ସଅରଙ୍କୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି

ଭୁବନେଶ୍ବର : ସଅରଙ୍କୁ ଆଦିବାସୀ ମାନ୍ୟତା ଦାବିରେ ନୀଳମାଧବ ଆଦିବାସୀ ସଂଘ ପକ୍ଷରୁ ଲୋୟର୍‌ ପିଏମ୍‌ଜିଠାରେ ଦିଆଯାଇଥିବା ଧାରଣା ୯ ଦିନରେ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସଂଘ ପକ୍ଷରୁ କୁହାଯାଇଛି ଯେ ୨୦୧୧ ମସିହା ଜନଗଣନା ଅନୁସାରେ ସଅରଙ୍କୁ ଇ˚ରାଜୀରେ ସଓରା ଭାବେ ବିବେଚିତ କରାଯାଇଛି। ପୁରୁଣା କାଳରୁ ‘ସଅର’ ସମ୍ପଦ୍ରାୟ ଆଦିବାସୀ ଭାବେ ପରିଚିତ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଓଡ଼ିଆ ଅଭିଧାନରେ ‘ସଅର’ ଆଦିବାସୀ ଭାବେ ପରିଚିତ। ୧୬୬୧ ମସିହା ଓଡ଼ିଶା ବେଞ୍ଚମାର୍କ ସର୍ଭେର କ୍ର.ନ˚ ୫୯ରେ ସଓରା, ଶବର, ସୌର ବା ଶବରଙ୍କୁ ଆଦିବାସୀ ଭାବେ ଅନ୍ତର୍ଗତ କରାଯାଇଛି। କିନ୍ତୁ ୨୦୧୧ ମସିହା ଜନଗଣନା ଅନୁସାରେ ସଅରଙ୍କୁ ଇ˚ରାଜୀରେ ସଓରା ଭାବେ ବିବେଚିତ କରାଯାଇଛି। ଏହାଦ୍ୱାରା ସେମାନଙ୍କ ମୌଳିକ, ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଇ˚ରାଜୀରେ ଉଚ୍ଚାରଣ କରାଯାଉଥିବା ଏହି ସଓରାକୁ ପରିବର୍ତ୍ତନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। କାରଣ ଅନ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ଓଡ଼ିଶା ସରକାର ଇଂରାଜୀ ‘o’ କୁ ବହୁବାର ‘ଅ’ ଉଚ୍ଚାରଣ କରିଛନ୍ତି। ଅପରପକ୍ଷେ ଆଜି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆନ୍ଦୋଳନକାରୀଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ଯଦି ପୂର୍ବରୁ ଅନ୍ୟମାନଙ୍କ କ୍ଷେତ୍ରରେ ଇଂରାଜୀ ‘o’ଉଚ୍ଚାରଣ ‘ଅ’ ହୋଇଛି, ଏହା ଉପରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ଆନ୍ଦୋଳନକାରୀଙ୍କୁ କହିଥିଲେ। ଧାରଣାସ୍ଥଳରେ ସଂଘ ଉପଦେଷ୍ଟା ଭିକାରୀ ସାହୁ, ପ୍ରସନ୍ନ ବିଶୋଇ, ଲକ୍ଷ୍ମୀଧର ବେହେରା, ଶରତ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର