ଆଦିବାସୀ ମହିଳା ସରପଞ୍ଚଙ୍କୁ ଅସମ୍ମାନ, ସରପଞ୍ଚ ସଂଘର ଆନ୍ଦୋଳନ ଚେତାବନୀ

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ସାନଘୁମୁଡ଼ା ପଞ୍ଚାୟତର ଆଦିବାସୀ ମହିଳା ସରପଞ୍ଚ ରେବତୀ ଛତ୍ରିଆଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ଲୋକଙ୍କ ସାମ୍ନାରେ ଏନଟିପିସି ଏଜିଏମ ଶ୍ରୀଧର ଜେନା ଅପମାନସୂଚକ ଗାଳିଗୁଲଜ, ଉପହାସ ଓ ଅସମ୍ମାନ କରିଥିବା ଅଭିଯୋଗ ଘଟଣାକୁ ଗମ୍ଭୀରତାର ସହ ନେଇ ସରପଞ୍ଚ ସଂଘ। ଆଜି ଏ ନେଇ ହେମଗିର ବ୍ଲକ୍ ସରପଞ୍ଚ ସମୁହଙ୍କ ଏକ ସାଧାରଣବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ନୂଆ କର୍ମକର୍ତ୍ତା ମନୋନୀତ କରିବା ସହ ସାନଘୁମୁଡ଼ା ସରପଞ୍ଚ ରେବତୀଙ୍କ ପ୍ରତି ଏନଟିପିସି ଅଧିକାରୀଙ୍କ ଅସମ୍ମାନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ନନେବା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସଂଘ ସଭାପତି ଜୟକୃଷ୍ଣ ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ହେମଗିର ଥାନାଧିକାରୀଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସରପଞ୍ଚଙ୍କୁ ନ୍ୟାୟ ନମିଳିଲେ ସଂଘ ଆଗକୁ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରତିନିଧି ଦଳ ଚେତାବନୀ ଦେଇଥିଲେ। ହେମଗିର ଆଦିବାସୀ ଏକତା ମଞ୍ଚ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ପରେ ହେମଗିର ସରପଞ୍ଚ ସଂଘର ଆନ୍ଦୋଳନ ଚେତାବନୀ ଏନଟିପିସି ଅଧିକାରୀଙ୍କ ଅଡ଼ୁଆ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶଯୋଗ୍ୟ, ଗତ ୧୧ ତାରିଖରେ ବିସ୍ଥାପିତ ଗାଁ ବେଲଡିହିର ସୁଶାନ୍ତ ପ୍ରଧାନ ଓ ସୁରେଶ ପ୍ରଧାନ ଜମି କାଗଜପତ୍ର ଧରି ଖପରିକଛାରସ୍ଥିତ ଏନଟିପିସି ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇଥିବା ବେଳେ କୌଣସି ଏକ ପ୍ରସଙ୍ଗରେ ସେମାନଙ୍କ ସମ୍ମୁଖରେ ଏଜିଏମ ଶ୍ରୀଧର ପ୍ରଧାନ ସାନଘୁମୁଡ଼ାର ମହିଳା ସରପଞ୍ଚଙ୍କ ଉଦ୍ଦେଶ୍ୟରେ ଗାଳିଗୁଲଜ, ଅସମ୍ମାନ ଓ ଅପମାନସୂଚକ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ‘ସାନଘୁମୁଡ଼ା ସରପଞ୍ଚ ଆଦିବାସୀ ମହିଳା ହୋଇଥିବାରୁ ମୋର କିଛି କରିପାରିବେ ନାହିଁ’ ବୋଲି ଏଜିଏମ କହିଥିବା ନେଇ ସରପଞ୍ଚ ଅଭିଯୋଗ କରି ଏହା ଦ୍ବାରା ସେ ମାନସିକ ନିର୍ଯାତନାର ଶିକାର ହୋଇଥିବା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ଅନେକ ସମୟରେ ବିସ୍ଥାପିତଙ୍କୁ ମଧ୍ୟ ଏଜିଏମ ଦୁର୍ବ୍ୟବହାର କରୁଥିବା ସରପଞ୍ଚ ଏତଲାରେ ଉଲ୍ଲେଖ କରି ତାଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ପ୍ରତିନିଧି ଦଳରେ ସରପଞ୍ଚ ସଂଘ ଉପସଭାନେତ୍ରୀ ପୂରବୀ ନାଏକ, ସମ୍ପାଦିକା ଲିଜା ନାଏକ, କୋଷାଧ୍ୟକ୍ଷ ଉପେନ୍ଦ୍ର ମଲ୍ଲିକ, ସୁଭଦ୍ରା ବଇଗା, ଦିନେଶ ନାଏକ, ସୁନନ୍ଦା କାଲୋ, ସୋନିଆ ବାଇଗା, ସନ୍ୟାସୀ ବାଗ, ଶେଷବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର