ରାୟଗଡ଼ା: ଗୁଣପୁର ଥାନା ଅଂଚଳରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହଁ ଗଣଦୁଷ୍କର୍ମରେ ସଂପୃକ୍ତ ଅଛନ୍ତି ୬ ଯୁବକ। ୮ ମାସ ଧରି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏବେ ୬ ମାସର ଗର୍ଭବତୀ ଥିବା ଜଣା ପଡ଼ିବା ପରେ ପୁଲିସ୍ ଗୁଣପୁର ମେଡ଼ିକାଲରେ ନାବାଳିକାର ଡାକ୍ତରୀ ମାଇନା କରିଛି। ଘଟଣାରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ପୁଲିସ୍ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି।
ରାମନାଗୁଡ଼ା ବ୍ଲକ୍ ଗୁଲୁମୁଣ୍ଡା ପଞ୍ଚାୟତର ଆଦିବାସୀ ନାବାଳିକା ଗତ ୮ ମାସ ତଳେ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ। ନାବାଳିକା ଜଣଙ୍କ ଏକାକି ଗାଧୋଉଥିବା ସମୟରେ ପଣସଗୁଡା ଗାଁର ୫ ଯୁବକ, ବନ୍ଧଗୁଡା ଗାଁର ଜଣେ ଯୁବକ ନାବାଳିକାକୁ ଜୋର ଜବରଦସ୍ତି ପାଖ ଜଙ୍ଗଲକୁ ଉଠାଇ ନେଇଥିଲେ। ଜଙ୍ଗଲରେ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଛାଡ଼ି ଦେଇଥିଲେ। ଘଟଣା ସଂପର୍କରେ କାହାକୁ ନ କହିବାକୁ ଅଭିଯୁକ୍ତମାନେ ନାବାଳିକାଙ୍କୁ ଚେତାବନୀ ଦେଇଥିଲେ। ଭୟରେ ନାବାଳିକା ଜଣଙ୍କ ଘଟଣା ସଂପର୍କରେ କାହାକୁ କିଛି କହି ନଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଭୟଭୀତ କରି ପୃଥକ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରି ଆସୁଥିଲେ।
ଗତ କିଛି ଦିନ ତଳେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦେଖି ପରିବାର ଲୋକ ସନ୍ଦେହ କରିଥିଲେ। ଗତ ଦୁଇ ଦିନ ତଳେ ନାବାଳିକାଙ୍କ ମାଆ ଆଶାକର୍ମୀଙ୍କ ସହାୟତାରେ ଗୁଣପୁର ମେଡ଼ିକାଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନାବାଳିକା ୬ ମାସର ଗର୍ଭବତୀ ଥିବା ଜଣା ପଡ଼ିଥିଲା। ପରିବାର ଲୋକ ନାବାଳିକାଙ୍କୁ ପଚରା ଉଚରା କରି ଘଟଣା ସଂପର୍କରେ ଜାଣିବା ପରେ ଅଙ୍ଗନବାଡ଼ିକର୍ମୀ ରାମନାଗୁଡ଼ା ସିଡିପିଓଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସିଡିପିଓ, ଗୁଲୁମୁଣ୍ଡା ସରପଞ୍ଚ ଲଳିତା ଶବର ଗତକାଲି ପଣସଗୁଡାରେ ପହଞ୍ଚି ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ।
ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଶିଶୁ ସୁରକ୍ଷା ଅଧିକାରୀ ସ୍ପଷ୍ଟ ହେବା ପରେ ଥାନାରେ ଅଭିଯୋଗ କରିବାକୁ ପୀଡ଼ିତାଙ୍କ ବାପାଙ୍କୁ କହିଥିଲେ। ପୀଡ଼ିତାଙ୍କ ବାପା ଗତକାଲି ରାତି ସାଢ଼େ ୧୦ଟାରେ ଗୁଣପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରିବା ସହ ଗତକାଲି ରାତିରେ ହିଁ ୬ ଅଭିଯୁକ୍ତଙ୍କୁ ପଣସଗୁଡା, ବନ୍ଧଗୁଡାରୁ ଉଠାଇ ନେଇଥିଲା। ଆଜି ସମସ୍ତ ଅଭିଯୁକ୍ତକୁ ଥାନାରେ ପଚରା ଉଚରା କରିବା ପରେ ପୁଲିସ୍ ପୀଡ଼ିତା ନାବାଳିକାର ଡାକ୍ତରୀ ମାଇନା କରିଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ଗୁଣପୁର ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି। ଗୁଣପୁର ଥାନାରେ ଏ ନେଇ କେସ୍ ନଂ-୧୪୭/୨୦୨୦ ରେ ମାମଲା ରୁଜୁ ହୋଇଛି। ପୋସ୍କୋ ଆଇନ ସହ ୩୭୬ ୨ ଏନ୍, ୩୭୬ (୩), ୩୭୬ (ବି) ଧାରା ଲଗାଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଗୁଣପୁର ଥାନା ଏସଆଇ ରୁଦ୍ରମାଧବ ମୁଦୁଲୀ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ପଣସଗୁଡାରେ ଚାଞ୍ଚଲ୍ୟ ଖେଳିଯାଇଛି।