ଆନନ୍ଦପୁର: ଘସିପୁରା ଥାନା ଶାମୁକାନାଣ୍ଡି ପଞ୍ଚାୟତ ଜାମବାହାଳି ଗ୍ରାମର ଧାନବିଲରୁ ଜଣେ ଆଦିବାସୀ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ନିକଟସ୍ଥ ଝିଙ୍କିପିଟା ଗ୍ରାମର ବୈଦ୍ୟନାଥ ମାରାଣ୍ଡି (୩୦)। ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ବୈଦ୍ୟନାଥ ଶୁକ୍ରବାର ଯୁଗଳକିଶୋରପୁରରେ ଚାଲିଥିବା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ। ସେ ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଗତକାଲି ଅପରାହ୍‌ଣରେ ତାଙ୍କ ମୃତଦେହ ଜାମବାହାଳି ନିକଟ ଏକ ବିଲରେ ପଡ଼ିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବୈଦ୍ୟନାଥଙ୍କୁ ପଥର ଛେଚି ହତ୍ୟା କରିବା ପରେ ମୃତଦେହକୁ ବିଲରେ ଫିଙ୍ଗି ଦିଆଯାଇଥିବା ନେଇ ତାଙ୍କ ଭାଇ ମାନସିଂ ମାରାଣ୍ଡି ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନେ ଗିରଫ‌ ହେବେ ବୋଲି ଘସିପୁରା ଥାନା ଅଧିକାରୀ ବିକ୍ରମ କେଶରୀ ଭୂୟାଁ ପ୍ରକାଶ କରିଛନ୍ତି।