖାଲି ରହିଥିଲା। ଝାରସୁଗୁଡ଼ା ବିମାନ ବନ୍ଦର ଉଡ଼ାନ ସ୍କିମ୍ରେ ଆରମ୍ଭ କରାଯାଇଥିବା ବେଳେ ସରକାର ଟ୍ୟାକ୍ସ ଫ୍ରି କରିଥିବାରୁ ଟିକେଟ ମୂଲ୍ୟ କମ୍ ଥିଲା। ତେବେ ଗତ ଜୁନ ମାସରୁ ଉଡ଼ାନ ସ୍କିମ୍ ଉଠାଇ ନିଆଯାଇଥିବାରୁ ଯାତ୍ରୀଙ୍କୁ ଅଧିକ ଟିକସ ଦେବାକୁ ପଡୁଛି। ଫଳରେ ଟିକେଟ ମୂଲ୍ୟରେ ବୃଦ୍ଧି ଘଟୁଥିବାରୁ ସ୍ଥାନୀୟ ଯାତ୍ରୀ ଏବେ ବିମାନ ଯାତ୍ରାରୁ ମୁହଁ ହଟାଇ ନେଉଥିବା କୁହାଯାଉଛି।