ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଗୁରୁତର ଅବସ୍ଥାରେ ମେଡିକାଲରେ ପୀଡ଼ିତା

ରରୁଆଁ : ଜଣେ ଆଦିବାସୀ ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇଛି। ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ସଂପୃକ୍ତ ଯୁବତୀଙ୍କୁ ଘରୁ ଆଣି ଦୁଷ୍କର୍ମ କରିଥିଲା। ଏଥିରେ ଯୁବତୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ରରୁଆଁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ରରୁଆଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ସେହି ଥାନା ଅନ୍ତର୍ଗତ ତେଲିଆବନ୍ଧ ଗ୍ରାମର ରାଜୁ ପାତ୍ର(୨୫)ଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବିଭିନ୍ନ ସମୟରେ ରାଜୁ ସଂପୃକ୍ତ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଇ ଆସୁଥିଲା। ତେବେ ଗତକାଲି ଯୁବତୀଙ୍କ ଗାଁରେ ଏକ ବିବାହ ଉତ୍ସବ ଥିଲା। ଉଭୟେ ଘରୁ ପଳାଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ରାଜୁ ଗୋଟିଏ ବାଇକ୍‌ ଯୋଗେ ରରୁଆଁ କଲେଜ ପଛ ପାଖ କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ଯୁବତୀଙ୍କ ସହିତ ରାଜୁ ଦୁଷ୍କର୍ମ କରିଥିଲା। ଏହାପରେ ଯୁବତୀଙ୍କୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଘାଟିବୁରୁ ଗାଁରେ ଛାଡ଼ି ରାଜୁ ଫେରାର୍‌ ହୋଇଯାଇଥିଲା। ଅସହାୟ ହୋଇ ସେହି ଗାଁର ପରଦେଶି ହେମ୍ବ୍ରମଙ୍କ ଘରେ ପହଞ୍ଚିଥିଲେ। ପରିଚୟ ପାଇବା ପରେ ପରଦେଶି ତାଙ୍କୁ ଆଣି ରରୁଆଁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଉଦ୍‌ବେଗଜନକ ଥିବାରୁ ଯୁବତୀଙ୍କୁ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୀଡ଼ିତାଙ୍କ ଭାଇଙ୍କ ଏତଲାକ୍ରମେ ରରୁଆଁ ଥାନା କେସ୍‌ ନଂ. ୩୩/୧୮ରେ ମାମଲା ରୁଜୁ ହୋଇଛି। ତେବେ ତେଲିଆବନ୍ଧ ଗାଁରେ ରାଜୁ ପାତ୍ର ନାମରେ କେହି ବ୍ୟକ୍ତି ନାହାନ୍ତି ବୋଲି ପ୍ରାଥମିକ ତଦନ୍ତ କରିବା ପରେ ପୁଲିସ ପ୍ରକାଶ କରିଛି। ଅପରପକ୍ଷେ କେନ୍ଦୁଝର ମେଡିକାଲ ଯାଇ ପୀଡ଼ିତା ଯୁବତୀଙ୍କ ବୟାନ ରେକର୍ଡ କରିଛି। ତୁରନ୍ତ ଅଭିଯୁକ୍ତକୁ ଧରାଯିବ ବୋଲି ରରୁଆଁ ଥାନା ଆଇଆଇସି ପାସ୍କା ଏକ୍କା କହିଛନ୍ତି।

ସମ୍ବନ୍ଧିତ ଖବର