ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ପୀଡ଼ିତାଙ୍କୁ ନେବାକୁ ଆସି ନିରାଶ ହେଲା ଶିଶୁ ସୁରକ୍ଷା ଟିମ୍

ଚଣ୍ତିଖୋଲ : ଭୁବନେଶ୍ବର ଠାରେ ଜଣେ ଓଏଏସ୍‌ ଅଧିକାରୀଙ୍କ ଘରେ ଦୁଷ୍କର୍ମର ଶିକାର ହୋଇଥିବା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନାନପୁର ଗ୍ରାମର ଆଦିବାସୀ ନାବାଳିକାକୁ ଯାଜପୁର ସ୍ବଧାର ଗୃହକୁ ନେବା ପାଇଁ ଆଜି ଉଦ୍ୟମ ହୋଇଥିଲା। ମାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଟିମ୍‌କୁ ନିରାଶ ହେବାକୁ ପଡ଼ିଛି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ସହ ଯିବାକୁ ପୀଡ଼ିତା ରାଜି ହୋଇ ନ ଥିଲେ। ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ ପୀଡ଼ିତାଙ୍କୁ ବୁଝାଇଥିଲେ ମଧ୍ୟ ତାଙ୍କ ପରିବାର ରାଜି ନ ହୋଇ ଏଠାରେ ହିଁ ଚିକିତ୍ସା ସୁବିଧା କରିବା ପାଇଁ କହିଥିଲେ। ଫଳରେ ବାଧ୍ୟ ହୋଇ ଏହି ଟିମ୍ ନିରାଶ ହୋଇ ଫେରିଯାଇଥିଲେ। ଏହି ଟିମ୍‌ରେ ଜିଲ୍ଲା ଶିଶୁ ସୁରକ୍ଷା ଆଇନ ସେଲର ପରାମର୍ଶଦାତା ତପନ କୁମାର ପଣ୍ତା, ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମନୋରମା ସ୍ବାଇଁ, ସମନ୍ବିତ ଶିଶୁବିକାଶ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ନଳିନୀ ମିଶ୍ର, ଅଙ୍ଗନବାଡି କର୍ମୀ ଅଞ୍ଜଳି ଜେନା, ଆଶାକର୍ମୀ ଓ ସ୍ଥାନୀୟ ପୁଲିସ ସାମିଲ ଥିଲେ।

ସମ୍ବନ୍ଧିତ ଖବର