ରାଜଧାନୀରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା : ଓଏଏସ୍ ଅଫିସର ପ୍ରମୋଦ ପୃଷ୍ଟିଙ୍କୁ ଜେରା

ପୁଲିସର ପ୍ରଶ୍ନ: ଜାଣିଶୁଣି ଆଇନକୁ କେମିତି ଉଲ୍ଲଂଘନ କଲ?

ବିଳମ୍ବିତ ରାତିରେ ଥାନାରେ ହାଜର ହେଲେ
ଶିଶୁ ଅଧିକାର ଆୟୋଗ, କର୍ମୀଙ୍କ ଉଦ୍‌ବେଗ

ଭୁବନେଶ୍ୱର : ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଓଏଏସ୍ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଲୁଚକାଳି ଖେଳ ପରେ ଶେଷରେ ଥାନାରେ ହାଜର ହୋଇଛନ୍ତି। ପ୍ରମୋଦଙ୍କ ପତ୍ତା ନ ମିଳିବାରୁ ପୁଲିସ ଜାରି କରିଥିବା ନୋଟିସ୍ ଆଧାରରେ ସେ ଗତକାଲି ରାତି ପ୍ରାୟ ୧୨ଟାରେ ବାଲିଚନ୍ଦ୍ରପୁର ଥାନାରେ ହାଜର ହୋଇଥିଲେ। ପ୍ରାୟ ଦେଢ ଘଣ୍ଟା ଧରି ପୁଲିସ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି। ନାବାଳିକାଙ୍କୁ ଘରେ କେମିତି, କେଉଁ ପରିସ୍ଥିତିରେ କାମ କରା ଯାଉଥିଲା ସେ ନେଇ ପୁଲିସ ତାଙ୍କୁ ପ୍ରଶ୍ନ ପଚାରିଥିଲା। ଏହା ସହ କାମ କରିବା ବାବଦରେ ସେ କେତେ ଟଙ୍କା ଦେଉଥିଲେ ବୋଲି ମଧ୍ୟ ପ୍ରଶ୍ନ ପଚରାଯାଇଥିଲା। କେମିତି ଯୋଗାଯୋଗ ହେଲା ପ୍ରଶ୍ନରେ ସେ କହିଥିଲେ ଝିଅ ଯୋଗାଇଥିବା ମାହାଙ୍ଗା କୁସୁପୁର ଅଞ୍ଚଳର ବ୍ରହ୍ମାନନ୍ଦ ଜେନା ତାଙ୍କ ସାଙ୍ଗ। ବ୍ରହ୍ମାନନ୍ଦଙ୍କୁ କହିବା ପରେ ସେ ସେହି ନାବାଳିକାଙ୍କୁ ଆଣିଥିଲେ। ଘରେ କ’ଣ ଘଟିଥିଲା ସେ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ଶ୍ବଶୁର ତଥା ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ମହାମାତ୍ରଙ୍କ ସହାୟିକା ହୋଇଥିବାରୁ ସେ ଯାହା କହିପାରିବେ ବୋଲି ପ୍ରମୋଦ ଜେରା ବେଳେ କହିଥିଲେ। ଏହି ସମୟ ଭିତରେ ତଦନ୍ତକାରୀ ଅଧିକାରୀ ତାଙ୍କୁ ୨୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ। କିନ୍ତୁ ଅଧିକାଂଶ ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବା ଜଣାପଡ଼ିଛି। ଯାହାକୁ ନେଇ ପୁଲିସ ତାଙ୍କୁ ସିଆରପିସି-୪୧ ଧାରା ଅନୁସାରେ ନୋଟିସ୍ କରିଥିବା ବେଳେ ପୁଣି ଥରେ ଜେରା କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ନାବାଳିକାକୁ ଘରେ ରଖି କାମ କରିବା ଏକ ଧର୍ତ୍ତବ୍ୟ ଅପରାଧ। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ମାନବ ଚାଲାଣ (ହ୍ୟୁମାନ ଟ୍ରାଫିକିଂ) ଆଇନ ଅନୁସାରେ ମାମଲା ରୁଜୁ କରାଯିବା କଥା। ତେଣୁ ଏହାକୁ ଉଲ୍ଲଂଘନ କରାଯାଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସର କୋହଳ ମନୋଭାବ ସ୍ପଷ୍ଟ ହୋଇ ପଡ଼ୁଛି ବୋଲି କହିଛନ୍ତି ସିଡବ୍ଲୁସିର ପୂର୍ବତନ ସଦସ୍ୟ ବେଣୁଧର ସେନାପତି। ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆରମ୍ଭରୁ ନିଜର ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରମୋଦ ପୃଷ୍ଟି ଜଣେ ଉଚ୍ଚପଦାଧିକାରୀ ହୋଇଥିବା ବେଳେ ଆଇନର ରକ୍ଷାକର୍ତ୍ତା। ତେଣୁ ସେ ଆଇନ ବିଷୟରେ ଅବଗତ ଥାଇ ମଧ୍ୟ ଜାଣିଶୁଣି ନାବାଳିକାଙ୍କୁ କାମରେ ଲଗାଇଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ ପୁଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ପୁଲିସ କେବଳ ଜେରାରେ ସନ୍ତୁଷ୍ଟ ହୋଇ ଯାଇଥିବା ଚର୍ଚ୍ଚା ହେଉଛି। ପୁଲିସ୍ କାହିଁକି ମାନବ ଚାଲଣ ଆଇନ, ଶିଶୁ ଶ୍ରମିକ ନିରୋଧ ସଂଶୋଧିତ ଆଇନ ଅନୁସାରେ ମାମଲା ରୁଜୁ କରି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଯାଜପୁର ଏସ୍‌ପି ଏହି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବିଷୟରେ ରିପୋର୍ଟ ପ୍ରଦାନ କରିବେ। ସେହି ରିପୋର୍ଟ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର