ବେପାରୀଙ୍କ କବ୍‌ଜାରେ ଆଦିବାସୀଙ୍କ  ମହୁଲଫୁଲ

ବଣାଇଗଡ଼ : ବଣାଇ ଉପଖଣ୍ଡ ଏକ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ମହୁଲଫୁଲ, ଫଳ ଓ ମଞ୍ଜି ଆଦିବାସୀଙ୍କ ଜୀବନଜୀବିକାର ଏକ ପ୍ରମୁଖ ଉପାଦାନ। ସରକାର ମହୁଲଫୁଲ ସହ ସମୁଦାୟ ୧୬୯ ପ୍ରକାର ବନଜାତ ଦ୍ରବ୍ୟକୁ ପଞ୍ଚାୟତ ହାତରେ ନ୍ୟସ୍ତ କରି ତା’ର ଦର ନିର୍ଦ୍ଧାରଣ କରିବାକୁ ଦାୟିତ୍ବ ଦେଇଛନ୍ତି। ହେଲେ ପଞ୍ଚାୟତମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସଂଗ୍ରହକାରୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ପରିଶ୍ରମ ଅନୁସାରେ ସେମାନେ ମହୁଲଫୁଲର ଉଚିତ୍  ମୂଲ୍ୟ ପାଉନାହାନ୍ତି।

ସରକାରୀ ନିୟମ ହିସାବରେ ପଞ୍ଚାୟତ ସମିତି ବୈଠକରେ ଆଲୋଚନା ହେଲାପରେ ପ୍ରତି ପଞ୍ଚାୟତରେ ବୈଠକ ମାଧ୍ୟମରେ ମହୁଲଫୁଲର ଦର ନିର୍ଦ୍ଧାରଣ କରି ଉପଜିଲ୍ଲାପାଳଙ୍କୁ ଦେବା କଥା। ଆଉ ସେହି ଦର ହିସାବରେ ବ୍ୟବସାୟୀମାନେ ସଂଗ୍ରହକାରୀଙ୍କଠାରୁ ଫୁଲ କିଣିବା କଥା। ହେଲେ ଏଠାରେ ତା’ର ବିପରୀତ ଦେଖିବାକୁ ମିଳୁଛି। ବ୍ୟବସାୟୀମାନେ ଗାଁ ଗାଁରେ ପହଞ୍ଚି ସଂଗ୍ରହକାରୀଙ୍କଠାରୁ ୨୦ରୁ ୨୫ ଟଙ୍କା ଦରରେ ମହୁଲଫୁଲ କିଣୁଛନ୍ତି।

ପୁନଶ୍ଚ ମାପରେ ମଧ୍ୟ ଗଡ଼ବଡ଼ କରି ସଂଗ୍ରହକାରୀଙ୍କୁ ଶୋଷଣ କରୁଛନ୍ତି। ବ୍ୟବସାୟୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ସଂଗ୍ରହକାରୀ ହତାଶ ହେଉଛନ୍ତି। ସଂଗ୍ରହକାରୀମାନେ ଦୀର୍ଘ ୩ରୁ ୪ ମାସ ହାଡ଼ଭଙ୍ଗା ପରିଶ୍ରମ କରି ସପରିବାର ଫୁଲ ସଂଗ୍ରହ କରୁଥିଲେ ମଧ୍ୟ ସବୁ ପରିଶ୍ରମର ଫଳ ବେପାରୀ ପକେଟ୍‌କୁ ଯାଉଛି।

ଅପରପକ୍ଷରେ ଅବକାରୀ ବିଭାଗ ଜରିଆରେ ଲାଇସେନ୍ସ ପାଇଥିବା ବ୍ୟବସାୟୀ ହିଁ ମହୁଲଫୁଲ କିଣି ପାରିବେ। ହେଲେ ମାଳମାଳ ବ୍ୟବସାୟୀ ଗାଁଗାଁରେ ପହଞ୍ଚି ଫୁଲ କିଣୁଥିଲେ ମଧ୍ୟ ସେ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବା ଦେଖାଯାଉଛି। ପ୍ରତିବର୍ଷ ଫୁଲ କାରବାର ବଢ଼ି ଚାଲିଥିବାବେଳେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବଡ଼ ବ୍ୟବସାୟୀମାନେ ମାଲାମାଲ ହେଉଥିବାବେଳେ ସଂଗ୍ରହକାରୀମାନେ ଶୋଷଣର ଶିକାର ହେଉଛନ୍ତି। ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଫୁଲ ସଂଗ୍ରହର ପ୍ରଥମମାସରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣକଲେ ସଂଗ୍ରହକାରୀ ଶୋଷଣରୁ ମୁକ୍ତି ପାଇପାରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର