କେନ୍ଦ୍ରାପଡ଼ାକୁ ଗଡ଼ିଲା ରେଳ ଇଞ୍ଜିନ

କେନ୍ଦ୍ରାପଡ଼ା/ଚଣ୍ଡିଖୋଲ : ସ୍ବାଧୀନତାର ୭୨ ବର୍ଷ ପରେ କେନ୍ଦ୍ରାପଡ଼ାକୁ ଆଜି ପ୍ରଥମ ଥର ପାଇଁ ଗଡ଼ିଛି ରେଳ ଗାଡ଼ି। ଯଦିଓ ପରୀକ୍ଷାମୂଳକ ଭାବେ ଆଜି ନୂଆ ରେଳଲାଇନ ଉପରେ ରେଳ ଇଞ୍ଜିନ ଗଡ଼ିଛି, ଖୁବଶୀଘ୍ର କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। କେନ୍ଦ୍ରାପଡ଼ାରେ ରେଳ ଗାଡ଼ି ନିୟମିତ ଭାବେ ଚାଲିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି। ଶିଳାନ୍ୟାସର ୨୦ ବର୍ଷ ପରେ ଆଜି ପରୀକ୍ଷାମୂଳକ ଭାବେ ହରିଦାସପୁର-ପାରାଦୀପ ରେଳପଥରେ ଏକ ରେଳ ଇଞ୍ଜିନ ହରିଦାସପୁରରୁ ବାହାରି କେନ୍ଦ୍ରାପଡ଼ାର ଗୋପ ପର୍ଯ୍ୟନ୍ତ ଆସିଥିଲା। ପ୍ରଥମ ଦିନରେ ୪୨.୪ କିମି ଯାତ୍ରା କରିବାକୁ ଇଞ୍ଜିନକୁ ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ପୂର୍ବତଟ ଆରବିଏନ୍‌ଏଲ୍‌ର ଉପ ମହାପ୍ରବନ୍ଧକ ରାଜୀବ ଲୋଚନ ପାଣ୍ଡେ କହିଛନ୍ତି ଯେ, ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ସାରା ଭାରତ ବର୍ଷରେ ଏହା ହେବ ପ୍ରଥମ ଫାଟକ ବିହୀନ ରେଳପଥ। ରେଳପଥରେ ସବୁ ଟ୍ରାକ୍ ଓ ବିଦ୍ୟୁତ ସର୍କିଟଗୁଡ଼ିକ ଯାଞ୍ଚ କରାଯାଇଛି। ସବୁ ଠିକଠାକ୍‌ ଅଛି। ୨୫ କୋଟି ଟଙ୍କାରେ କେନ୍ଦ୍ରାପଡ଼ାର ଗୋପ ଛକଠାରେ ଏକ ସ୍ବତନ୍ତ୍ର ଗ୍ରିଡ୍ କାମ ହେଉଛି।

ଏହା ଯେତେଶୀଘ୍ର ଶେଷ ହେବ ସେତେ ଶୀଘ୍ର ରେଳ ଚଳାଚଳ ପାଇଁ ବାଟ ଫିଟିବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବତଟ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି ଯେ ଆଜି ଯେଉଁ ଇଞ୍ଜିନଟି ଗଡ଼ିଛି ତାହା ରେଳଧାରଣାର ବିଦ୍ୟୁତ ସଂଯୋଗଗୁଡ଼ିକ ଯାଞ୍ଚ କରିବାରେ କାମରେ ଲାଗିଥାଏ। ଏବେ ଟାୱାର ଓ ବିଦ୍ୟୁତ୍‌ କାମ ଚାଲିଛି। ଫଳରେ ରେଳଧାରଣା କାର୍ଯ୍ୟକ୍ଷମ ହେବାକୁ ଆଉ କିଛି ମାସ ଲାଗିଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ଆଜି ପରୀକ୍ଷାମୂଳକ ଇଞ୍ଜିନ୍‌ ଚଳାଚଳ ବେଳେ ୧୭ ଜଣିଆ ବୈଷୟିକ ଟିମ୍ ଓ ବିଭାଗୀୟ ବହୁ ଅଧିକାରୀ ଉପସ୍ଥିତ ଥିଲେ। ରେଳପଥରେ ଇଞ୍ଜିନ ଚାଲୁ ହେବା ପରେ ରେଳପଥର କ୍ଷମତା, ବିଦ୍ୟୁତ ସଂଯୋଗ ଏବଂ ଧାରଣାର ସମଦୂରତାକୁ ଯାଞ୍ଚ କରାଯାଇଥିଲା। ପ୍ରକଳ୍ପ ପରିଚାଳକ ଶୁଭେନ୍ଦୁ ଦଣ୍ତପାଟ ଏହି ପ୍ରକଳ୍ପ କାମ ଖୁବଶୀଘ୍ର ଶେଷ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

ସୂଚନା ଥାଉକି, ୧୯୯୬–୯୭ରେ ଏହି ପ୍ରକଳ୍ପର ଶୁଭ ଦିଆଯାଇଥିଲା। ରେଳପଥ କାମ ଶେଷ ହେବାକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଲାଗି ଯାଇଛି। ହରିଦାସପୁରରୁ ପାରାଦୀପକୁ ସଂଯୋଗ କରୁଥିବା ଏହି ରେଳପଥର ଦୈର୍ଘ୍ୟ ରହିଛି ୮୨ କିଲୋମିଟର। ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ଦୈତାରୀ ବାଂଶପାଣିରୁ ସିଧାସଳଖ ପାରାଦୀପକୁ ଖଣିଜ ଦ୍ରବ୍ୟ ପରିବହନ କାମ ସହଜ ଓ ଖର୍ଚ୍ଚ କମା କରାଯାଇ ପାରିବ। ଏବେ କଟକ-ପାରାଦୀପ ରେଳପଥରେ ମାଲ ପରିବହନ ହେଉଛି । ହରିଦାସପୁରରୁ କେନ୍ଦ୍ରାପଡ଼ା ବାଟ ଦେଇ ପାରାଦୀପକୁ ରେଳ ଚଳାଚଳ କଲେ ଅଧାରୁ ଅଧିକ ବାଟ କମିଯିବ। ଏହି ରେଳପଥ ଦ୍ବାରା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଆଦି ୩ ଟି ଜିଲ୍ଲାବାସୀ ଉପକୃତ ହୋଇ ପାରିବେ। ଚଣ୍ତୀଖୋଲରୁ ପାରାଦୀପକୁ ଲମ୍ବିଥିବା ୫ ନଂ(କ) ଜାତୀୟ ରାଜପଥରେ ମାଲ ପରିହନ କରୁଥିବା ଟ୍ରକ୍ ସଂଖ୍ୟା କମିଯିବ ଓ ଦୈନନ୍ଦିନ ଟ୍ରାଫିକ୍ ସମସ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର