ଥୁଆମୂଳ ରାମପୁର : ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ଟୋକିମରା’ ପର୍ବ ପର୍ଯ୍ୟାୟକ୍ରମେ ପାଳିତ ହୋଇଛି। କିଛି ଅଞ୍ଚଳରେ ୯ ତାରିଖ ରବିବାର ଦିନ ପାଳିତ ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍ର ବିଭିନ୍ନ ସ୍ଥାନରେ ପୌଷ ମାସର ଶେଷ ରବିବାର ୧୬ ତାରିଖରେ ପାଳିତ ହୋଇଛି। ବ୍ଲକ୍ର ଗୋପାଳପୁର ପଞ୍ଚାୟତ ଅଧୀନ ଡାକକୋଟା, ପାଡ଼େଲଗୁଡ଼ା ସମେତ ଗୁଣପୁର ପଞ୍ଚାୟତର ସିମେଲପଦରରେ ମଧ୍ୟ ଏହି ପର୍ବ ପାଳିତ ହୋଇଛି।
ଡାକକୋଟା ଠାରେ ପାଳିତ ହୋଇଥିବା ଏହି ଟୋକିମରା ପର୍ବରେ ଆଖପାଖ ଅଞ୍ଚଳର ପ୍ରାୟ ୬୫ ଖଣ୍ଡ ଗ୍ରାମର ଗ୍ରାମବାସୀ ନିଜନିଜ ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ସହିତ ଏହି ପର୍ବରେ ଯୋଗ ଦେଇଥିଲେ। ପ୍ରଥମେ ଡାକକୋଟା ଗ୍ରାମର ଗୁଡ଼ିଘର ପାଖରେ କ୍ରମାଗତ ଭାବେ ବିଭିନ୍ନ ଗ୍ରାମରୁ ଆସିଥିବା ନିଜ ସମ୍ପ୍ରଦାୟ ଲୋକଙ୍କୁ ଅତିଥି ଅଭ୍ୟର୍ଥନା ଦିଆଯାଇଥିଲା। ପରେ ସମସ୍ତେ ଟୋକିମରା ପଡ଼ିଆ ଠାରେ ଏକତ୍ରିତ ହେଲାପରେ ସେଠାରେ ଟୋକିମରା ପର୍ବର ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଆଦିବାସୀଙ୍କ ପରମ୍ପରା ଗତ ବିଧି ଅନୁସାରେ ପାଳିତ ହୋଇଥିବା ବେଳେ କୋଭିଡ୍ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି।