ମୃତ୍ୟୁ ବିଜୟିନୀ: ଆଦିବାସୀ ଝିଅ ସୁବାସିନୀ ମାଟ୍ରିକ୍‌ରେ ବିଦ୍ୟାଳୟରେ ଦ୍ବିତୀୟ

ପାତ୍ରପୁର : ମୃତ୍ୟୁକୁ ଜିତିଥିବା ସୁବାସିନୀ ମାଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବହୁ ବାଧାବିଘ୍ନ ଓ ସ୍ବାସ୍ଥ୍ୟାବସ୍ଥା ସାଂଘାତିକ ଭାବେ ଖରାପ ହୋଇ ଯାଇଥିଲା। ଏ ନେଇ ୨୦୧୮ ମସିହା ଜୁନ୍ ୨୩ ତାରିଖରେ ‘ସମ୍ବାଦ’ରେ ସୁବାସିନୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ନବୋଦୟ ଗଞ୍ଜାମ ସୁରଙ୍ଗି ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ସୁବାସିନୀଙ୍କ ଚିକିତ୍ସା ପାଇଁ ଆଗେଇ ଆସିଥିଲା। ସେମାନଙ୍କ ଉଦ୍ୟମରେ ସୁବାସିନୀ ସୁସ୍ଥ ହେବା ସହ ଅନେକ ଦିନ ଘରେ ରହି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେବା ସହ ସୁସ୍ଥ ବି ହୋଇଥିଲେ। ଛାତ୍ର ସଂଘର ଅନୁରୋଧ କ୍ରମେ ୨୦୧୯ ମସିହାରେ ଗାଁ ସ୍କୁଲ୍‌ରେ ୯ମ ଶ୍ରେଣୀରେ ସୁବାସିନୀଙ୍କ ନାମ ଲେଖା ଯାଇଥିଲା। ବର୍ତ୍ତମାନ ସେ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ବିଦ୍ୟାଳୟରେ ଦ୍ବିତୀୟ ସ୍ଥାନ ଅଧିକାର କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଚଳିତ ବର୍ଷ ସୁବାସିନୀ ମାଟ୍ରିକ୍ ପରୀକ୍ଷାରେ ୪୦୭ ନମ୍ବର ରଖିଛନ୍ତି। ଏଥିପାଇଁ ତାଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତ ଶରଧାପୁର ଗ୍ରାମର ଜଟିଆ ଦଳେଇ ଓ କୁମାରୀଙ୍କ ଝିଅ ସୁବାସିନୀ। ବାପାମାଆ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଆଗରୁ ଦୁଇଟି ପୁଅ ଓ ଗୋଟିଏ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସୁବାସିନୀ ସୁରଙ୍ଗି ନବୋଦୟ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ ଥିଲେ। ପରିବାରର ଏକ ମାତ୍ର ସାହାରା ସୁବାସିନୀ ବି ହଠାତ୍ ରୋଗାକ୍ରାନ୍ତ ହୋଇଗଲେ। ଅବସ୍ଥା ବିଗିଡ଼ିବାରୁ ୨ ବର୍ଷ କାଳ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଲା। ବାପାମାଆ ଅର୍ଥାଭାବରୁ ଚିକିତ୍ସା କରି ପାରୁ ନଥିବାରୁ ଝଡ଼ାଫୁଙ୍କାରେ ଚିକିତ୍ସା ଚାଲିଥିଲା। ହେଲେ ସୁରଙ୍ଗି ନବୋଦୟ ବିଦ୍ୟାଳୟ ପୂରାତନ ଛାତ୍ରସଂଘ ସଦସ୍ୟମାନେ ନିଜେ ଅର୍ଥ ସହାୟତା ଯୋଗାଡ଼ କରିବା ସହ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସହଯୋଗ ଭିକ୍ଷା କରି ସୁବାସିନୀଙ୍କ ଚିକିତ୍ସାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର