ଭୁବନେଶ୍ୱର: ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଆଜିଠାରୁ ‘ସହିଦ ମାଧୋ ସିଂହ ହାତଖର୍ଚ୍ଚ’ ଯୋଜନାର ଶୁଭାରମ୍ଭ ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି, ଏହା ଦ୍ବାରା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ସହିତ ଡ୍ରପ୍‌ ଆଉଟ୍ ହାର କମାଇବାରେ ସହାୟକ ହେବ। ଯେଉଁ ଜନଜାତି ବର୍ଗର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ନବମ ଓ ଏକାଦଶରେ ନାମ ଲେଖାଇବେ, ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ହଜାର ଟଙ୍କା ପ୍ରଦାନ କରାଯିବ। ଏହିକ୍ରମରେ ଆଜି ୧.୬ ଲକ୍ଷ ଛାତ୍ରଛାତ୍ରୀ ପ୍ରୋତ୍ସାହନ ରାଶି ପାଇଛନ୍ତି। ମୋଟ ଉପରେ ୨ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଏହି ଯୋଜନା ଦ୍ବାରା ଉପକୃତ ହେବେ। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଜାନୁଆରି ୧୫ ତାରିଖ ଆୟୋଜନ କରାଯାଉଛି। ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବେ। ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

୧.୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ପ୍ରୋତ୍ସାହନ
୨ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ବଳିଦାନକୁ ଅତୁଳନୀୟ କହିବା ସହ ବିର୍ସା ମୁଣ୍ଡା ଓ ସହିଦ ମାଧୋ ସିଂହଙ୍କ ସଂଘର୍ଷ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି, ଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି। ଏତେ ସଂଖ୍ୟକ ଲୋକଙ୍କର ବିକାଶ ନ ହେଲେ ରାଜ୍ୟର ଉନ୍ନତି ଅସମ୍ଭବ। ଆଦିବାସୀଙ୍କ ସ୍ୱାର୍ଥକୁ କେବେ ଜଳାଞ୍ଜଳି ଦିଆଯିବ ନାହିଁ। ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ଟେକିଦେବା ଭଳି କୁତ୍ସିତ ଯୋଜନାକୁ ନାକଚ କରିଦିଆଯାଇଛି। ଆପଣ ବସବାସ କରୁଥିବା ଜମି, ଜଙ୍ଗଲ ଓ ଜଳକୁ ସୁରକ୍ଷା ଦେବା ଦାୟିତ୍ୱ ସରକାରଙ୍କର। ଆପଣମାନେ ଏଥିପ୍ରତି ନିଶ୍ଚିତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସେ ଆହୁରି କହି‌ଥିଲେ, ଜନଜାତିମାନେ ବିଶେଷତଃ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବସବାସ କରନ୍ତି।

ତେଣୁ ଆଞ୍ଚଳିକ ବୈଷମ୍ୟବାଦକୁ ଦୂର କରି ଏକ ସନ୍ତୁଳିତ ବିକାଶ ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଓ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି। ଏହା ଅତିଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଆଦିବାସୀ ସଂସ୍କୃତି ଓ ଶିକ୍ଷାର ଏକ ଅପୂର୍ବ ମିଳନ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେଳାର ଆୟୋଜନ ଜନଜାତି ସାମଗ୍ରୀକୁ ଅନ୍ତର୍ଜାତୀୟ ବଜାର ପ୍ରଦାନ କରିବ ବୋଲି କହିଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଏବଂ ନିର୍ଦ୍ଦେଶକ ପୋମା ଟୁଡ଼ୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ମାଧୋ ସିଂହଙ୍କ ଅଣନାତି ଲୋକଶ୍ୱର ସିଂହ ବରିହାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।