ଆନନ୍ଦପୁର/ଘସିପୁରା: କପି ଯୋଗାଇବାକୁ ନେଇ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁ କୁଶଳେଶ୍ବର ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ନିକଟରେ ବରିପାଳ ଓ ତରିମୂଳ ଗ୍ରାମର ଯୁବକମାନେ ହାତାହାତି ହୋଇଛନ୍ତି। ଏଥିରେ ୪ଜଣ ଆହତ ହୋଇଛନ୍ତି। ଏ ନେଇ ବରିପାଳ ଗ୍ରାମର ଯୁବକଙ୍କ ପକ୍ଷରୁ ଘସିପୁରା ଥାନାରେ ଲିଖିତ ଅଭିଯଗ ହୋଇଛି।
ପୁଲିସର ସୂଚନା ମୁତାବକ ଉଭୟ ଗ୍ରାମର ଛାତ୍ରଛାତ୍ରୀ ଦେଓଗାଁ କୁଶଳେଶ୍ବର ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ଆଜି ପରୀକ୍ଷା ସମୟରେ ନିଜ ଗ୍ରାମର ପିଲାଙ୍କୁ ତରିମୂଳର କେତେକ ଯୁବକ କପି ଯୋଗାଉଥିଲେ। ବରିପାଳର ଯୁବକମାନେ ଏହାକୁ ବାରଣ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରେ ବରିପାଳ ଗ୍ରାମର ଛାତ୍ରଛାତ୍ରୀ ଓ ଯୁବକମାନେ ଘରକୁ ଫେରୁଥିବା ସମୟରେ ବାଟରେ ଷେଣ୍ଡେଇ ଛକ ନିକଟରେ ତରିମୂଳର ଯୁବକମାନେ ସଂଘବଦ୍ଧ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ।
ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଗଣ୍ଡଗୋଳକାରୀ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ଆକ୍ରମଣରେ ବରିପାଳ ଗ୍ରାମର ୪ଜଣ ଆହତ ହୋଇଛନ୍ତି। ଅଭିଷେକ ଦାସ, ନିରଞ୍ଜନ ଦାସଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଷେକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।