ତୁଷୁରା : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ର ଉପାନ୍ତ ଅଂଚଳରେ ଥିବା ୨ଟି ଗ୍ରାମକୁ ରାଜସ୍ବ ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବ୍ଲକ୍ର ଗମ୍ଭାରୀଗୁଡ଼ା ଗାଁର ୭୪ ଆଦିବାସୀ ପରିବାର ୫୩ ବର୍ଷ ହେଲା ଜଙ୍ଗଲ ଜମିରେ ବସବାସ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ସେମାନଙ୍କୁ ବର୍ତ୍ତମାନ ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲଙ୍କ ଉଦ୍ୟମରେ ରାଜସ୍ବ ଗାଁର ପରିଚୟ ମିଳି ପାରିବ। ସରକାରୀ ଯୋଜନାରୁ ଦୂରରେ ଥିବା ବେଳେ ସେମାନେ ଏବେ ସମସ୍ତ ସରକାରୀ ଯୋଜନାରେ ସାମିଲ ହୋଇପାରିବେ ବୋଲି ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ ୧୯୬୯ ମସିହାରେ ଏହି ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଂଚାୟତ ଜଙ୍ଗଲର ଡୁଡୁଙ୍ଗରୁ କିଛି ପରିବାର ଆସି ସିକେଲପଦର ଓ ଠେଲକୋଭେଲା ସଂରକ୍ଷିତ ଜଙ୍ଗଲ ଜମିରେ ରହିବା ଆରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଉପରୋକ୍ତ ୨ଟି ଗ୍ରାମ ସୃଷ୍ଟି କରି ସିକେଲପଦରରେ ୪୯ ପରିବାର ଓ ଠେଲକୋଭେଲାରେ ୨୫ ପରିବାର ବସବାସ କରୁଛନ୍ତି। ୫୩ ବର୍ଷ ହେଲା ଉକ୍ତ ୨ ଗାଁର ଏହି ୭୪ ପରିବାର ସମସ୍ତ ସରକାରୀ ଯୋଜନାରୁ ବାଦ୍ ପଡ଼ିଛନ୍ତି। ଜଙ୍ଗଲ ଜମିରୁ ଚାଷ ଜମି ତିଆରି ଜିବୀକା ନିର୍ବାହ କରୁଛନ୍ତି। ଗୁରୁବାର ତୁଷୁରା ତହସିଲଦାର ଏବଂ ବଲାଙ୍ଗୀର ବନ ବିଭାଗର ମିଳିତ ପଦକ୍ଷେପରେ ସିକେଲପଦର ଗ୍ରାମକୁ ଡିମାର୍କେସନ କରାଯାଇ କିଏ କିଏ କେଉଁ ଜମିରେ ରହୁଛନ୍ତି ଓ ଚାଷ କରୁଛନ୍ତି ସେ ନେଇ ଚିହ୍ନଟ କରାଯାଇଛି। ଆସନ୍ତା ସୋମବାର ଠେଲକୋଭେଲା ଜମିର ଚିହ୍ନଟ କରାଯାଇ ଉକ୍ତ ୨ଟି ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ସ୍ବୀକୃତି ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ରାଜସ୍ବ ଗ୍ରାମ ହେବା ପରେ ଉକ୍ତ ୭୪ ପରିବାର ଜମି ପଟ୍ଟା ପାଇବା ସହ ସମସ୍ତ ସରକାରୀ ଯୋଜନାରେ ସାମିଲ ହୋଇ ପାରିବେ ବୋଲି ତହସିଲଦାର ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ଏହି ମିଳିତ ସୀମାନିର୍ଦ୍ଧାରଣରେ ତୁଷୁରା ତହସିଲଦାର ଶ୍ରୀ ପଟେଲ, ଗୁଡ଼ଭେଲା ଆର୍ଆଇ ସତ୍ୟରାଜ ପୁରୋହିତ, ବଲାଙ୍ଗୀର ବନ ବିଭାଗ ମୋବାଇଲ ଟିମ୍ର ଫରେଷ୍ଟର ବାବୁଲା ଦାସ, ସୁନୀଳ ମିଶ୍ର, ଗୁଡ଼ଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ ଓ ଯାମୁଟ ଫରେଷ୍ଟଗାର୍ଡ଼ ପ୍ରଶାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ।