କାଳିଆପାଣି (ରବି ନାରାୟଣ କର): ରହସ୍ୟ ଘେରରେ ବୁଢ଼ାନ ହାଁସଦା ନିଖୋଜ ଘଟଣା। ଯାଜପୁରଜିଲ୍ଲା କାଳିଆପାଣି ଥାନା ବାଲିପୁରା(ବାଲିପଡ଼ା) ଗାଁ କଅଁସ ମରମପାଳିଆର ଏହି ଆଦିବାସୀ ଯୁବକଙ୍କର ଦେଢ଼ବର୍ଷ ଧରି ପତ୍ତା ମିଳୁନି। ପୁଲିସ ଖାତାରେ ନିଖୋଜ ଦର୍ଶାଯାଇଥିବା ବୁଢ଼ାନ(୪୯) ଙ୍କୁ ହତ୍ୟା କରାଯାଇଛି ବୋଲି ଖୋଦ୍ ତାଙ୍କ ଜନ୍ମଦାତ୍ରୀ ମାଆ ଶ୍ରୀମତୀ ହାଁସଦା ଅଭିଯୋଗ କରନ୍ତି।
ସ୍ବାମୀ ସାଲକୁ ହାଁସଦାଙ୍କୁ ହତ୍ୟା କରିବାର ୨ ଦିନ ପୂର୍ବରୁ ସମାନ ଅଭିଯୁକ୍ତମାନେ ପୁଅକୁ ଅତି ଅମାନୁଷିକ ଭାବେ ହତ୍ୟା କରି ରାଇଘାଟି ପାହାଡ଼ ଆଡ଼େ ଫିଙ୍ଗି ଦେଇଥିବା କହନ୍ତି। କଅଁସ ବନ କାର୍ଯ୍ୟାଳୟ ନର୍ସରିରେ ଠିକା ଶ୍ରମିକ ଥିବା ବୁଢ଼ାନଙ୍କୁ ସେଦିନ ସଂଧ୍ୟାରେ ଅଭିଯୁକ୍ତମାନେ କୌଶଳରେ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ପୁଅକୁ ହତ୍ୟାକରି ମୃତଦେହକୁ ଖଣ୍ଡଖଣ୍ଡ କରି ଫିଙ୍ଗି ଦେଇଥିବା ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦିଅନ୍ତି ମାଆ ଶ୍ରୀମତୀ।
ଏ ସଂପର୍କରେ କହନ୍ତି ଯେ, ‘ଠିକ୍ ସେଦିନ ପୁଅକଥା ବେଶୀ ମନେ ପଡ଼ୁଥିଲା। ପୁଅକୁ ମୁଁ ମନେମନେ ଖୋଜୁଥିଲି। ସଂଧ୍ୟାରେ ପୁଅ ଘର ଫେରିଆସୁଥିଲା। ହେଲେ ସେଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅର ଅନୁପସ୍ଥିତିରୁ ତା’ ବାପା ଓ ମୋ ମନକୁ ପାପ ଛୁଇଁଥିଲା। ସକାଳୁ ଗାଁରେ ଏମିତି କିଛି ଚର୍ଚ୍ଚା ହେଉଥିବା ଜାଣିବାକୁ ପାଇଥିଲୁ। ଏହାର ୨ ଦିନ ପରେ ୨୦୨୪ ମସିହା ଅଗଷ୍ଟ ୨୨ ତାରିଖ ସକାଳ ଅଭିଯୁକ୍ତମାନେ ରକ୍ତମୁଖା ହୋଇ ଆମ ଘରେ ପଶିଥିଲେ। ଅଗଣାରେ ଆମ ସ୍ବାମୀସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ବୁଢ଼ାକୁ ମାଡ଼ିବସି ତା’ ଆଖିରେ ଲୁଣ ପକାଇଦେଲେ। ଅମାନୁଷିକ ଅତ୍ୟାଚାର ଦେଖି କ୍ଷତାକ୍ତ ଅବସ୍ଥାରେ ପାଖ ଘରକୁ ଦୌଡ଼ି ପଳାଇଥିଲି। ପରଦିନ ଘର ଠାରୁ କିଛି ଦୂର ଟିକରପଡ଼ା ଜଙ୍ଗଲରେ ସ୍ବାମୀଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ପୁଲିସ ଆମ ପାଖରେ ପହଞ୍ଚିବା ତଦନ୍ତ କରିବାରେ ସ୍ବାମୀଙ୍କ ମୃତ୍ୟୁ ସଂପର୍କରେ ଜାଣିଲି। ଦୁଇ ଦୁଇଟି ଜଘନ୍ୟ ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼୍ଯନ୍ତ୍ର ରହିଥିବା ଏହି ଆଦିବାସୀ ବୃଦ୍ଧା ଦୃଢ଼ ଅଭିଯୋଗ କରନ୍ତି।
