ଦାରିଦ୍ର୍ୟର ତାଡ଼ନା ସହି ପାରିଲେନି ଆଦିବାସୀ ଦମ୍ପତି, ୨ ମାସର ଶିଶୁକନ୍ୟାକୁ କୋଲକାତାରେ ବିକିଦେଲେ

ବାରିପଦା : ମୟୂରଭଞ୍ଜରେ ପୁଣି ଶିଶୁକନ୍ୟା ବିକ୍ରି ଅଭିଯୋଗ। ଦାରିଦ୍ର୍ୟ ତାଡ଼ନାରେ ବାଙ୍ଗିରିପୋଷି ଥାନା ବୁଢ଼ିଖମାରୀ ଜୋକା ଗ୍ରାମର ଏକ ଆଦିବାସୀ ଦମ୍ପତି ଦାର୍‌ଘା ମୁର୍ମୁ ଓ ସଲ୍‌ମା ମୁର୍ମୁ ନିଜର ୨ ମାସର ଶିଶୁକନ୍ୟାକୁ କୋଲକାତାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବାଙ୍ଗିରିପୋଷି ସିଡିପିଓ ଓ ଥାନା ଆଇଆଇସିଙ୍କୁ ସୂଚନା ମିଳିଥିବାବେଳେ ଘଟଣା ସମ୍ପର୍କରେ ବିଶେଷ କିଛି ଜଣାପଡ଼ିନଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ବାଳ କହିଛନ୍ତି। ତେବେ ବାଙ୍ଗିରିପୋଷି ସିଡିପିଓଙ୍କୁ ଏ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ‌ବୋଲି ଶ୍ରୀମତୀ ବିଶ୍ବାଳ କହିଛନ୍ତି।

newsoftown.com

ମିଳିଥିବା ସୂଚନା ଅନୁସାରେ, ବାଙ୍ଗିରିପୋଷି ଥାନା ଜୋକା ଗ୍ରାମରେ ରହୁଥିବା ଏହି ଦମ୍ପତିଙ୍କର ରୋଜଗାରର ବିଶେଷ ଉତ୍ସ କିଛିନାହିଁ। ଦୁଇ ମାସ ତଳେ ସେମାନଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଅଭାବ ଅନଟନ କାରଣରୁ ଶିଶୁକନ୍ୟାର ଲାଳନପାଳନ ନେଇ ଏହି ଆଦିବାସୀ ଦମ୍ପତି ହଇରାଣ ହେଉଥିଲେ। ଏଥିପାଇଁ ସେମାନ‌େ କୋଲକତାର ଜନୈକ ବ୍ୟକ୍ତିଙ୍କୁ ଶିଶୁକନ୍ୟାକୁ ବିକ୍ରି କରିଦେଇଥିଲେ। ତେବେ କାହା ପ୍ରରୋଚନାରେ ଉକ୍ତ ଦମ୍ପତି ଏପରି କରିଛନ୍ତି ସେ ସଂପର୍କରେ କିଛି ସୂଚନା ମିଳିନାହିଁ। ନିରକ୍ଷରତା ଓ ଉତ୍କଟ ଦାରିଦ୍ର୍ୟ ଏହାର ମୂଳକାରଣ ବୋଲି କୁହାଯାଉଛି। ଯଦି ଅଭାବ ଅନଟନରୁ ଶିଶୁକନ୍ୟା ବିକ୍ରି ସତ ହୋଇଥାଏ, ତେବେ ଏହା ସାଂଘାତିକ ଘଟଣା। କାରଣ ଶିଶୁଟିଏ ଜନ୍ମ ପୂର୍ବରୁ ବଡ଼ ହେବା ଯାଏ ଏହାର ଲାଳନପାଳନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ସତ୍ତ୍ବେ ଶିଶୁକନ୍ୟା ବିକ୍ରି ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର