କୋରେଇ : କୋରେଇ ବ୍ଲକ୍ ବ୍ୟାସନଗର ତହସିଲ ଅନ୍ତର୍ଗତ ଅସନଝର ଗ୍ରାମର ପ୍ରଶାନ୍ତ କୁମାର ବେହେରାଙ୍କ ପୈତୃକ ସମ୍ପତି ଅନୁଯାୟୀ ସେ ଖଣ୍ତାୟତ ଜାତିର ହୋଇଥିବା ବେଳେ ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ଜଣାପଡ଼ିଛି। ଶ୍ରୀ ବେହେରା ଗଜପତି ଜିଲ୍ଲା ଆରଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ୍. ଭଲିଆସାହି ହାଇସ୍କୁଲରେ ୨୦୧୮ ଏପ୍ରିଲ ୨୬ ତାରିଖରୁ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଏଭଳି ତଥ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଜିଲ୍ଲାରେ ଏଭଳି ଅନେକ ଲୋକ ଜାଲ୍‌ ଜାତି ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ବେଳେ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ନିଘୋଡ଼ ନିଦରେ ଶୋଇଛି।

Advertisment

ସୂଚନା ମୁତାବକ, ବ୍ୟାସନଗର ତହସିଲ ଅଧୀନ ଅସନଝର ମୌଜାରେ ପ୍ରଶାନ୍ତ ବେହେରାଙ୍କ ବାପା ରସାନନ୍ଦ ବେହେରାଙ୍କ ନାମରେ ୧୧.୪୦୦ ଏକର ପଟ୍ଟାଜମି ରହିଛି। ଖତିୟାନ୍ ନମ୍ବର ୪୩୨ର ଏହି ପଟ୍ଟାରେ ରସାନନ୍ଦଙ୍କ ଜାତି ଖଣ୍ତାୟତ ଉଲ୍ଲେଖ ରହିଛି। ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଧୁକେଶରୀ ମୌଜାରେ ୨୨୬/୧୩୨ ଖତିଆନରେ ପ୍ରଶାନ୍ତଙ୍କ ନାମରେ ୨ ଡିସିମିଲ ଜମି ରହିଛି। ଘରବାରି କିସମର ଏହି ଜମି ପଟ୍ଟାରେ ବାପାଙ୍କ ନାମ ରସାନନ୍ଦ ବେହେରା ରହିଥିବା ବେଳେ ଜାତି ଶବର ବୋଲି ଦର୍ଶାଯାଇଛି। ଘସିପୁରା ତହସିଲର ଏହି ଜିମପଟ୍ଟା ବଳରେ ପ୍ରଶାନ୍ତ କେସ୍‌ ନମ୍ବର-୩୭୧/୨୦୧୭ରେ ଆଦିବାସୀ ଭାବେ ଶବର ଜାତି ପ୍ରମାଣପତ୍ର ହାସଲ କରିଛନ୍ତି। ସେ ୨୦୦୪ ମାର୍ଚ୍ଚ ମାସରେ ଯାଜପୁର ଜିଲ୍ଲା ରାମକୃଷ୍ଣପୁରସ୍ଥିତ ଜି.ଏଚ୍ ବିଦ୍ୟାପୀଠରୁ ମାଟ୍ରିକ, ୨୦୦୭ ଏପ୍ରିଲରେ ଯାଜପୁରସ୍ଥିତ ସଂସ୍କୃତ ମହାବିଦ୍ୟାଳୟରୁ ଉପଶାସ୍ତ୍ରୀ ଓ ଯୁକ୍ତ ୨ କଳା, ୨୦୧୪ ମସିହା ନଭେମ୍ବରରେ ସାକ୍ଷୀଗୋପାଳ ସରକାରୀ ମାଧ୍ୟମିକ ଟ୍ରେନିଂ ସ୍କୁଲ୍‌ରୁ ଶିକ୍ଷକତା ତାଲିମରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ପ୍ରଶାନ୍ତଙ୍କ ସହିତ ଯୋଗାଯୋଗ କରିବାରୁ ଅଭିଯୋଗକୁ ଖଣ୍ତନ କରିବା ସହିତ ସେ ଶବର ଜାତିର ଏବଂ ତାଙ୍କ ନିକଟରେ ପ୍ରମାଣପତ୍ର ରହିଛି ବୋଲି କହିଛନ୍ତି।

ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଚାକିରିକୁ ଜାଲିଆତି କରି ବହୁ ଅନ୍ୟବର୍ଗର ଲୋକ ହାତେଇଛନ୍ତି। ଫଳରେ ପ୍ରକୃତ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। କୋରେଇ ବ୍ଲକ୍ ଏବଂ ଯାଜପୁର ଜିଲ୍ଲାରେ ଏଭଳି ବହୁ ଶିକ୍ଷକ ଜାଲ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି।

ପ୍ରକାଶ ଯେ, ଗତ ୨୦୧୯ ମସିହା ଅକ୍ଟୋବର ମାସରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ଗତମାସ ୪ ତାରିଖରେ କୋରେଇ ବ୍ଲକ୍ ଅନ୍ତର୍ଗତ ପଛିକୋଟ ଏବଂ ତରପଦା ସ୍କୁଲ୍‌ର ଦୁଇଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନକଲି ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ରେଭେନ୍ୟୁ ଡିଭିଜନାଲ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।