ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଆଦିବାସୀ ଯୁବତୀଙ୍କୁ ନ୍ୟାୟ ମିଳିଛି। ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ପ୍ରମିଳା ଦାସ, ମହିଳା ପୁଲିସର ହସ୍ତକ୍ଷେପ ପରେ ପ୍ରେମିକ ଆଦିବାସୀ ଯୁବତୀଙ୍କୁ ମନ୍ଦିରରେ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି। ଏମିତି ଘଟଣା ଘଟିଛି ରେଲୱେ କଲୋନି ଅମରନାଥ ବସ୍ତିରେ। ମାଲଗୋଦାମ ବସ୍ତି କାଳୀ ମନ୍ଦିରରେ ଉଭୟ ପରିବାରଙ୍କ ଉପସ୍ଥିତିରେ ପ୍ରେମିକ ଜଣକ ଆଦିବାସୀ ଯୁବତୀଙ୍କୁ ବିବାହ କରିଛନ୍ତି। ଆସନ୍ତକାଲି (ବୁଧବାର) ଉଭୟ କୋର୍ଟ ମେରେଜ କରିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ରେଲୱେ କଲୋନି ଅମରନାଥବସ୍ତିରେ ଲକ୍ଷ୍ମଣ ସାଓ ନାମକ ଜଣେ ଯୁବକ ପରିବାର ସହ ରହନ୍ତି। ସେ ସେହି ବସ୍ତିର ଜଣେ ଆଦିବାସୀ ଯୁବତୀଙ୍କୁ ଭଲପାଉଥିଲେ। ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ଫଳରେ ଯୁବତୀ ଜଣକ ୬ ମାସର ଗର୍ଭବତୀ ହୋଇଥିଲେ। ଯୁବତୀ ଜଣକ ବିବାହ କରିବାକୁ ଜିଦ୍ ଧରିବାରୁ ଲକ୍ଷ୍ମଣ ଓ ତାଙ୍କ ପରିବାର ରାଜି ହୋଇନଥିଲେ। ପରିବାର ଲୋକ ଲକ୍ଷ୍ମଣର ବିହାରର ଜଣେ ଝିଅଙ୍କ ସହ ବିବାହ କରିବାକୁ ନିର୍ବନ୍ଦ କାମ ସାରି ଦେଇଥିଲେ। ଆଦିବାସୀ ଯୁବତୀ ଏ ସଂକ୍ରାନ୍ତରେ ଜାଣିବା ପରେ ପୂର୍ବତନ କାଉନସିଲର ପ୍ରମିଳା ଦାସଙ୍କୁ ଭେଟିଥିଲେ। ସମସ୍ତ କଥା କହିଥିଲେ। ପ୍ରମିଳା ଦାସ ଯୁବତୀଙ୍କୁ ନେଇ ମହିଳା ଥାନାକୁ ଯାଇଥିଲେ। ମହିଳା ପୁଲିସ ହସ୍ତକ୍ଷେପ ପରେ ଲକ୍ଷ୍ମଣଙ୍କ ପରିବାର ପୁଅକୁ ଆଦିବାସୀ ଯୁବତୀଙ୍କ ସହ ବିବାହ କରିବାକୁ ରାଜି ହୋଇଥିଲେ।