କରୋନା ସମୟରେ ସାଲକୁଙ୍କ ପରିବାର ପୈତୃକ ଗାଁ ବାଲିପଡ଼ା ଛାଡ଼ି କଅଁସ ମରମପାଳିଆରେ ନୂଆଘର ତୋଳି ରହୁଥିଲେ। ପ୍ରଥମରୁ ପଡ଼ୋଶୀ ଦମ୍ପତି ସାକର ଓ ଜିତରାଇ ମାରାଣ୍ଡି ଏହାକୁ ବିରୋଧ କରୁଥିଲେ। ବର୍ଷକ ମଧ୍ୟରେ ସେହି ଦମ୍ପତି ଓ ପଡ଼ୋଶୀ ଯୁବକ ବିଷ୍ଣୁ ହେମ୍ବ୍ରମଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଏଥିପାଇଁ ବସ୍ତିବାସିନ୍ଦା ଶ୍ରୀମତୀ ଓ ସାଲକୁ ହାଁସଦା ଦମ୍ପତି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିଥିଲେ। ମୃତ ମାରାଣ୍ଡି ଦମ୍ପତିଙ୍କ ପୁଅ ମୋହନ ଓରଫ୍ ମୁନା(୩୦), ତା’ ପତ୍ନୀ ଦୁଲି ଓ ମୃତ ବିଷ୍ପୁଙ୍କ ପତ୍ନୀ ସମ୍ବାରୀଙ୍କୁ ନେଇ ଗୁପ୍ତ ବୈଠକରେ ଏହି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଯୋଜନା ହୋଇଥିଲା। ସେଦିନ ଉକ୍ତ ୩ ଅଭିଯୁକ୍ତ ଏବଂ ସମ୍ବାରୀଙ୍କ ନାବାଳକ ପୁଅ ଓ ମୁନାର ନାବାଳକ ସାନଭାଇ ମିଶି ଆକ୍ରମଣ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ୩ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ୨ ନାବାଳକ ବାଳସୁଧାର ଗୃହରୁ ଫେରି ଆସିଛନ୍ତି।
ଆହୁରି ପଢ଼ନ୍ତୁ: US vs Iran: ଇସଫାହାନ ପରମାଣୁ ସ୍ଥଳକୁ ସିଲ୍ କରୁଛି ଇରାନ: ପ୍ରକାଶ ପାଇଲା ସାଟେଲାଇଟ୍ ଚିତ୍ର
ଏ ସଂପର୍କରେ ତଦନ୍ତ ଦାୟିତ୍ବରେ ଥିବା ତତ୍କାଳୀନ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ପଚାରିବାରେ ଅଭିଯୋଗକାରୀ ଏ ପ୍ରସଙ୍ଗ ଉଠାଇ ନଥିଲେ ହେଁ ପ୍ରଥମରୁ ପୁଲିସ ବୁଢ଼ାନ ନିଖୋଜ ମାମଲାକୁ ଗୁରୁତ୍ବର ସହ ଗ୍ରହଣକରି ସେହି ଆଧାରରେ ତଦନ୍ତ କରୁଥିଲା। ପରବର୍ତ୍ତୀ ସମୟରେ ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କ ବଦଳି ହୋଇଥିଲା। ଏବେ ଅଭିଯୋଗକାରିଣୀ ବୃଦ୍ଧା ପାହାଡ଼ ଓ ଜଙ୍ଗଲ ତଳ ପୁରୁଣା ଭିଟାମାଟିରେ ନାବାଳକ ନାତି ପାଖରେ ରହୁଛନ୍ତି।
ଆହୁରି ପଢ଼ନ୍ତୁ: India-Russia: ସଙ୍କଟ ବେଳେ ଶ୍ରମିକ ସାହା: ଭାରତର ସାହାରା ଲୋଡ଼ୁଛି ଋଷ, କର୍ମକ୍ଷେତ୍ରରେ ଲୋକଙ୍କ ଅଭାବ ପୂରା କରିବ ଭାରତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/10/untitled-19jpg-2026-02-10-16-31-24.jpeg)