ଆଦିବାସୀ ଅଳଙ୍କାରକୁ ଦେଇଛନ୍ତି ନୂଆ ପରିଚୟ

ଅନେକଙ୍କ ପାଇଁ ସୃଷ୍ଟି କରିଛନ୍ତି ରୋଜଗାର
ଇଚ୍ଛାଶକ୍ତି ଆଗରେ ହାର ମାନିଛି ନିରକ୍ଷରତା

ନବରଙ୍ଗପୁର, (ପ୍ରଦୀପ କୁମାର ପାଢ଼ୀ) : ନିରକ୍ଷର ହୋଇଥିଲେ ସୁଦ୍ଧା ଆଗକୁ ବଢ଼ିବାର ଅଦମ୍ୟ ଇଚ୍ଛା ଆଗରେ ହାର ମାନିଛି ପରିସ୍ଥିତି। ନବରଙ୍ଗପୁର ଭଳି ଏକ ଆଦିବାସୀ ବହୁଳ ଓ ଉପାନ୍ତ ଜିଲ୍ଲାର ଜଣେ ନିରକ୍ଷର ମହିଳାଙ୍କ ପାଇଁ ତାଙ୍କ କଳା ଓ କାରିଗରୀ ଆଣି ଦେଇଛି ଅନେକ ଖ୍ୟାତି। ନବରଙ୍ଗପୁର ସଦର ବ୍ଲକ୍‌ ଚୁରାହାଣ୍ଡି ଗ୍ରାମର ନୀଳମଣି ଖାତି(୫୨)। ନୀଳମଣି ଆଦିବାସୀ ଅଳଙ୍କାର ତିଆରିରେ ନିପୁଣ। ତାଙ୍କ ନିର୍ମିତ ଅଳଙ୍କାର ଓଡ଼ିଶା ଓ ବାହାର ରାଜ୍ୟମାନଙ୍କରେ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବା ସହ ବେଶ୍ ଆଦୃତ ହୋଇପାରିଛି। ବିଭିନ୍ନ ମେଳା ଓ ମହୋତ୍ସବରେ ସେ ତାଙ୍କର କଳା ଓ କାରିଗରୀ ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ନୀଳମଣି କହିଛନ୍ତି, ତାଙ୍କ ବୁଦ୍ଧି ଆସିବା ପରଠାରୁ ସେ ଆଦିବାସୀ ଅଳଙ୍କାର ନିର୍ମାଣ କରିଆସୁଛନ୍ତି। ବିବାହ ପୂର୍ବରୁ ବାପଘରେ ନିର୍ମାଣ କରୁଥିଲେ ଓ ବିବାହ ପରେ ତାଙ୍କ ଶାଶୂଘରେ ବି ସେହି କାର୍ଯ୍ୟରେ ନିୟୋଜତ ଅଛନ୍ତି। ପୂର୍ବରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଶି ବିଭିନ୍ନ ସାପ୍ତାହିକ ହାଟରେ ଏସବୁ ଅଳଙ୍କାର ବିକ୍ରି କରୁଥିଲେ। ଗତ ୧୫ବର୍ଷ ହେବ ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେବା ସହ ସେଠାରେ ଏସବୁ ଅଳଙ୍କାର ବିକ୍ରିବଟା କରିଆସୁଛନ୍ତି। ୪ବର୍ଷ ପୂର୍ବେ ସ୍ବାମୀଙ୍କ ଦେହାନ୍ତ ପରଠୁ ସେ ଏକା ହୋଇଯାଇଛନ୍ତି ସତ, ହେଲେ ଭାଙ୍ଗି ପଡ଼ିନାହାନ୍ତି। ପୂର୍ବଭଳି ଆଦିବାସୀ ଅଳଙ୍କାର ତିଆରି କରି ଦେଶର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ପ୍ରଦର୍ଶନୀକୁ ଯାଇ ବିକ୍ରି କରୁଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କ କଳା ଓ କାରିଗରୀ ପ୍ରଦର୍ଶନ କରିବା ପାଇଁ ମିଶନ ଶକ୍ତି ସୁଯୋଗ ଦେଇଛି ବୋ‌ଲି କହିଛନ୍ତି ନୀଳମଣି।

