ପ୍ରଥମ ଉଦ୍ୟମରେ ଆଦିବାସୀ ଝିଅଙ୍କ ଓପିଏସସିରେ ସଫଳତା

ଝରିଗାଁ/ନବରଙ୍ଗପୁର : ପ୍ରଥମ ଉଦ୍ୟମରେ ଉପାନ୍ତ ଝରିଗାଁ ବ୍ଲକର ଆଦିବାସୀ ଝିଅ ମାରିଆମ୍ମା ସାନ୍ତା ଓପିଏସସି ପରୀକ୍ଷାରେ ସଫଳ ହୋଇଛନ୍ତି। ଗତ ୨ ଦିନ ପୂର୍ବେ ଓପିଏସସିର ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏହି ପରୀକ୍ଷା ଫଳରେ ଝରିଗାଁ ବ୍ଲକ ରତିଖଣ୍ଡଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବେନ୍ଦ୍ରାଛପର ଗାଁର ସ୍ୱର୍ଗତ ଝିଟୁକୁ ସାନ୍ତା ଓ ଇନ୍ଦିରା ସାନ୍ତାଙ୍କ ଝିଅ ମାରିଆମ୍ମା ସାନ୍ତା ୧୮୬ ସ୍ଥାନରେ ରହିଛନ୍ତି।

ମାରିଆମ୍ମାଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ହୋଇପାରିଲେ ଜିଲ୍ଲାର ସାମଗ୍ରୀକ ବିକାଶ ହୋଇପାରିବ। ଜିଲ୍ଲାର ବିକାଶ ପାଇଁ ଦୀର୍ଘ ମିଆଦି ଯୋଜନା କରିବାକୁ ପଡ଼ିବ। ସେ ଏହି ସ୍ତରରେ ପହଞ୍ଚିବା ପାଇଁ ବହୁ ସମସ୍ୟା ଦେଇ ଗତି କରିଛନ୍ତି। ତାଙ୍କ ବାପା ମା ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥା ବ୍ଲେସିଂ ୟୁଥ୍ ମିଶନରେ କାମ କରୁଥିଲେ। ସେହି ସଂସ୍ଥାର ଏକ ବିଦ୍ୟାଳୟ ଆନନ୍ଦ ବ୍ଲେସିଂ ସ୍କୁଲ ଲମତାପୁଟରେ ରହିଛି। ସେଠାରେ ସେ ୧୦ମ ‌ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ସେ ସେହି ସଂସ୍ଥାର ତାମିଲନାଡ଼ୁରେ ଥିବା ସନ୍ତୋଷା କଲେଜରେ ଯୁକ୍ତ ଦୁଇ ପାଠପଢ଼ିଥିଲେ। ଏହାପରେ ସେ ସେମିଳିଗୁଡ଼ା ସ୍ଥିତ ଏକ ଇଂଜିନିଏରିଂ କଲେଜରେ ସିଭିଲ ଇଂଜିନିଏରିଂରେ ବି.ଟେକ୍ ପାଠପଢ଼ିଲେ। ସେଠାରୁ ସେ ଆଇଏଏସ୍ କୋଚିଂ ପାଇଁ ତାମିଲନାଡ଼ୁ ଯାଇଥିଲେ। ସେଠାରେ ସେ କୋଚିଂ ନେଇ ଆଇଏଏସ୍ ପରୀକ୍ଷା ଦେଇ ବିଫଳ ହୋଇଥିଲେ। ସେହି ସମୟରେ ସେ ଓପିଏସସି ପରୀକ୍ଷା ମଧ୍ୟ ଦେଇଥିଲେ। ତେବେ ଓପିଏସସିରେ ପ୍ରଥମ ଚେଷ୍ଟାରେ ହିଁ ସଫଳତା ହାସଲ କରିଛନ୍ତି। ତାଙ୍କ ବାପାଙ୍କ ପରଲୋକ ହୋଇଥିବା ବେଳେ ଏବେ ପରିବାର କହିଲେ ତାଙ୍କ ମା ଓ ୨ ଭଉଣୀ ଅଛନ୍ତି। ତାଙ୍କ ୨ ଭଉଣୀ ମଧ୍ୟ ତାମିଲନାଡ଼ୁରେ ପାଠପଢ଼ୁଛନ୍ତି। ସବୁଥିରେ ତାଙ୍କ ମା ଓ ଭଉଣୀ ପ୍ରେରଣା ଓ ଉତ୍ସାହ ଯୋଗାଇଛନ୍ତି। ତାଙ୍କର ଏହି ଶ୍ରେୟକୁ ସେ ତାଙ୍କ ମା, ଭଉଣୀ ଓ ତାଙ୍କୁ ପାଠପଢ଼ିବାରେ ସହାୟତାର ହାତ ବଢ଼େଇଥିବା ‌ବ୍ଲେସିଂ ୟୁଥ୍ ମିଶନକୁ ଦେଇଛନ୍ତି। ସେ ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟ କଲେ ମଧ୍ୟ ଆଇଏଏସ୍ ପାଇଁ ଲକ୍ଷ୍ୟ ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର