ଅନୁଗୁଳରେ ଆଦିବାସୀ, ଦଳିତଙ୍କ ଜମି ହଡ଼ପ ହୋଇଛି : କଂଗ୍ରେସ

ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ଓ ହରିଜନଙ୍କ ୭୦୦ ଏକର ଜମିକୁ ଗୋଟିଏ ପରିବାର ହଡ଼ପ କରିଛି ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। ଏହାର ପ୍ରଚ୍ଛଦ ପଟରେ ଜଣେ ଯୁବ ଆଇଏଏସ୍‌ ଅଫିସର୍‌ ରହିଥିବା ନେଇ ସେ ଇଙ୍ଗିତ ଦେଇଛନ୍ତି। ଆଦିବାସୀ ଓ ତଫସିଲ୍‌ଭୁକ୍ତ ଜାତି ଲୋକଙ୍କ ଜମି କିଣିଲା ବେଳେ ଯେଉଁ ନିୟମ କାନୁନ୍‌ ଅଛି ତାହାକୁ ପାଦରେ ଦଳି ଦେଇ ତତ୍‌କାଳୀନ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜସ୍ବ ଅଧିକାରୀମାନେ ଜମିର ପଞ୍ଜୀକରଣ କରାଇଛନ୍ତି। ଏହି ଜମିର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ହେବ। ଯେଉଁ ପରିବାର ଏହି ଜମି କିଣିଛନ୍ତି ତାଙ୍କର ଆର୍ଥିକ ସାମର୍ଥ୍ୟକୁ ନେଇ ଶ୍ରୀ ମାଝୀ ପ୍ରଶ୍ନ କରିବା ସହ ଏହି ପରିବାର କୋଭିଡ୍‌ ସମୟରେ ସରକାରଙ୍କୁ ଜିନିଷପତ୍ର ଯୋଗାଣରେ ଦଲାଲି କରୁଥିବା ସେ ଅଭିଯୋଗ କରିଛନ୍ତି।

ଶ୍ରୀ ମାଝୀଙ୍କ ଅଭିଯୋଗ ଅନୁଯାୟୀ ୨୦୧୦ ମସିହାରେ ଏହି ପରିବାରର କୌଣସି ଆର୍ଥିକ ସ୍ବଚ୍ଛଳତା ନ ଥିଲା। ତତ୍‌କାଳୀନ ଜିଲ୍ଲାପାଳଙ୍କର ସେହି ବ୍ୟକ୍ତି ଜଣଙ୍କ ସମ୍ପର୍କୀୟ ଥିଲେ। ସେହି ସମୟରେ ଯୋଗାଣ ବିଭାଗ ଅଧୀନରେ ସେ ଜଣେ ପରିବହନ ଏଜେଣ୍ଟ୍‌ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଆଉ ଦୁଇ ଜଣ ଜିଲ୍ଲାପାଳଙ୍କ ସମୟରେ ମଧ୍ୟ ଚଞ୍ଚକତା କରି ଜମି ହଡ଼ପ କରାଯାଇଛି। ସେହି ପରିବାରର ସଦସ୍ୟମାନଙ୍କ ନାମରେ ଜମି ପଞ୍ଜୀକରଣ କରାଯାଇଛି। ୬ ଜଣ ଉପଜିଲ୍ଲାପାଳ ମଧ୍ୟ ଏହି ଅନିୟମିତତାରେ ସଂପୃକ୍ତ ଅଛନ୍ତି। ଆଦିବାସୀ ଓ ଦଳିତଙ୍କ ଜମି କିଣିଲା ବେଳେ ଯେଉଁ ଡାକ୍ତରୀ ସାର୍ଟିଫିକେଟ୍‌ଗୁଡ଼ିକୁ ବ୍ୟବହାର କରାଯାଇଛି, ତାହା ମିଥ୍ୟା ଦସ୍ତାବିଜ ଉପରେ ଆଧାରିତ। ସଂପୃକ୍ତ ବ୍ୟକ୍ତି ଶହ ଶହ କୋଟି ଟଙ୍କାର ମାଲିକ ହୋଇ ଏତେ ପରିମାଣର ଜମି କିଣିବା ପଛରେ ବରିଷ୍ଠ ଅଧିକାରୀ ଓ ରାଜନେତାଙ୍କ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି। ସରକାର ଏ ଦିଗରେ ତଦନ୍ତ କରି ଦୃଢ଼ ପଦକ୍ଷେପ ନ ନେଲେ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସୁଦର୍ଶନ ଦାସ, ନକୁଳ ନାୟକ, ସନ୍ତୋଷ ପଟ୍ଟନାୟକ, ଟିକନ ବେହେରା, ଜୟନ୍ତ ସାହୁ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର