ମଦକୁ ବିରୋଧ କରିବାରୁ ଆଦିବାସୀ ନେତାଙ୍କୁ ହତ୍ୟା ଘଟଣା: ଆଦିବାସୀଙ୍କୁ ମୋହରା ସଜେଇଛନ୍ତି ଆନ୍ଧ୍ର, ଓଡ଼ିଶା ମାଫିଆ

ସାମ୍‌ନାକୁ ଆସିଲା ସାଂଘାତିକ ଚିତ୍ର

ପାତ୍ରପୁର : ମଦ ବ୍ୟବସାୟୀଙ୍କୁ ବିରୋଧ କରିବାରୁ ଜଣେ ଆଦିବାସୀ ନେତାଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ଏକ ସାଂଘାତିକ ଚିତ୍ର ସାମ୍‌ନାକୁ ଆସିଛି। ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମଦ ମାଫିଆମାନେ ନିରୀହ ଆଦିବାସୀଙ୍କୁ ମୋହରା କରୁଛନ୍ତି। ମାଫିଆ-ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ସେମାନେ ବଳି ପଡ଼ୁଛନ୍ତି। ଆଦିବାସୀଙ୍କ ଉପରେ ମାଫିଆମାନେ ବେଳେବେଳେ ଯେଉଁ ଆକ୍ରମଣ କରୁଛନ୍ତି, ତା’ ପଛରେ ବି ଅବକାରୀ ବିଭାଗର ହାତ ରହୁଛି। ଶେଷରେ, ମଦ ଚାଲାଣ ମାମଲରେ ଆଦିବାସୀଙ୍କୁ ଗିରଫ କରାଯାଉଥିବାବେଳେ ମାଲାମାଲ୍‌ ହେଉଛନ୍ତି ଦୁଇରାଜ୍ୟର ମାଫିଆ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ରହିଛି ପାତ୍ରପୁର ବ୍ଲକ୍‌। ଏହି ବ୍ଲକ୍‌ ଅନ୍ତର୍ଗତ ପଳାସପୁର ଗ୍ରାମର ବୃନ୍ଦାବନ ଜାନି (୫୫) ନାମକ ଜଣେ ଆଦିବାସୀ ନେତାଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ମୁଣ୍ଡ କାଟି ହତ୍ୟା କରିଥିଲେ। ମଦ ବ୍ୟବସାୟୀଙ୍କୁ ବ‌ିରୋଧ କରିବାରୁ ତାଙ୍କୁ ଏହିଭଳି ମୃତ୍ୟୁଦଣ୍ଡ ଭୋଗିବାକୁ ପଡ଼ିଛି। ତେବେ, ଏହି ବ୍ଲକ୍‌ର ଅର୍ଦ୍ଧାଧିକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ନିକଟସ୍ଥ ଚିକିଟି ବ୍ଲକ୍‌ର ଅଧିକାଂଶ ଗ୍ରାମ ବର୍ତ୍ତମାନ ନକଲି ମଦ ମାଫିଆଙ୍କ କବ୍‌ଜାରେ ରହିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଆଦିବାସୀମାନେ ପୂଜାପାଠ ସହ ଜୀବିକା ଅର୍ଜନ ପାଇଁ ମହୁଲି ରନ୍ଧାମଦ ପ୍ରସ୍ତୁତ କରୁଛନ୍ତି। ଆବହମାନ କାଳରୁ ଏହି ପରମ୍ପରା ଚାଲିଆସିଛି। ମହୁଲି ମଦ ଓ ଖଜୁରି ପଙ୍ଗୁକୁ ମହିଳାଙ୍କ ସମେତ ବିଭିନ୍ନ ବର୍ଗର ଲୋକ ପିଇଥାନ୍ତି। ସରକାରୀ କଟକଣା ସତ୍ତ୍ବେ ଏମାନେ ଖରାପ ପରିବେଶରେ ମଦ ପ୍ରସ୍ତୁତ କରିଥା’ନ୍ତି।

ତେ‌େବ‌, ଗତ କିଛିବର୍ଷ ହେବ ଆଦିବାସୀଙ୍କ ଏହି ଜୀବନଜୀବିକାରେ ମାଫିଆମାନଙ୍କ ହସ୍ତକ୍ଷେପ ଦେଖିବାକୁ ମିଳୁଛି। ସ୍ଥାନୀୟ ଅଞ୍ଚଳର ଜ‌ଣେ ଆଦିବାସୀଙ୍କ କହିବାନୁସାରେ, ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଏମାନେ ଆଦିବାସୀଙ୍କଠୁ ମଦ କିଣିନେବା ସହ ସେମାନଙ୍କୁ ଚାଲାଣରେ ବି ବ୍ୟବହାର କରିଆସୁଛନ୍ତି। ଆଉ ସୀମାନ୍ତ ଗାଁ ଗୁଡ଼ିକରେ ଆନ୍ଧ୍ର ମାଫିଆ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ଆଦିବାସୀଙ୍କଠୁ କିଣାଯାଉଥିବା ମଦକୁ ଅଧିକ ଦାମ୍‌ରେ ବିକି ମାଫିଆ ମାଲାମାଲ୍ ହେଉଛନ୍ତି। ଖାଲି ଏତିକି ନୁହେଁ, ପ୍ରତିଦିନ କ‌େତେ ପରିମାଣର ମଦ ପ୍ରସ୍ତୁତ ହେବ ଏଥିଲାଗି ବରାଦ ଦିଆଯାଉଥିବା କୁହାଯାଉଛି। ଫଳରେ, ବିଚରା ଆଦିବାସୀଟି ଜୀବିକା ପାଇଁ ମାଫିଆ ସହ ହାତ ମିଳାଇବାକୁ ବାଧ୍ୟ ହେଉଛି। ମାଫିଆ-ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ସେମାନେ ବଳି ପଡ଼ୁଛି।

ଉଦ୍‌ବେଗଜନକ ବିଷୟ ହେଉଛି; ନିଜର ମଦ କାରବାର ପାଇଁ ଯେଉଁ ଆଦିବାସୀଙ୍କୁ ମାଫିଆମାନେ ମୋହରା କରୁଛନ୍ତି, ସେମାନଙ୍କୁ ମଧ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାପାଇଁ ଉସ୍‌କାଉଛନ୍ତି। ଗତ ୬ ତାରିଖରେ ଘଟିଥିବା ଘଟଣା ଏହାର ଏକ ଜ୍ବଳନ୍ତ ଉଦାହରଣ। ସେହିଦିନ, ବ୍ଲକ୍‌ର ବୁଢ଼ିଘାଟି ଗ୍ରାମକୁ ମଦ ଧରପଗଡ଼ ପାଇଁ ଯାଇଥିବାବେଳେ ତହସିଲଦାରଙ୍କ ସମେତ ୧୨ ଜଣ ଅବକାରୀ ଓ ପୁଲିସ କର୍ମଚାରୀଙ୍କୁ ଆଦିବାସୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ମାଫିଆଙ୍କ ପ୍ରରୋଚନାରେ ଅଧିକାରୀମାନେ ଏଠାକୁ ଆସିଥିବା ଆଦିବାସୀମାନେ ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ, ମଦ ଚାଲାଣ ଅଭିଯୋଗ‌ରେ ବି ଆଦିବାସୀଙ୍କୁ ଗିରଫ କରାଯାଉଛି।ଏଥିରେ ଏଥିରେ ପ୍ରଚ୍ଛନ୍ନ ହାତ ରହୁଛି ଅବକାରୀ ବିଭାଗର। ଫଳରେ, ମଦମାଫିଆ ମାନେ ନିଜ ସାମ୍ରାଜ୍ୟ ବିସ୍ତାର ପାଇଁ ନିରୀହ ଆଦିବାସୀଙ୍କୁ ମୋହରା ବନାଇଛନ୍ତି। ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କ ଜୀବନ ପ୍ରତି ବର୍ତ୍ତମାନ ବିପଦ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଆନ୍ଧ୍ରପ୍ରଦେଶର କିଛି ମାଫିଆ ମଧ୍ୟ ଆଦିବାସୀଙ୍କୁ ହାତ କରି ସେମାନଙ୍କ ଚୋରା ମଦଭାଟି ଚଳାଇଛନ୍ତି। ଅବକାରୀ ବିଭାଗ ଧରପଗଡ଼ ବେଳେ ପ୍ରକୃତ ମାଫିଆଙ୍କୁ ସୁରକ୍ଷା ଦେଇ ନିରୀହ ଆଦିବାସୀଙ୍କୁ ଗିରଫ କରୁଛି। ଏଭଳି ଅନେକ ଘଟଣାର ନଜିର୍ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ମସିହାରେ ପାତ୍ରପୁର ବ୍ଲକ୍ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବିଜିପୁର ଗ୍ରାମରେ ଅବକାରୀ ଧରପଗଡ଼ ବେ‌େଳ‌ ଆଦିବାସୀଙ୍କ ସହ ସଂଘର୍ଷ ଘଟିଥିଲା। ଜଣେ ମହିଳା ଏସ୍‌ଆଇ ଏଥିରେ ଆହତ ହୋଇଥିବା ବେଳ‌େ ବହୁ କର୍ମଚାରୀଙ୍କୁ ସେମାନେ ଅଟକ ରଖିଥିଲେ। ଏଭଳି ପୂର୍ବରୁ ଅନେକ ଘଟଣା ଘଟିଛି। ବର୍ତ୍ତମାନ କିଛି ଗ୍ରାମରେ ଆଦିବାସୀ ନିଜେ ସଚେତନ ହେବା ସହ ମାଫିଆଙ୍କ ‌ପ୍ରୋତ୍ସାହନକୁ ବିରୋଧ କରିଆସୁଛନ୍ତି। ଏଥିପାଇଁ ହାତଗଣତି ନେତା ମଦ ବିରୋଧ ଅଭିଯାନର ମଙ୍ଗ ଧରିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।

ସମ୍ବନ୍ଧିତ ଖବର