ସୁନ୍ଦରଗଡ଼: କାହିଁ କେଉଁ କାଳରୁ ପ୍ରକୃତି କୋଳରେ ବସତି ସ୍ଥାପନ କରିଥିବା ଅନେକ ଆଦିବାସୀ ଅଧ୍ୟୁସିତ ଗାଁଗୁଡ଼ିକ ନିଜ ନିଜ ଭିଟାମାଟିର ପରିଚୟ ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। କିନ୍ତୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବାରୁ ଜଟିଳ ସରକାରୀ ପ୍ରକ୍ରିୟାରେ ଏସବୁ ଗାଁକୁ ପରିଚୟ ଦେବା କଷ୍ଟକର ହେଉଛି। ତେବେ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁସାରେ, ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପାଇବା ମଧ୍ୟରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ଗାଁଗୁଡ଼ିକୁ ରାଜସ୍ବ ଗାଁର ମାନ୍ୟତା ଦେବାକୁ ଦାବି ହୋଇ ଆସୁଛି।
ଏହିକ୍ରମରେ ଟାଙ୍ଗରପାଲି ବ୍ଲକର ରତନପୁର ପଞ୍ଚାୟତର ସାନ ଢବାଖୋଲକୁ ପ୍ରଶାସନ ରାଜସ୍ବ ଗାଁ ମାନ୍ୟତା ଦେଇଛି। ଏହା ପରେ ଜଙ୍ଗଲ ଗାଁର ଅଧିବାସୀ ଖୁସିରେ ଝୁମି ଉଠିଛନ୍ତି। ୬୨ ପରିବାର ମଧ୍ୟରୁ ୫୨ ପରିବାରକୁ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ମିଳିବା ପରେ ରାଜସ୍ବ ଗାଁ ପାଇଁ ସ୍ବର ତୀବ୍ର ହୋଇଥିଲା। ଗତ ୨୦୨୧ରେ ଗାଁର ଗୋଷ୍ଠୀଗତ ଅଧିକାର ନିମନ୍ତେ ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ସ୍ଵତନ୍ତ୍ର ଗ୍ରାମସଭା ସହାୟତାରେ ଉପଖଣ୍ଡସ୍ତରୀୟ କମିଟିକୁ ଅନୁମୋଦନ ପାଇଁ ପ୍ରେରଣ କରାଗଲା। ଏହାପରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ସ୍ତରୀୟ କମିଟି ସହାୟତାରେ ଏହି ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ତାଲିକାଭୁକ୍ତ କରି ମାଣିକେଶ୍ବରୀ ଗ୍ରାମାଞ୍ଚଳ ଉନ୍ନୟନ ସମିତି ( (ଏମଆରଡିଏସ)କୁ ଏଥି ନିମନ୍ତେ ଦାୟିତ୍ଵ ହସ୍ତାନ୍ତର କରାଗଲା। ସମନ୍ଵିତ ଆଦିବାସୀ ଉନ୍ନୟନ ବିଭାଗର ଚିଠି ଅନୁଯାୟୀ ଏପ୍ରିଏ ୨୬ରେ ସାନ ଢବାଖୋଲକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଲା।
ଏହି ଅବସରରେ ଗ୍ରାମବାସୀ, ଜଙ୍ଗଲ ଅଧିକାର କମିଟି, ଆଇଟିଡିଏ, ଏମଆରଡିଏସ ଓ ସ୍ବେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଟାଙ୍ଗରପାଲି ତହସିଲଦାର ସଞ୍ଜୁକ୍ତା ବା ଯୋଗ ଦେଇ ନୂଆ ଗାଁର ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କିଶୋରୀ ମଣିହିରା ଗ୍ରାମବାସୀଙ୍କୁ ଜଙ୍ଗଲ ସମ୍ପଦର ସୁରକ୍ଷା ସହ ବିଭିନ୍ନ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ। ଅନ୍ୟତମ ଅତିଥି ମଙ୍ଗଲ ସଂପ୍ରସାରଣ ଅଧିକାରୀ କାଳିଦାସ ମାରାଣ୍ଡି, ଏମଆରଡିଏସ ଉପ ସଭାପତି ଦେବାଶିଷ କବି ଆଗାମୀ ଦିନରେ ହେବାକୁ ଥିବା ଯୋଜନା ବୈଠକ ଉପରେ ବୁଝାଇଥିଲେ। ସ୍ଵତନ୍ତ୍ର ବକ୍ତା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଉଜ୍ଜଳପୁରର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ ଆଦିବାସୀ ପରମ୍ପରା, ଜୀବନ ଶୈଳୀ, ଜଙ୍ଗଲ ସହିତ ତାଙ୍କର ନିବିଡ ସମ୍ପର୍କ ତଥା ସେମାନଙ୍କ ସାମଗ୍ରିକ ବିକାଶ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଚନ୍ଦ୍ର ଶେଖର ପଟେଲ, ବର୍ଷା ସାହୁ, ଜସ୍ମିନ ପଟେଲ, ସୁବାସିନୀ ନାଏକ, ସମୀର ରାଉଡିଆ, ସାନଢବାଖୋଲ ଜଙ୍ଗଲ ଅଧିକାର କମିଟି ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/30acd39f-385c-4599-9df1-f52bebbc3222.jpg)