ଜନସେବାରେ ବ୍ରତୀ ଆଦିବାସୀ ମହିଳା ଡାକ୍ତର, ୧୮୪ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରି ହୋମ୍‌ କ୍ବାରାଣ୍ଟିନ୍‌ରେ

ରାଉରକେଲା : ପିଲାଟି ଦିନରୁ ଲୋକଙ୍କ ସେବା କରିବାରେ ଆଗ୍ରହ ଥିଲା। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଡାକ୍ତରୀ ପଢ଼ିଲେ। ପରେ ଡାକ୍ତରଭାବେ ଅନେକ ବର୍ଷ ହେଲା ଚାକିରି କରୁଛନ୍ତି। ବେଶ୍‌ କିଛି ଦିନ ହେଲା ବ୍ଲଡ୍‌ ବ୍ୟାଙ୍କ୍‌ ଅଧିକାରୀଭାବେ କାର୍ଯ୍ୟରତ ଥିଲେ ଏହି ଆଦିବାସୀ ମହିଳା ଡାକ୍ତର। ଠିକ୍‌ ଏହି ସମୟରେ କରୋନା ମହାମାରୀ ଆରମ୍ଭ ହେଲା। ଜନସେବାରେ ବ୍ରତୀ ଏହି ମହିଳା ଡାକ୍ତର ଜଣକ କରୋନା ବିରୋଧରେ ଯୁଦ୍ଧରେ ସାମିଲ ହେଲେ। ସେ ଏପର୍ଯ୍ୟନ୍ତ ୧୮୪ ଜଣ କରୋନ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ସୁସ୍ଥ ଅଛନ୍ତି, ମାତ୍ର ସତର୍କତାମୂଳକ ପଦକ୍ଷେପ ସଦୃଶ ଆଦେଶ ମାନି ବର୍ତ୍ତମାନ ହୋମ୍‌ କ୍ବାରାଣ୍ଟିନ୍‌ରେ ଅଛନ୍ତି। ରାଉରକେଲା ବନ୍ଧମୁଣ୍ଡା ଜନ୍ମିତ ତଥା ସଂପ୍ରତି ଝାରସୁଗୁଡ଼ା ସରକାରୀ ହସପିଟାଲ ବ୍ଲଡ୍‌ ବ୍ୟାଙ୍କ୍‌ରେ କାର୍ଯ୍ୟରତ ଡା. ସିଳବନ୍ତୀ ଯୋଯୋଙ୍କ ନିଷ୍ଠାପର ଓ ନିସ୍ବାର୍ଥପର ଜନସେବା ଏବେ ଚର୍ଚ୍ଚାରେ।

ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନୀ ଗ୍ରାମରେ ଯୋଶୋଫ ଯୋଯୋ ଓ ଯୋଶେଫିନ୍‌ ଯୋଯୋଙ୍କ ଝିଅ ସିଳବନ୍ତୀ ବ୍ରହ୍ମପୁର ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଓ କଟକ ଏସ୍‌ସିବିରୁ ପାଥୋଲୋଜିରେ ପୋଷ୍ଟଗ୍ରାଜୁଏଜନ୍ କରିଥିଲେ। ୧୯୯୬ରେ ପଙ୍କଡ଼ିହିର ଟି. କାଣ୍ଡୁଲାନାଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ମାର୍ଚ୍ଚ ତୃତୀୟ ସପ୍ତାହ ଆରମ୍ଭବେଳକୁ କରୋନାର ପଦଧ୍ବନି ଓଡ଼ିଶା ମାଟିରେ ପଡ଼ିସାରିଥିଲା। କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ନିୟମାବଳୀ ଜାରି କରିଥିଲେ। ପ୍ରବାସୀମାନେ ନିଜ ନିଜ ଜିଲ୍ଲାକୁ ଫେରିଥିଲେ। ପ୍ରତ୍ୟେକ ସନ୍ଦିଗ୍ଧଙ୍କୁ ନମୁନା ସଂଗ୍ରହ ଓ ପରୀକ୍ଷଣ ବାଧ୍ୟତାମୂଳକ କରାଯାଇଥିଲା। ସେତିକିବେଳେ ଡା. ସିଳବନ୍ତୀ ଗତ ମାର୍ଚ୍ଚ ୨୭ ତାରିଖରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ୧୮୪ ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ତାଙ୍କର ଏତାଦୃଶ ଜନସେବା ସମସ୍ତଙ୍କୁ ବିମୋହିତ କରିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ ପରାମର୍ଶ ‌ଦିଆଯାଇଥିଲା। ସଂପୂର୍ଣ୍ଣ ସୁସ୍ଥ ଥିବା ଓ କରୋନା ଲଢ଼େଇରେ ନିଜର ସେବାକୁ ପୂର୍ବବତ୍ ଜାରି ରଖିବାକୁ ସେ ଘରେ ରହିବାକୁ ପ୍ରଥମେ ଅମଙ୍ଗ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ମାନିଥିଲେ। ଡା. ସିଳବନ୍ତୀ ବର୍ତ୍ତମାନ ହୋମ୍‌ କ୍ବାରାଣ୍ଟିନ୍‌ରେ। ଗତ ୧୮ ତାରିଖରୁ ସେ ନିଜର ବାସଭବନରେ ଅନ୍ୟ ଏକ ରୁମ୍‌ରେ ଗୃହାବଦ୍ଧ ହୋଇ ରହୁଛନ୍ତି।

ତାଙ୍କର କୌଣସି ଲକ୍ଷଣ ନାହିଁ କିନ୍ତୁ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସେ ହୋମ୍‌ କ୍ବାରାଣ୍ଟିନ୍‌ରେ। ନିଜ ପ୍ରତିକ୍ରିୟାରେ ଡା. ସିଳବନ୍ତୀ କହିଛନ୍ତି, ‘‘ଜନସେବା ପାଇଁ ଡାକ୍ତରୀ ବୃତ୍ତି ଆପଣେଇଛି, ଏବେ ତାକୁ ପାଳନ କରୁଛି। ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ ନିର୍ଦ୍ଦେଶାନାମାର କଡ଼ା ପାଳନ କରନ୍ତୁ। କ୍ବାରାଣ୍ଟିନ୍‌ ଅଭିଜ୍ଞତା ବିଷୟରେ ପଚାରିବାରୁ କହିଲେ, ‘‘ବ୍ୟକ୍ତିଗତଭାବେ କହିବାକୁ ଗଲେ, ମୁଁ କରୋନାକୁ ଭୟ କରୁନି। ପରିବାର, ସମାଜ, ଦେଶକୁ ସୁରକ୍ଷିତ ରଖିବାକୁ ଗୃହାବଦ୍ଧ ହୋଇ ରହିଛି। ଏହା ହିଁ ଏକମାତ୍ର ବିକଳ୍ପ। ଏବେ ଅଧିକ ସମୟ ଧାର୍ମିକ ପୁସ୍ତକ ପଢ଼ିବାରେ ବିତୁଛି। ଜେଲ୍‌ରେ କଏଦୀମାନଙ୍କୁ ଯେଭଳି ଖାଇବାକୁ ଦିଆଯାଏ, ଠିକ୍‌ ସେହିଭଳିଭାବେ କବାଟ ତଳେ ଗଳେଇ ଖାଦ୍ୟ ଦେବାକୁ କହିଛି। ଘରେ ହିଁ ଅଛି, ଘରୁ ଗୋଟିଏ ପାଦ ବି ବାହାରକୁ ବଢ଼ାଇନି। ଲୋକଙ୍କୁ ଏହି ମହାମାରୀର ମୁକାବିଲା କରିବାକୁ ହେବ। କେବଳ ଘରେ ରହି, ସାମାଜିକ ଦୂରତ୍ବ ବଜାୟ ରଖି ହିଁ ଏହା ସମ୍ଭବ।’’

ସମ୍ବନ୍ଧିତ ଖବର