ହେଲେ, କୋଭିଡ୍ କଟକଣା ତାଙ୍କ ସଫଳ ଯାତ୍ରାପଥରେ ଅନ୍ତରାୟ ହୋଇଛି। ଗତ ମାର୍ଚ୍ଚ ମାସ ଠାରୁ ଗୋଟିଏ ବି ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ନଥିବାରୁ ଲକ୍ଷାଧିକ ଟଙ୍କାର ରୋଜଗାର ହରାଇଛନ୍ତି। ସ୍ବାମୀଙ୍କ ଦେହାନ୍ତ ପରେ ଏହି ବ୍ୟବସାୟରେ ହିଁ ତାଙ୍କ ପରିବାର ଓ ତାଙ୍କ ଭଉଣୀଙ୍କ ପରିବାର ଚଳୁଛି। ଏବେ ତାଙ୍କୁ କାମରେ ସହଯୋଗ କରୁଛନ୍ତି ଝିଅ ପଦ୍ମିନୀ। ନୀଳମଣିଙ୍କ ଭଳି ତାଙ୍କ ଝିଅ ମଧ୍ୟ ଆଦିବାସୀ ଅଳଙ୍କାର ତିଆରି କରିବାରେ ସିଦ୍ଧହସ୍ତା। ସେ ନିର୍ମାଣ କରୁଥିବା ଅଳଙ୍କାର ମଧ୍ୟରେ ନାନୁ, ଚାପସରୀ, ଚିପମାଳି, ଗୀତମାଳି, ଧାନମାଳି, ଖାସୁମାଳି, ମଙ୍ଗଳସୂତ୍ର, ଲବଙ୍ଗକୋଡ଼ି, ଟମାଟଲୁ, ପୁଲି, ଝିଙ୍କା, ଝୁମ୍ପି, ବାରି, ବେସରୀ, ସୋରିସିଆ ମାଳି, କାନମୋଡ଼ିଆ, ତାନ, ମୁଦି, ପିତ୍ତଳ ବାଲା, ଗୋଡ଼ ମୁଦି ଓ ଚେନ ଇତ୍ୟାଦି ରହିଛି। ଏ ସବୁ ଅଳଙ୍କାର ନିର୍ମାଣ ପାଇଁ ଆବଶ୍ୟକ କଞ୍ଚ‌ାମାଲ ସେ ରାୟପୁର ଓ କୋରାପୁଟ ଜିଲ୍ଲା କୋଟପାଡ଼ରୁ ଆଣିଥା’ନ୍ତି।

ନୀଳମଣି ନିଜର କଳା ନିଜ ଭିତରେ ସୀମିତ ନରଖି ଅନ୍ୟମାନଙ୍କୁ ଶିଖାଇବା ସହ ସେମାନଙ୍କ ପାଇଁ ବି ‌ରୋଜଗାର ପାଇଁ ବାଟ ଫିଟାଇ ପାରିଛନ୍ତି। ‌ସେ ଗତ ୨୦୧୮ ମସିହାରେ ମା’ ବନଦୁର୍ଗା ମହିଳା ସ୍ବୟଂ ସହାୟକ ଦଳ ଗଠନ କରି ୧୦ଜଣ ମହିଳାଙ୍କୁ ଆଦିବାସୀ ଅଳଙ୍କାର ନିର୍ମାଣ ଓ ପ୍ରସାର ସଂକ୍ରାନ୍ତରେ ତାଲିମ ଦେଇଥିଲେ। ନିଜେ ନିରକ୍ଷର ହୋଇ ସୁଦ୍ଧା ଜିଲ୍ଲା ପ୍ରଶାସନ ପାଇଁ ସେ ହୋଇପାରିଛନ୍ତି ଜଣେ ସଫଳ ପ୍ରଶିକ୍ଷିକା। ଅନେକଙ୍କ ପାଇଁ ପଥ ପ୍ରଦର୍ଶିକା।

ସମ୍ବନ୍ଧିତ ଖବର